ରାଜ୍ୟରେ ମେଟ୍ରୋ ସ୍ୱପ୍ନ ଚୂରମାର : ରାଜ୍ୟସଭାରେ ମନ୍ତ୍ରୀ କହିଲେ, ଓଡିଶା ଦେଇନାହିଁ ପ୍ରସ୍ତାବ

ଗୃହରେ ସାଂସଦ ଅଶ୍ୱିନୀ ବୈଷ୍ଣବ ଉଠାଇଥିଲେ ପ୍ରସଙ୍ଗ; ବଡ ପ୍ରଶ୍ନ, କେବେ ହେବ କାର୍ଯ୍ୟକାରୀ

675

କନକ ବ୍ୟୁରୋ : ମେଟ୍ରୋ ରେଳ ନେଟୱର୍କ ବିକାଶ ପାଇଁ ରାଜ୍ୟ ସରକାରଙ୍କ ଠାରୁ ଏପର୍ଯ୍ୟନ୍ତ କୌଣସି ପ୍ରସ୍ତାବ ମିଳିନାହିଁ ବୋଲି ରାଜ୍ୟସଭାରେ ଗୃହନିର୍ମାଣ ଓ ନଗରାଂଚଳ ମନ୍ତ୍ରୀ ହରଦିପ୍ ସିଂ ପୁରୀ କହିଛନ୍ତି । ଓଡ଼ିଶାରେ ମେଟ୍ରୋ ରେଳ ନେଟୱର୍କ ପାଇଁ କୌଣସି ଯୋଜନା ଅଛି କି ବୋଲି ରାଜ୍ୟସଭାରେ ପ୍ରଶ୍ନ କରିଥିଲେ ସାଂସଦ ଅଶ୍ୱିନୀ ବୈଷ୍ଣବ । ତେବେ ତାଙ୍କ ପ୍ରଶ୍ନର ଉତର ଦେଇ ମନ୍ତ୍ରୀ ହରଦିପ୍ ସିଂ ପୁରୀ କହିଛନ୍ତି, ଏହା ରାଜ୍ୟ ସରକାରଙ୍କ ଦାୟିତ୍ୱ । ରାଜ୍ୟ ସରକାର ପ୍ରସ୍ତାବ ରଖିଲେ କେନ୍ଦ୍ର ସରକାର ସହରାଂଚଳରେ ମେଟ୍ରୋ ରେଳ ଯୋଜନା ପାଇଁ ଆର୍ଥିକ ସହାୟତା ଯୋଗାଇଥାଆନ୍ତି । କିନ୍ତୁ ଓଡ଼ିଶା ସରକାରଙ୍କ ପକ୍ଷରୁ ଏଯାଏଁ ମେଟ୍ରୋ ରେଳ ବିକାଶ ପାଇଁ କୌଣସି ପ୍ରସ୍ତାବ ଆସିନାହିଁ ବୋଲି ହରଦିପ୍ ସିଂ ପୁରୀ କହିଛନ୍ତି ।

ଜାଣନ୍ତୁ କେତେ ଦୂର ଆଗେଇଛି କାମ ?

– ମେଟ୍ରୋ ଟ୍ରେନ ଚଳାଚଳ ଆରମ୍ଭ କରିବାକୁ ହେଲେ କେନ୍ଦ୍ର ସରକାରଙ୍କ ଅନୁମତି ଦରକାର
– ଭୁବନେଶ୍ୱରରୁ କଟକକୁ ମେଟ୍ରୋ ସେବା ଆରମ୍ଭ କରିବାକୁ ପ୍ରସ୍ତାବ
– ନିର୍ବାଚନୀ ଇସ୍ତାହାରରେ ପ୍ରତିଶ୍ରୃତି ଦେଇଥିଲା ବିଜେଡି
– କେନ୍ଦ୍ର ବଜେଟରେ ମେଟ୍ରୋ ରେଳ ପାଇଁ ୮୭, ୮୧୩ କୋଟି ଟଙ୍କା ଘୋଷଣା ହୋଇଥିଲା
– ଏହା ପରେ ରାଜ୍ୟରେ ମେଟ୍ରୋ ଗଡିବା ଆଶା ସଂଚାର ହୋଇଥିଲା
– ରାଜ୍ୟପାଳ ଅଭିଭାଷଣରେ ମେଟ୍ରୋ ଟ୍ରେନ ଗଡିବ ବୋଲି କହିଥିଲେ
– କିଏ ସର୍ଭେ କରିବ ପରିବହନ ନା ନଗର ଉନ୍ନୟନ ବିଭାଗ ତାହା ଏ ଯାଏଁ ସ୍ଥିର ହୋଇନି
– କ୍ୟାପିଟାଲ ରିଜିଅନ ଅର୍ବାନ ଟ୍ରାନ୍ସପୋର୍ଟ, କ୍ରୁଟ ନିକଟରେ କୌଣସି ଖବର ନାହିଁ
– ରାଜଧାନୀ ଓ ଆଖପାଖ ଅଂଚଳରେ ପରିବହନ ସେବା ପାଇଁ ଗଠନ ହୋଇଛି କ୍ରୁଟ
– କେତେ କିମି ଅଂଚଳରେ ହେବ, କେତେ ଜମି ଅଧିଗ୍ରହଣ ହେବ , କେଉଁ ରୁଟରେ ହେବ ନେଇ ଆଲୋଚନା ହୋଇନାହିଁ