ଦିଲ୍ଲୀ ସିଂଘୁ ସୀମାରେ ସଂଘର୍ଷ । ଆନ୍ଦୋଳନରତ ଚାଷୀ-ସ୍ଥାନୀୟ ବାସିନ୍ଦା ମୁହାଁମୁହିଁ । ସ୍ଥିତି ଅସମ୍ଭାଳ ହେବାରୁ ପୋଲିସର ଲାଠି ଚାର୍ଜ, ଲୁହବୁହା ଗ୍ୟାସ ମାଡ଼ ।

128

କନକ ବ୍ୟୁରୋ : ସାଧାରଣତନ୍ତ୍ର ଦିବସରେ କୃଷକ ଟ୍ରାକ୍ଟର ରାଲି ସମୟରେ ହୋଇଥିବା ହିଂସାକାଣ୍ଡ ଯୋଗୁଁ ତିନି ଦିନ ହେଲା ସିଂଘୁ ସୀମାରେ ଚାପା ଉତେଜନା ଲାଗି ରହିଛି । ଉତେଜନାକୁ ନଜରରେ ରଖି ସୀମାରେ ବହୁ ସଂଖ୍ୟାରେ ସୁରକ୍ଷା ବଳଙ୍କୁ ନିୟୋଜିତ କରାଯାଇଛି । କିନ୍ତୁ ଗୁରୁବାର ଚାଷୀ ନେତା ରାକେଶ ଟିକାୟତଙ୍କ ଡାକରା ପରେ ପୁଣି ଥରେ ଚାଷୀ ଆନ୍ଦୋଳନ ତେଜିବା ସହ ହିଂସାକାଣ୍ଡର ଆଶଙ୍କା କରି ଶୁକ୍ରବାର ସକାଳୁ ସକାଳୁ ସୁରକ୍ଷା ବ୍ୟବସ୍ଥାକୁ ଆହୁରି ବଢ଼ାଇ ଦିଆଯାଇଥିଲା । ଏପରିକି ୨ କିଲୋମିଟର ପୂର୍ବରୁ ସମସ୍ତ ଗାଡିକୁ ଅଟକାଇ ଦିଆଯାଉଥିଲା ।

କୃଷକ ଆନ୍ଦୋଳନସ୍ଥଳକୁ ଯିବାକୁ ହେଲେ ପରିଚୟ ପତ୍ର ଦେଖାଇ ଛଡାଯାଇଥିଲା । ରାସ୍ତାର ଗୋଟିଏ ପାଶ୍ୱର୍ରେ ଶାନ୍ତିପୂର୍ଣ୍ଣ ଭାବେ କୃଷକମାନେ ଆନ୍ଦୋଳନ ଚଳାଇଥିଲେ ଓ ଅନ୍ୟ ପାଶ୍ୱର୍ରେ ସୁରକ୍ଷାର ମୋର୍ଚ୍ଚା ସମ୍ଭାଳୁଥିଲେ ପୋଲିସ । ଏହି ସମୟରେ ଅଚାନକ ପୋଲିସ ଫୋର୍ସ ମୂତୟନ ଥିବା ଅଂଚଳକୁ କିଛି ଲୋକ ଚାଲି ଆସିଥିଲେ । ସେମାନେ ନିକଟବର୍ତି ଗାଁ ବେବାନା ଓ ନରେଲା ଗ୍ରାମବାସୀ ବୋଲି କହି କୃଷକ ଆନ୍ଦୋଳନ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

କୃଷକ ଆନ୍ଦୋଳନକୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିବା ପରେ ସେମାନଙ୍କୁ ୨ କିଲୋମିଟର ପୂର୍ବରୁ ପୋଲିସ ଅଟକାଇବାକୁ ଚେଷ୍ଟା କରିଥିଲା, ହେଲେ ସେମାନେ ଆଗକୁ ଆଗକୁ ମାଡି ଚାଲିଥିଲେ । ଦେଖୁ ଦେଖୁ ବିକ୍ଷୋଭ ପ୍ରଦର୍ଶନକାରୀମାନେ କୃଷକ ଆନ୍ଦୋଳନ ବିରୋଧରେ ନାରାବାଜି କରି କୃଷକ ଆନ୍ଦୋଳନସ୍ଥଳର ପାଖାପାଖି ପହଁଚି ଯାଇଥିଲେ । ଏହା ଦେଖି ଦୀର୍ଘ ୨ ମାସ ହେବ ସୀମାରେ ବସିଥିବା ଚାଷୀମାନେ ତାତି ଉଠିଥିଲେ । ବିକ୍ଷୋଭ କରୁଥିବା ଲୋକଙ୍କୁ ଜବାବ ଦେବାକୁ ଆନ୍ଦୋଳନସ୍ଥଳରୁ ଉଠି ଧାଡି ବାନ୍ଧି ଛିଡା ହୋଇଯାଇଥିଲେ । ଆଉ ସ୍ଥାନୀୟ ଲୋକମାନେ ଯେମିତି ଚାଷୀଙ୍କ ପାଖରେ ପହଁଚିଯାଇଥିଲେ ମୁହାଁମୁହିଁ ହୋଇଥିଲେ ଉଭୟ ପକ୍ଷ ।

