‘୫-ଟି’କୁ ନେଇ ପ୍ରଶ୍ନ ଉଠାଇଲେ ବିରୋଧୀ: କେଉଁଠି ଅଛି ଅଫିସ? କର୍ମଚାରୀମାନେ କିଏ?

419

କନକ ବ୍ୟୁରୋ: ବିଧାନସଭାରେ ‘ଫାଇଭ-ଟି’କୁ ନେଇ ମୁହାଁମୁହିଁ ହୋଇଛନ୍ତି ଶାସକ ଦଳ ଓ ବିରୋଧୀ । ଶୂନ୍ୟ କାଳରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଫାଇଭ-ଟି ପ୍ରସଙ୍ଗ ଉଠାଇବା ପରେ ଶାସକ ଦଳର ସଦସ୍ୟ ଏହାକୁ ନେଇ ପ୍ରତିକ୍ରିୟାଶୀଳ ହୋଇଥିଲେ ।

ଜୟନାରାୟଣଙ୍କ ପ୍ରଶ୍ନ ଥିଲା –
‘୫-ଟି’ ଏକ ବିଭାଗ କି?
ଯଦି ଏହା ବିଭାଗ ତେବେ ଏହାର ଅଫିସ କେଉଁଠି ଅଛି?
ଅନ୍ୟ କର୍ମଚାରୀମାନେ କିଏ?
ଅନ୍ୟ ବିଭାଗକୁ ସଂକୁଚିତ କରିବା ପାଇଁ ଏପରି କରାଯାଇଛି କି?

ଏହି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ସ୍ପଷ୍ଟୀକରଣ ଲୋଡିଥିଲେ ବିରୋଧୀ ଦଳ ନେତା । ଗୃହ ବାହାରେ କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର ମଧ୍ୟ ୫-ଟି ଉପରେ ପ୍ରଶ୍ନ ଉଠାଇଥିଲେ । କହିଥିଲେ, ଏହା ଏକ ଆଡମିନିଷ୍ଟ୍ରେଟିଭ୍ ଅର୍ଡରରେ ହୋଇ ଥାଇପାରେ । ବିଧିବ୍ୟବସ୍ଥା ଭିତରେ ମୁଖ୍ୟ ଶାସନ ସଚିବ ସର୍ବେସର୍ବା, ତା ଉପରେ ମନ୍ତ୍ରିମଣ୍ଡଳ ଓ ମୁଖ୍ୟମନ୍ତ୍ରୀ ।

ଏହାର ଜବାବ ଦେଇ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି କହିଛନ୍ତି –
ବିରୋଧୀ ଦଳ ନେତାଙ୍କ ବୟାନ ହାସ୍ୟାସ୍ପଦ
‘୫-ଟି’ ଏକ ନିର୍ଦ୍ଦିଷ୍ଟ ବିଭାଗ ହୋଇନପାରେ
ଏହା ମୁଖ୍ୟମନ୍ତ୍ରୀଙ୍କ ଚିନ୍ତାଧାରା, ମହାମନ୍ତ୍ର ଭଳି କାମ କରୁଛି
ଶାସନ ବ୍ୟବସ୍ଥାକୁ କ୍ରିୟାଶୀଳ କରିବାକୁ ‘୫-ଟି’ ବ୍ୟବସ୍ଥା

ସରକାରୀ ଦଳ ମୁଖ୍ୟ ସଚେତକ କହିଛନ୍ତି ତଳସ୍ତରର ବିଭିନ୍ନ ଅନିୟମିତତା ସଂପର୍କରେ ଲୋକେ ‘୫-ଟି’କୁ ଜଣାଉଛନ୍ତି । ଫଳରେ ଅନେକ ସମସ୍ୟାର ସମାଧାନ ହୋଇପାରୁଛି । ପଂଚମ ଥର ପାଇଁ କ୍ଷମତାକୁ ଆସିବା ପରେ ୨୦୧୯ ଅକ୍ଟୋବରରେ ‘୫-ଟି’ ଓ ‘ମୋ ସରକାର’ ଅଭିଯାନ ଆରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାର ଦାୟିତ୍ୱ ନେଇଥିଲେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କେ ପାଣ୍ଡିଆନ୍ । ଗୋଟିଏ ପରେ ଗୋଟିଏ ବିଭାଗ ‘୫-ଟି’ ସହ ଯୋଡି ହୋଇଥିଲା । ‘୫-ଟି’ ହେଉଛି – ଟ୍ରାନ୍ସପରେନ୍ସି, ଟେକ୍ନୋଲୋଜି, ଟିମ୍-ୱାର୍କ, ଟାଇମ୍, ଟ୍ରାନ୍ସଫର୍ମେସନ୍ । ସରକାର କହିଥିଲେ, ଏହି ଅଭିଯାନ ବ୍ୟବସ୍ଥାରେ ସ୍ୱଚ୍ଛତା ଆଣିବା ସହ ବିଭାଗଗୁଡ଼ିକୁ ଅଧିକ କ୍ରିୟାଶୀଳ କରିବ ।