ଟ୍ରାକ୍ଟର ରାଲି ପରେ ଆଗାମୀ ୧୮ ତାରିଖରେ ୪ ଘଣ୍ଟିଆ ରେଳରୋକ୍ କରିବେ ଆନ୍ଦୋଳନରତ କୃଷକ । ୧୨ ତାରିଖରୁ ରାଜସ୍ଥାନର ସମସ୍ତ ଟୋଲଗେଟ୍ ଜାମ୍ କରିବେ ଚାଷୀ

75

କନକ ବ୍ୟୁରୋ : ଦିନକୁ ଦିନ ଦେଶରେ ଚାଷୀ ଆନ୍ଦୋଳନ ଉଗ୍ରରୂପ ନେବାରେ ଲାଗିଛି । ଜାନୁଆରୀ ୨୬ ତାରିଖରେ କୃଷକ ମାନେ ଟ୍ରାକ୍ଟର ରାଲି କରିଥିଲେ । ହେଲେ କିଛି ସୁଫଳ ନ ମିଳିବାରୁ ଚଳିତ ମାସ ୧୮ ତାରିଖରେ ସାରା ଦେଶରେ ୪ ଘଂଟା ପାଇଁ ରେଳରୋକ୍ କରିବାକୁ ପ୍ରସ୍ତୁତି ହେଉଛନ୍ତି ଚାଷୀ ସଂଗଠନ ମାନେ । ଏହା ସହ ୧୨ ତାରିଖ(ଆସନ୍ତା କାଲି) ଠାରୁ ରାଜସ୍ଥାନର ସମସ୍ତ ଟୋଲଗେଟ୍ ଆଗରେ କୃଷକ ମାନେ ଆନ୍ଦୋଳନ କରିବେ ଓ ଟୋଲ ଫି ଆଦାୟ କରିବାକୁ ଦେବେ ନାହିଁ ବୋଲି କୃଷକ ସଂଗଠନ ମାନଙ୍କ ପକ୍ଷରୁ କୁହାଯାଇଛି । ସୂଚନା ମୂୁତାବକ ୧୮ ତାରିଖ ମଧ୍ୟାହ୍ନ ୧୨ ଟାରୁ ଅପରାହ୍ନ ୪ ଟା ଯାଏ କୃଷକ ମାନେ ସାରା ଦେଶର ରେଳ ଧାରଣା ଉପରେ ବସି ରହି ରେଳ ଚଳା ଚଳ ବନ୍ଦ କରିବେ । କହିରଖୁ କି ଗତ ୬ ତାରିଖ ଦିନ ବି ନୂତନ କୃଷିବିଲ୍ ପ୍ରତ୍ୟାହାର ଦାବିରେ ସାରା ଦେଶରେ କୃଷକ ମାନେ ୩ ଘଂଟିଆ ଚକାଜାମ୍ ଆନ୍ଦୋଳନ କରିଥିଲେ ।

କେନ୍ଦ୍ର ସରକାରଙ୍କ ଦ୍ୱାରା ପାରିତ ୩ ଟି କୃଷି ଆଇନକୁ ପ୍ରତ୍ୟାହାର ଓ ଏମଏସପିକୁ ଆଇନର ମାନ୍ୟତା ଦେବା ଦାବିରେ ୭୭ ଦିନ ଧରି କୃଷକ ମାନେ ଦେଶର ବିଭିନ୍ନ ସୀମାରେ ଆନ୍ଦୋଳନ ଜାରି ରଖିଛନ୍ତି । କୃଷକ ମାନେ ଅଭିଯୋଗ ଆଣିଛନ୍ତି କି ନୂତନ କୃଷି ଆଇନ ଲାଗୁ ହେବା ପରେ ଏମଏସପି ଓ ମଣ୍ଡି ବ୍ୟବସ୍ଥା ଦୁର୍ବଳ ହୋଇଯିବ । ଯାହାର ଫାଇଦା କର୍ପୋରେଟ୍ ହାଉସ ମାନେ ଉଠାଇବେ । ଏହି ଆନ୍ଦୋଳନ ପରେ ଯଦି ସରକାର କୃଷକ ମାନଙ୍କ ଦାବି ଉପରେ କିଛି ନିଷ୍ପତ୍ତି ନ ନିଅନ୍ତି ତାହେଲେ କୃଷକ ମାନେ ଦେଶର ସବୁ ପଂଚାୟତରେ ସମାବେଶ କରିବେ ବୋଲି ସୂଚନା ଦେଇଛନ୍ତି । ପ୍ରଥମେ ଉତ୍ତରପ୍ରଦେଶ, ହରିଆଣା, ଦିଲ୍ଲୀ ଓ ପଞ୍ଜାବ ଭଳି ରାଜ୍ୟ ମାନଙ୍କରେ ପଂଚାୟତ ସ୍ତରୀୟ ସମାବେଶ କରାଯିବ ।