ଫର୍ମ ଫିଲଅପ୍ କରିଥିଲେ, ହେଲେ ମାଟ୍ରିକ ପରୀକ୍ଷା ଦେଲେନି: ସାମ୍ନାକୁ ଆସିଲା ପିଲାଙ୍କ ଦୁଃଖ କାହାଣୀ, ପରୀକ୍ଷା ନଦେଇ ବାହା ହୋଇଗଲେ ଛାତ୍ରୀ

151

କନକ ବ୍ୟୁରୋ: ମାଟ୍ରିକ ପରୀକ୍ଷା ପ୍ରଥମ ଦିନରେ, ୧୮ ହଜାରରୁ ଅଧିକ ଛାତ୍ରଛାତ୍ରୀ ଅନୁପସ୍ଥିତ ରହିବା, ଚର୍ଚ୍ଚାର ବିଷୟ ହୋଇଛି । ପିଲାମାନେ ପରୀକ୍ଷା ଦେବା ପାଇଁ ଫର୍ମ ପୂରଣ କରିଥିଲେ ବି ଏତେ ପରୀକ୍ଷା ଦେବାକୁ କାହିଁକି ଆସିଲେନି ସେ ନେଇ ଖୋଳତାଡ ଆରମ୍ଭ ହୋଇଛି । ଗଣଶିକ୍ଷା ବିଭାଗ ପକ୍ଷରୁ କାରଣ ଖୋଜା ଚାଲିଥିବାବେଳେ ଗ୍ରାଉଣ୍ଡ ଜିରୋରୁ ଯେଉଁ ତଥ୍ୟ ଆସିଛି ଚମକାଇ ଦେବା ଭଳି ।

ସୁମନ୍ତ କୁମାର ନାୟକ । ଧରାକୋଟ ବ୍ଲକ ସରଧାପୁର ପ୍ରସ୍ତାବିତ ହାଇସ୍କୁଲର ଦଶମ ଶ୍ରେଣୀ ଛାତ୍ର । ମାଟ୍ରିକ ବୋର୍ଡ ପରୀକ୍ଷା ଦେବା ପାଇଁ ଫର୍ମ ପୂରଣ କରିଥିଲେ । କିନ୍ତୁ ବିଡମ୍ବନାର ବିଷୟ ଇଟାଭାଟିରେ କାମ କରିବାକୁ ଚାଲିଯିବାରୁ ପରୀକ୍ଷା ଦେଇପାରି ନାହାନ୍ତି । ଶୁଣି ନିଅନ୍ତୁ କଣ କହୁଛନ୍ତି ସୁମନ୍ତ ।

ନନ୍ଦିନୀ ଡାକୁଆ । ଘର ଧରାକୋଟ ବ୍ଲକ ସୁନାପଲ୍ଲି ଗାଁରେ । ସେ ଫର୍ମଫିଲଅପ୍ କରିଥିଲେ ବି ପରୀକ୍ଷା ଦେଇନାହାଁନ୍ତି । ନନ୍ଦିନୀ ଶାରିରୀକ ଭାବେ ଅସୁସ୍ଥ ଥିବାରୁ ତାଙ୍କୁ ସହଯୋଗ କରିବା ପାଇଁ ଆଉ ଜଣେ ସାଂଗରେ ଯିବାକୁ ବ୍ୟବସ୍ଥା ହୋଇଥିଲା । କିନ୍ତୁ ପରୀକ୍ଷା କେନ୍ଦ୍ରରେ ସହଯୋଗୀଙ୍କୁ ନଛାଡିବାରୁ ନନ୍ଦିନି ପରୀକ୍ଷା ଦେଇପାରିନଥିବା କହିଛନ୍ତି ତାଙ୍କ ମା’ ।

ସିପ୍ରା ସରକାର । ଘର ଏମ୪୪, ମାଲକାନଗିରି । ସେ ମାଲକାନଗିରି ନୋଡାଲ ଉଚ୍ଚବିଦ୍ୟାଳୟରେ ପରୀକ୍ଷା ଦେବାକୁ ଫର୍ମଫିଲଅପ୍ କରିଥିଲେ । କିନ୍ତୁ ବାପା ଦାଦନ ଖଟିବାକୁ ଯାଇଥିବାରୁ ଓ ପରୀକ୍ଷା କେନ୍ଦ୍ରର ଦୂରତା ଘରଠାରୁ ୧୦କିଲୋମିଟର ହୋଇଥିବାରୁ ପରୀକ୍ଷା ଦେଇପାରି ନାହାଁନ୍ତି ।

ବାଲେଶ୍ୱର ଜିଲ୍ଲାର ସ୍ୱର ବ୍ଲକରେ ସବୁଠାରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେଇନାହାନ୍ତି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି କିଛି ଛାତ୍ରୀ ଏହା ଭିତରେ ବିବାହ କରି ଯାଇଥିବାରୁ ପରୀକ୍ଷା ଦେଇନଥିବା କହିଛନ୍ତି ଶିକ୍ଷକ ।

କେବଳ ଏମାନେ ନୁହଁନ୍ତି, ପରୀକ୍ଷା ଦେଇନଥିବା ଅଧିକାଂଶ ଛାତ୍ରଛାତ୍ରୀ ସମାନ କାରଣରୁ ପରୀକ୍ଷା ଦେଇନଥିବା ଚର୍ଚ୍ଚା ହେଉଛି । ଯାହାକି ଏକ ଚିନ୍ତାର ବିଷୟ । ଆଉ ଏହି ତଥ୍ୟ ଶିକ୍ଷା ଓ ସାମାଜିକ ବ୍ୟବସ୍ଥା ଉପରେ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି । ତେବେ ଏହି ପ୍ରସଙ୍ଗରେ ଗଣଶିକ୍ଷାମନ୍ତ୍ରୀ କହିଛନ୍ତି, କାହିଁକି ପିଲାମାନେ ପରୀକ୍ଷା ଦେଇନାହାନ୍ତି, ସେ ନେଇ ଘରକୁ ଘର ବୁଲି ସର୍ଭେ କରାଯିବ । କାରଣ କଣ ଖୋଜାଯିବ ।

ତେବେ କେତେ ପିଲା ଅନୁପସ୍ଥିତ ଅଛନ୍ତି,ସେ ନେଇ ବିଭାଗ ପାଖରେ ସଠିକ୍ ତଥ୍ୟ ନାହିଁ । ଏବେ ପ୍ରଶ୍ନ ଉଠୁଛି, ଫର୍ମଫଲଅପ୍ ହୋଇଥିବା ସମସ୍ତ ପିଲା ପ୍ରକୃତରେ ଅଛନ୍ତି ନା ନାହିଁ? ନା ପିଲା ନଥାଇ କେବଳ ଫର୍ମଫିଲଅପ୍ କରାଯାଇଥିଲା? ସ୍କୁଲରେ ପଢ଼ୁଥିବା ଛାତ୍ରୀମାନଙ୍କର ବିବାହ ହୋଇଗଲା କେମିତି?