ରାଜଧାନୀରେ ରାତିରେ ଫୁଟିଲା ଗୁଳି । ତମାଣ୍ଡୋ ଅଚଂଳରେ ଗୁପଚୁପ ବେପାରୀଙ୍କ ଉପରକୁ ଗୁଳିମାଡ
ତମାଣ୍ଡୋ ଥାନା ସାହାଣୀ କାଶିପୁର ଗାଁ ରାସ୍ତାରେ ଗୁଳିକାଣ୍ଡ
କନକ ବ୍ୟୁରୋ : ଗୁରୁବାର ରାତି ପ୍ରାୟ ୧୦ଟା ବେଳେ ତମାଣ୍ଡୋ ଥାନା ସାହାଣୀ କାଶିପୁର ଗାଁ ରାସ୍ତାରେ ଗୁଳିକାଣ୍ଡ ଘଟିଛି। ୩ ଜଣ ଦୁର୍ବୃତ୍ତ ଜଣେ ଗୁପଚୁପ୍ ବେପାରୀଙ୍କୁ ଲୁଟିବାକୁ ଯାଇ ଗୁଳି ଚଳାଇଛନ୍ତି। ମାତ୍ର ସୌଭାଗ୍ୟକୁ ଗୁଳିଟି ଖଟା ପାଣି ହାଣ୍ଡିରେ ବାଜିବାରୁ ବେପାରୀ ଜଣଙ୍କ ବର୍ତି ଯାଇଛନ୍ତି। ଖବର ପାଇ ତମାଣ୍ଡୋ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ କରିଛି। ତେବେ ପୁଲିସ ଦୁର୍ବୃତ୍ତମାନଙ୍କ ଟେର୍ ପାଇନାହିଁ ।
Kanak News is now on WhatsApp
Join and get latest news updates delivered to you via WhatsApp
ସୂଚନାନୁସାରେ ବୋଲଗଡ଼ ଅଞ୍ଚଳର ରବୀନ୍ଦ୍ର ସ୍ୱାଇଁ କାଶୀପୁର ଗାଁରେ ଭଡ଼ାରେ ରହି ତମାଣ୍ଡୋ ବଜାରରେ ଗୁପଚୁପ୍ ବେପାର କରନ୍ତି।ରାତିରେ ବେପାର ସାରି ସେ ଘରକୁ ଫେରୁଥିଲେ। ୧୬ ନମ୍ବର ଜାତୀୟ ରାଜପଥରୁ କୋଲ୍ ଇଣ୍ଡିଆ ପାଚେରି କଡ଼ ଅନ୍ଧାରିଆ ଓ ନିଛାଟିଆ ରାସ୍ତାରେ ସେ ସାଇକେଲ ଗଡ଼ାଇ ଗଡ଼ାଇ ଚାଲିଥିଲେ। ସେ ଜାତୀୟ ରାଜପଥରୁ ମାତ୍ର ୫୦ ମିଟର ଯାଇଥିବାବେଳେ ଦୁଇଟି ବାଇକରେ ୩ ଜଣ ତାଙ୍କୁ ଅଟକାଇବା ସହ ରଖିଥିବା ସବୁ ଟଙ୍କା ଦେଇଦେ ବୋଲି ଧମକାଇଥିଲେ। ଏତିକି ବେଳେ ଜଣେ ତାଙ୍କ ପକେଟରୁ ୯ଶହ ଟଙ୍କା ଛଡ଼ାଇ ନେଇଥିଲା। ସେ ପାଟି କରିବାରୁ ଜଣେ ପିସ୍ତଲ ବାହାର କରି ହଠାତ୍ ଗୁଳି ଚଳାଇଥିଲା। ତେବେ ସେ ପ୍ରାଣବିକଳରେ ତଳେ ବସି ପଡ଼ିବାରୁ ଗୁଳିଟି ତାଙ୍କ ଦେହରେ ନ ବାଜି ଖଟା ପାଣି ହାଣ୍ଡିରେ ବାଜିଥିଲା। ଏହାପରେ ରବୀନ୍ଦ୍ର ଘଟଣାସ୍ଥଳରୁ ଦୌଡ଼ିଥିଲେ। ଗୁଳି ଫୁଟାଇବା ପରେ ଦୁର୍ବୃତ୍ତମାନେ ଜାତୀୟ ରାଜପଥକୁ ଯାଇ ଖୋର୍ଧା ଦିଗରେ ପଳାଇଥିଲେ।
ଏହି ସମୟରେ ସେହି ରାସ୍ତା ଦେଇ ଯାଉଥିବା କିଛି ଲୋକ ସେଠାରେ ଅଟକି ଘଟଣା ସମ୍ପର୍କରେ ଜାଣିବା ପରେ ତମାଣ୍ଡୋ ଥାନାକୁ ଜଣାଇଥିଲେ। ଖବର ପାଇ କାଶୀପୁର ଓ ବାଲିଆପଡ଼ାରୁ ଗ୍ରାମବାସୀମାନେ ଘଟଣାସ୍ଥଳକୁ ଛୁଟି ଆସିଥିଲେ। ପୁଲିସ ଗୁଳିର ଖୋକା ପାଇବା ପାଇଁ ଖୋଜାଖୋଜି କରିଥିଲେ ବି ବଣ ଭିତରୁ କିଛି ପାଇ ନଥିଲା। କିନ୍ତୁ କୋଲ ଇଣ୍ଡିଆର ପାଚେରିରେ ଗୋଟିଏ ସ୍ଥାନରେ ଗୁଳି ବାଜିଥିବା ଦେଖିବାକୁ ମିଳିଥିଲା।
ଉଲ୍ଲେଖଯୋଗ୍ୟ ଯେ ସନ୍ଧ୍ୟା ସାଢ଼େ ୭ଟାବେଳେ କଳିଙ୍ଗନଗର ବିପୁଲ ଗାର୍ଡେନ୍ ଛକରୁ ୩ ଜଣ ଦୁର୍ବୃତ୍ତ ଘାଟିକିଆର ପ୍ରଶାନ୍ତ ରଥଙ୍କୁ ଆକ୍ରମଣ କରି ତାଙ୍କ ବାଇକ୍ ଲୁଟି ନେଇଥିଲେ। ତେଣୁ ସେହି ଗ୍ୟାଙ୍ଗ୍ ପୁଣି ଗୁପଚୁପ୍ ବେପାରୀ ରବୀନ୍ଦ୍ରଙ୍କୁ ଆକ୍ରମଣ କରିଥିବା ସନ୍ଦେହ କରାଯାଉଛି। ଦୁଇ ଦୁଇଟି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳି ଯାଇଛି।