ବିଧାୟକ ଦଳ ବୈଠକରେ ନେତା ନିର୍ବାଚିତ ହେଲେ ନବୀନ । ଓଡ଼ିଶାରେ ସରକାର ଗଠନ ନେଇ ପ୍ରକ୍ରିୟା ଆରମ୍ଭ, ୨୯ରେ ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନବୀନ ।

138

କନକ ବ୍ୟୁରୋ : ପଂଚମଥର ପାଇଁ ବିଧାୟକ ଦଳ ନେତା ନିର୍ବାଚିତ ହେଲେ ନବୀନ । ନିର୍ବାଚନରେ ବିଜୟୀ ୧୧୨ ବିଧାୟକଙ୍କୁ ନେଇ ଆଜି ବିଜେଡି କାର୍ଯ୍ୟାଳୟରେ ବସିଥିଲା ବୈଠକ । ଏଠାରେ ସର୍ବସମ୍ମତିରେ ନବୀନଙ୍କୁ ନେତା ନିର୍ବାଚନ କରାଯାଇଥିଲା । ଏହାପରେ ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ପାଇଁ ଦାବି ଜଣାଇଥିଲେ ବିଜେଡି ସୁପ୍ରିମୋ । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ମଧ୍ୟ ରାଜ୍ୟପାଳଙ୍କୁ ଭେଟି ବିଜେଡି ସଂଖ୍ୟା ଗରିଷ୍ଠ ଦଳ ଭାବେ ଉଭା ହୋଇଥିବା ଜଣାଇବା ସହ ବିଜୟୀ ସଦସ୍ୟଙ୍କ ତାଲିକା ଦେଇଛନ୍ତି । ଏହା ପରେ ନବୀନଙ୍କୁ ସରକାର ଗଠନ ପାଇଁ ଆମନ୍ତ୍ରଣ ଜଣାଇଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଷୀ ଲାଲ । ଆଗାମୀ ୨୯ ତାରିଖରେ ଶପଥ ନେବାକୁ ଯାଉଛନ୍ତି ନୂଆ ସରକାର ।

ନୂଆ ସରକାର ଗଠନ ପାଇଁ ଉଦ୍ୟମ ଆରମ୍ଭ କରିଛି ବିଜେଡି । ଏଥିପାଇଁ ଆଜି ଦଳର ନବନିର୍ବାଚିତ ୧୧୨ ବିଧାୟକଙ୍କ ବୈଠକ ଦଳୀୟ କାର୍ଯ୍ୟାଳୟରେ ବସିଥିଲା । ଏଠାରେ ପାର୍ଟି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ପଂଚମଥର ପାଇଁ ସର୍ବସମ୍ମତିରେ ବିଧାୟକ ଦଳ ନେତା ନିର୍ବାଚିତ କରାଯାଇଛି ।

ବିଜେଡିରେ ନବୀନ ସର୍ବମାନ୍ୟ ନେତା । ତାଙ୍କରି ନେତୃତ୍ୱରେ ଦଳ ନିର୍ବାଚନରେ ଚମତ୍କାର ପ୍ରଦର୍ଶନ କରିଛି । ତେଣୁ ତାଙ୍କ ନେତା ନିର୍ବାଚନ କରିବା କେବଳ ଏକ ଔପଚାରିକତା ଥିଲା । ଭଞ୍ଜନଗର ବିଧାୟକ ବିକ୍ରମ କେଶରୀ ଆରୁଖ ଏଥିପାଇଁ ପ୍ରସ୍ତାବ ଆଣିଥିବାବେଳେ ଏହାକୁ ସମର୍ଥନ ଜଣାଇଥିଲେ ଦଳର ୯ଜଣ ମହିଳା ବିଧାୟକ ।

୧୧୨ ବିଧାୟକ ସହ ନିର୍ବାଚନରେ ସବୁଠାରୁ ବଡ ଦଳ ଭାବେ ଉଭା ହୋଇଛି ବିଜୁ ଜନତା ଦଳ । ଏନେଇ ରାଜ୍ୟପାଳଙ୍କୁ ଅବଗତ କରାଇଛନ୍ତି ନିର୍ବାଚନ କମିଶନ୍ । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ଆଜି ରାଜ୍ୟପାଳଙ୍କୁ ଭେଟି ନବନିର୍ବାଚିତ ବିଧାୟକଙ୍କ ତାଲିକା ଦେଇଛନ୍ତି । ରାଜ୍ୟରେ ୪ଟି ପର୍ଯ୍ୟାୟରେ ୧୪୬ଟି ଆସନ ପାଇଁ ନିର୍ବାଚନ ହୋଇଥିଲା । ଗତ ୨୩ ତାରିଖରେ ପ୍ରକାଶିତ ନିର୍ବାଚନ ଫଳାଫଳ ଅନୁସାରେ ବିଜେଡିର ୧୧୨, ବିଜେପିର ୨୩, କଂଗ୍ରେସର ୯, ସିପିଏମ ଓ ଜେଏମଏମର ଜଣେ ଲେଖାଏଁ ବିଧାୟକ ନିର୍ବାଚିତ ହୋଇଛନ୍ତି ।

