ପଲିଟିକ୍ସ ପରୀକ୍ଷାରେ ପ୍ରମିଳା ପାସ୍ । ଜଣେ ସାଧାରଣ ଏସଏଚଜି ସଂଗଠକରୁ ସଂସଦ ପର୍ଯ୍ୟନ୍ତ ରାସ୍ତା ।

928

କନକ ବ୍ୟୁରୋ: ଆଜି ନବନିର୍ବାଚିତ ବିଜେଡି ସଂସଦୀୟ ଦଳର ବୈଠକରେ ଦେଖିବାକୁ ମିଳିଥିଲା ପ୍ରମିଳା ବିଶୋୟୀଙ୍କୁ । ଆସିକା ଲୋକସଭା ଆସନରୁ ନିକଟ ପ୍ରତିଦ୍ୱନ୍ଦୀଙ୍କୁ ବିପୁଳ ଭୋଟରେ ହରାଇ ସାଂସଦ ବନିଛନ୍ତି ପ୍ରମିଳା । ଭାରତୀୟ ଗଣତନ୍ତ୍ରର ମୌଳିକ ମୂଳ୍ୟବୋଧ ଯୋଗୁଁ ପ୍ରମିଳାଙ୍କ ଭଳି ଜଣେ ସାଧାରଣ ମହିଳା ହୋଇପାରିଛନ୍ତି ଜନ ପ୍ରତିନିଧି ।

ପ୍ରମିଳା ବିଶୋୟୀ । ଆସିକାର ନବନିର୍ବାଚିତ ସାଂସଦ । ପ୍ରମିଳା ବିଶୋୟୀ ସାଂସଦ ଭାବେ ନିର୍ବାଚିତ ହେବା, ଭାରତୀୟ ଗଣତନ୍ତ୍ରର ସୌନ୍ଦର୍ଯ୍ୟକୁ ଆହୁରି ପ୍ରସ୍ଫୁଟିତ କରିଛି । ଜଣେ ସାଧାରଣ ଆପାଠୁଆ ମହିଳା ଆଜି ହୋଇପାରିଛନ୍ତି ଦେଶର ସର୍ବୋଚ୍ଚ ନୀତି ନିର୍ଦ୍ଧାରକ ଅନୁଷ୍ଠାନର ସଦସ୍ୟା । ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ସାଙ୍ଗଠିକାରୁ ପାର୍ଲାମେଂଟକୁ ଯାଇ ପାରିଛନ୍ତି ପ୍ରମିଳା । ଆଜି ନବନିର୍ବାଚିତ ବିଜେଡି ସଂସଦୀୟ ଦଳର ବୈଠକରେ ସାମିଲ ହୋଇଛନ୍ତି ସାଧାରଣରୁ ଅସାଧାରଣ ବନିଥିବା ପ୍ରମିଳା ବିଶୋୟୀ ।

ମହିଳାଙ୍କୁ ୩୩ ପ୍ରତିଶତ ସଂରକ୍ଷଣ ପାଇଁ ଅଭିଯାନ ଆରମ୍ଭ କରିଥିବା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ, ଯେତେବେଳେ ଆସିକା ଲୋକସଭା ପାଇଁ ପ୍ରମିଳା ବିଶୋୟୀଙ୍କୁ ପ୍ରାର୍ଥୀ ଘୋଷଣା କରିଥିଲେ, ତାହା ସମସ୍ତଙ୍କୁ ଚମକାଇ ଦେଇଥିଲା । ଆଲୋଚନା ଓ ସମାଲୋଚନା ଭିତରେ ବିପୁଳ ଜନାଦେଶ ପାଇଁ ପ୍ରମିଳା ବନିଛନ୍ତି ସାଂସଦ । ପ୍ରଥମରୁ ହିଁ ନିଜ ଢଙ୍ଗରେ ପାର୍ଲାମେଂଟରେ ପ୍ରସଙ୍ଗ ଉଠାଇବେ ବୋଲି କହିଛନ୍ତି ପ୍ରମିଳା ।

ଏମପି ବନିବା ପରେ କିପରି ପାର୍ଲାମେଂଟରେ ପ୍ରମିଳା ପ୍ରଦର୍ଶନ କରିବେ, ତାହା ଉପରେ ଯେତିକି ନଜର ରହିଛି, ଭାରତୀୟ ଗଣତନ୍ତ୍ର ସେତିକି ମଜବୁତ ହୋଇଛି ପ୍ରମିଳାଙ୍କ ପରି ଜଣେ ସାଧାରଣ ମହିଳାଙ୍କୁ ଜନପ୍ରତିନିଧିର ସମ୍ମାନ ଦେଇ । ପ୍ରତିଷ୍ଠା, ପ୍ରଭାବ ଭଳି ଅନେକ ପ୍ରତିବନ୍ଧକୁ ପଛରେ ପକାଇ ଏହା କେବଳ ସମ୍ଭବ ହୋଇ ପାରିଛି, ଭାରତୀୟ ଗଣତନ୍ତ୍ରର ମୌଳିକ ମୂଲ୍ୟବୋଧ ଯୋଗୁଁ ।