ଶପଥ ଗ୍ରହଣ ପରେ ପ୍ରତିଶ୍ରୁତି ପାଳନ କରିବେ ନବୀନ । ୭ରୁ ୮ ଲକ୍ଷ ଚାଷୀଙ୍କ ଆକାଉଣ୍ଟକୁ ଆସିପାରେ ୧୦ ହଜାର ଲେଖାଏଁ ‘କାଳିଆ’ ଟଙ୍କା ।

441

କନକ ବ୍ୟୁରୋ : ନିର୍ବାଚନ ପ୍ରଚାରବେଳେ ଦେଇଥିବା ପ୍ରତିଶ୍ରୁତି ପୂରଣ କରିବେ ନବୀନ ପଟ୍ଟନାୟକ । ଶପଥ ଗ୍ରହଣ ଉତ୍ସବ ଦିନ ତାଲିକା କରାଯାଇଥିବା ପ୍ରାୟ ୨୫ଲକ୍ଷ ଚାଷୀଙ୍କୁ କାଳିଆ ଟଙ୍କା ମିଳିବ । ଅର୍ଥାତ ୨୯ ତାରିଖ ଦିନ ହିଁ ବାକି ରହିଯାଇଥିବା ଚାଷୀଙ୍କୁ କାଳିଆ ଟଙ୍କା ମିଳିବ ବୋଲି ସୂଚନା ମିଳିଛି ।

ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏହି ପ୍ରତିଶ୍ରୁତି ଏବେ ପୂରଣ ହେବାର ବେଳ ଆସିଛି । ଆସନ୍ତା ୨୯ ତାରିଖରେ ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଛନ୍ତି ନବୀନ । ଏନେଇ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଯାଇଛି ।

ଶପଥଗ୍ରହଣ ପରେ ପ୍ରତିଶ୍ରୁତି ପାଳନର ବେଳ । ଅପେକ୍ଷା କରିଛନ୍ତି ‘କାଳିଆ’ ଟଙ୍କା ପାଇନଥିବା ଚାଷୀ । ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ନବୀନ ପ୍ରଥମେ ତାଙ୍କର ସବୁଠାରୁ ବଡ ପ୍ରତିଶ୍ରୁତି ପାଳନ କରିବାକୁ ଯାଉଛନ୍ତି । ସମ୍ଭାବନା ଅଛି, ଶପଥ ଗ୍ରହଣ ଉତ୍ସବ ସରିବା ପରେ, ସଚିବାଳୟକୁ ଆସି ମୁଖ୍ୟମନ୍ତ୍ରୀ ପ୍ରଥମେ ଏହି ଘୋଷଣା କରିବେ ।

ଖରିଫ ଏବଂ ରବି ଋତୁରେ ୫ ହଜାର ଟଙ୍କା ଲେଖାଏଁ ସହାୟତା ଦେବାକୁ ରାଜ୍ୟ ସରକାର ପ୍ରତିଶ୍ରୁତି ଦେଇଥିବା ବେଳେ, ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ଦୃଷ୍ଟିରୁ ନିର୍ବାଚନ କମିଶନ, ଏହି ଟଙ୍କା ବଣ୍ଟନକୁ ବନ୍ଦ କରିଦେଇଥିଲେ । ଆଉ ଏହାକୁ ବିଜୁ ଜନତା ଦଳ ନିର୍ବାଚନୀ ପ୍ରସଙ୍ଗ ମଧ୍ୟ ବନାଇଥିଲା । ତେଣୁ ଏଥର ଦୁଇଟି ଋତୁର ମିଶାଇ ପ୍ରତ୍ୟେକ ଚାଷୀଙ୍କ ଆକାଉଣ୍ଟକୁ ୧୦ ହଜାର ଲେଖାଏଁ ଟଙ୍କା ପଠାଇବେ ବୋଲି ସୂଚନା ମିଳିଛି । ଶପଥଗ୍ରହଣ ପରେ ପରେ ଏହି ପ୍ରକ୍ରିୟା ଆରମ୍ଭ ହେବ ବୋଲି ସୂଚନା ମିଳିଛି ।

୨୦୧୮-୧୯ ରୁ ୨୦୨୦-୨୧ ଯାଏଁ ୩ ବର୍ଷ ମଧ୍ୟରେ ଏହି ଯୋଜନାରେ ଚାଷୀଙ୍କୁ ସହାୟତା ଦେବାର ବ୍ୟବସ୍ଥା ରହିଛି । ଉଭୟ କୃଷିକାମ କରୁଥିବା ଚାଷୀ ଏବଂ ଜମିହୀନଙ୍କୁ ମଧ୍ୟ ସହାୟତା ଦେବାର ପ୍ରାବଧାନ ରହିଛି । ଏଥିପାଇଁ ୩ ବର୍ଷ ମଧ୍ୟରେ ସରକାର ୧୦ ହଜାର ୧୮୦ କୋଟି ଟଙ୍କା ଖର୍ଚ୍ଚ କରିବେ ।