ଦେଖୁ ଦେଖୁ ରଣକ୍ଷେତ୍ରରେ ପରିଣତ ହୋଇଥିଲା ସିଂଘୁ ସୀମା । ପୂର୍ବରୁ ପ୍ରସ୍ତୁତ ହୋଇ ଆସିଥିବା ସ୍ଥାନୀୟ ବିକ୍ଷୋଭକାରୀମାନେ ଆନ୍ଦୋଳନକାରୀ କୃଷକଙ୍କ ଉପରେ ଆକ୍ରମଣ କରିଥିଲେ । ସେମାନେ ଆଣିଥିବା ଲାଠି ଓ ଦଣ୍ଡାରେ ମନଇଛା ପିଟି ଚାଲିଥିଲେ । ଆକ୍ରମଣ ହେବା ପରେ କୃଷକମାନେ ବି ଛାଡି ନଥିଲେ । ସ୍ଥାନୀୟ ଲୋକଙ୍କୁ ପ୍ରତିଆକ୍ରମଣ କରିଥିଲେ କୃଷକ । ତାପରେ ଉଭୟ ପକ୍ଷ ପରସ୍ପର ଉପରକୁ ପଥରମାଡ କରିଥିଲେ । ଏହି ପଥର ମାଡରେ ଉଭୟ ପକ୍ଷରୁ କେତେଜଣ ଆହତ ହେବା ସହ ନିୟୋଜିତ ଥିବା ପୋଲିସ କର୍ମଚାରୀ ମଧ୍ୟ ଆହତ ହୋଇଥିଲେ ।

ସ୍ଥାନୀୟ ଲୋକ ଓ କୃଷକଙ୍କ ମଧ୍ୟରେ ଧିରେ ଧିରେ ପରିସ୍ଥିତି ଅଣାୟତ ଆଡକୁ ଗତି କରୁଥିବାବେଳେ ନିୟନ୍ତ୍ରଣ କରିବା ପାଇଁ ଲୁହବୁହା ଗ୍ୟାସ ମାଡ କରିବା ସହ ଲାଠିଚାର୍ଜ କରିଥିଲା ପୋଲିସ । ଟିଭି ସ୍କ୍ରିନରେ ଥିବା ଏହି ଦୃଶ୍ୟକୁ ଦେଖନ୍ତୁ, ଆନ୍ଦୋଳନକାରୀଙ୍କୁ କିଭଳି ଗୋଡାଇ ଗୋଡାଇ ପିଟୁଛନ୍ତି ପୋଲିସ କର୍ମୀ । ଜଣେ ଆନ୍ଦୋଳନକାରୀ ତଳେ ପଡିଯାଇଥିବାବେଳେ ପ୍ରାୟ ୧୦ ରୁ ୨୦ ଜଣ ସୁରକ୍ଷା କର୍ମୀ ପିଟି ଚାଲିଛନ୍ତି । ପୋଲିସର ଏଭଳି ମାଡରେ ଆନ୍ଦୋଳନକାରୀମାନେ ଛତ୍ରଭଙ୍ଗ ଦେଇଥିଲେ ।

ତେବେ ସ୍ଥାନୀୟ ଲୋକ ବିକ୍ଷୋଭ ପ୍ରଦର୍ଶନ କରୁଥିବାବେଳେ କୃଷକମାନେ ପ୍ରଥମେ ଆକ୍ରମଣ କରିଥିଲେ ବୋଲି ସେମାନେ ଅଭିଯୋଗ କରିଛନ୍ତି । ଏଥିସହ ସ୍ଥାନୀୟ ଲୋକଙ୍କୁ ଘଉଡାଇବା ପାଇଁ କୃଷକ ଖଣ୍ଡା ବୁଲାଇଥିବା ଅଭିଯୋଗ ହୋଇଛି । କୃଷକ ଆନ୍ଦୋଳନ ଯୋଗୁଁ ରାସ୍ତା ବନ୍ଦ ରହିବା କାରଣରୁ ସେମାନଙ୍କ ରୋଜଗାର ପ୍ରତି ସଂକଟ ଦେଖା ଦେଇଛି ବୋଲି ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକ । ଅନ୍ୟପଟେ କୃଷକ ଆନ୍ଦୋଳନସ୍ଥଳରୁ ସ୍ଥାନୀୟ ଲୋକଙ୍କୁ ବାହାର କରି ଦେଇଛନ୍ତି ସୁରକ୍ଷା ବଳ । ହେଲେ ସୀମାରେ ଏବେ ବି ଚାପା ଉତେଜନା ଲାଗି ରହିଛି ।