ସର୍ବସମ୍ମତିରେ ନେତା ନିର୍ବାଚିତ ହେବା ପରେ ସିଧା ରାଜଭବନ ଅଭିମୁଖେ ବାହାରିଥିଲେ ନବୀନ । ରାଜ୍ୟପାଳ ପ୍ରଫେସର ଗଣେଷୀ ଲାଲଙ୍କୁ ଭେଟି ସରକାର ଗଢିବା ପାଇଁ ଦାବି ଜଣାଇଥିଲେ । ରାଜ୍ୟପାଳ ମଧ୍ୟ ଦାବିପତ୍ର ପାଇବା ପରେ ସରକାର ଗଠନ ପାଇଁ ନବୀନଙ୍କୁ ଆମନ୍ତ୍ରଣ କରିଛନ୍ତି । ଆଗାମୀ ୨୯ ତାରିଖରେ ରେକର୍ଡ ପଂଚମଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଛନ୍ତି ନବୀନ ପଟ୍ଟନାୟକ । ପ୍ରାୟ ୫ ହଜାର ଲୋକଙ୍କ ଉପସ୍ଥିତିରେ ଭୁବନେଶ୍ୱର ଇଡକୋ ପ୍ରଦର୍ଶନୀ ପଡିଆରେ ନୂଆ ସରକାରଙ୍କ ଶପଥ ସମାରୋହ ପାଇଁ ବିଜେଡି ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଛି ।

ସେପଟେ ଆସନ୍ତା ୨୯ ତାରିଖରେ ଓଡିଶାରେ ଶପଥ ନେବ ନୂଆ ସରକାର । ପଂଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ନବୀନ ପଟ୍ଟନାୟକ । ଭୁବନେଶ୍ୱରର ୟୁନିଟ ୩ ସ୍ଥିତ ଇଡକୋ ପ୍ରଦର୍ଶନୀ ପଡିଆରେ ଏହି ଶପଥ ଗ୍ରହଣ ସମାରୋହ ଉତ୍ସବ ହେବ । ଏହି ଉତ୍ସବରେ ବହୁ ଶିଳ୍ପପତିଙ୍କ ସମେତ ଦେଶର ବଡ ବଡ ନେତା ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ୫ ହଜାରରୁ ଉଦ୍ଧ୍ୱର୍ ଲୋକ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି । ଏଥିପାଇଁ ଇଡକୋ ଗ୍ରାଉଣ୍ଡର ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ପୋଲିସ ଡିଜି । ଡିଜି କହିଛନ୍ତି ପୋଲିସ କମିଶନର ସତ୍ୟଜିତ୍ ମହାନ୍ତିଙ୍କୁ ସୁରକ୍ଷା ବ୍ୟବସ୍ଥାର ଦାୟିତ୍ୱ ଦିଆଯାଇଛି । ଏହା ସହିତ ବିଭିନ୍ନ ସ୍ଥାନରେ ଲାଗିବ ସିସିଟିଭି କ୍ୟାମେରା ଲଗାଯିବାର ବ୍ୟବସ୍ଥା କରାଯାଇଛି । ଇଡକୋ ପ୍ରଦର୍ଶନୀ ପଡିଆର ନିକଟରେ ଥିବା ବଡ ବଡ କୋଠାଗୁଡିକୁ ସୁରକ୍ଷା ଦୃଷ୍ଟିରୁ ନିଜ ଦାୟିତ୍ୱକୁ ନିଆଯିବ ବୋଲି କହିଛନ୍ତି ପୋଲିସ ଡିଜି । ଏହା ସହିତ ଯେପରି ଟ୍ରାଫିକ୍ ସମସ୍ୟା ଦେଖାନଦିଏ, ସେଥିପ୍ରତି ଅଧିକ ପ୍ରାଥମିକତା ଦିଆଯିବ ବୋଲି ପୋଲିସ ଡିଜି କହିଛନ୍ତି ।