ପଲିଥିନ ତଳେ ପଡିରହିଛି ପରିବାର । ପଡୁନି ପ୍ରଶାସନର ନଜର ।

100

କନକ ବ୍ୟୁରୋ: ୩ ବର୍ଷ ତଳେ ସ୍ୱାମୀ ଆରପାରିକୁ ଚାଲିଗଲେ । ପଛରେ ଛାଡିଦେଇଗଲେ ତିନି ତିନିଟି ପିଲାଙ୍କ ଦାୟିତ୍ୱ । ଜମି ବୋଲି ଗୁଣ୍ଠେ ନାହିଁ । ମୁଣ୍ଡ ଗୁଞ୍ଜିବାକୁ ଘର ଖଣ୍ଡେ ବି ଭଲ ନାହିଁ । ନଈକୂଳିଆ ଘରେ ବାତ୍ୟା ପବନ ଆସି ଡରେଇ ଯାଉଛିି । ହେଲେ ଏ ଅସହାୟ ଜୀବନ ଉପରେ ପଡୁନି ପ୍ରଶାସନର ନଜର ।

କେନ୍ଦ୍ରାପଡା ଆଳି ବ୍ଲକ ବାଳକାଟି ଗାଁର ବାସିନ୍ଦା ସଂଯୁକ୍ତା ନାୟକ । ସ୍ୱାମୀ ଥିଲେ ଯେ , ଯାହା ମୁଲ ମଜୁରୀ କରି ଘର ଚଳାଉଥିଲେ । ହେଲେ ସେ ବି ୩ ବର୍ଷ ତଳେ ହାତ ଛାଡି ଆରପାରିକୁ ଚାଲିଗଲେ । ଏବେ ଅସହାୟ ସଂଯୁକ୍ତା । ଉପରେ ୩ଟି ନାବାଳକ ପିଲାଙ୍କ ଦାୟିତ୍ୱ । ନା ଜମି ଖଣ୍ଡେ ଅଛି ନା ଭଲ ଘର ଖଣ୍ଡେ । ଯେଉଁ ବଖୁରେ ଘର ଅଛି ତା’ କାନ୍ଥ ବି ଭାଙ୍ଗିଯାଇ ବିପସଙ୍କୁଳ ଅବସ୍ଥାରେ ଅଛି । ଭଙ୍ଗା କାନ୍ଥରେ ଟଙ୍ଗା ହୋଇଛି ପଲିଥିନ୍ । ଉପରେ ଛପର କରିବାକୁ ବି ଅର୍ଥ ନଥିବାରୁ ପଲିଥନ ହୋଇଛି ସାହାରା । ପଲିଥିନ୍ ତଳେ ଦିନ କାଟୁଛନ୍ତି ପରିବାର । ନଈକୂଳିଆ ଘର । ବାରମ୍ବାର ବାତ୍ୟା ପବନ ଆସିଲେ ଦେହରେ ଯେମିତି ଜୀବନ ରହୁନି । ହେଲେ କରିବେ କ’ଣ । ଏସହାୟତା ଉପରେ କୌଣସି ଲୋକ ପ୍ରତିନିଧି କିମ୍ବା ପ୍ରଶାସନର ନଜର ପଡୁନି । ଖାଲି ଯାହା ଉପରବାଲାକୁ ଭରସା କରି ପଡିରହିଛନ୍ତି ସଂଯୁକ୍ତା ।

ଘରର ମୂରବୀ ଚାଲିଯିବାପରେ ରୋଜଗାର ଶୂନ୍ । ଯାହା ମାଗିଯାଚି ଦିନ ବିତୁଛି । କିଏ ହାତ ଟେକିଦେଲେ ଚୁଲି ଜଳୁଛି ନହେଲେ ଖାଡା ଉପାସ । ଏପରି ସ୍ଥଳେ ପିଲାଙ୍କ ପାଠ ପଢା ସ୍ୱପ୍ନ ପାଲଟିଛି । ଅନ୍ୟପଟେ ସଂଯୁକ୍ତାଙ୍କ ବିଷୟରେ ଗଣମାଧ୍ୟମ ପ୍ରତିନିଧିଙ୍କ ଠାରୁ ଜାଣିବା ପରେ ଆବଶ୍ୟକ ସାହାଯ୍ୟ ଯୋଗାଇ ଦେବାକୁ କହିଛନ୍ତି ବିଡିଓ । ଏହାସହ ଯଦି ସଂଯୁକ୍ତା ଉଚିତ ହିତାଧିକାରୀ ହୋଇଥାନ୍ତି ତେବେ ଘର ଖଣ୍ଡେ ବି ଯୋଗାଇ ଦେବାକୁ କହିଛନ୍ତି ବିଡିଓ ।

ପ୍ରଶାସନର ଦୃଷ୍ଟି ପଡିଲେ ସୁଧୁରି ପାରନ୍ତା ସଂଯୁକ୍ତାଙ୍କ ଅବସ୍ଥା । ବଦଳିପାରନ୍ତା ପିଲାମାନଙ୍କ ଭାଗ୍ୟ । ହେଲେ ବିଡିଓଙ୍କ କଥା କେବେ ସତ ହେଉଛି ତାକୁ ହିଁ ଅପେକ୍ଷା ।