ଚୟନକର୍ତ୍ତା ଫୋନ୍ କଲେ, କହିଲେ ଏବେ ତୁମେ ନାହଁ ଆଉ ଦିନିକିଆ ଅଧିନାୟକ । ମୁହଁ ଖୋଲିଲେ କୋହଲି ।

843

କନକ ବ୍ୟୁରୋ : ଟିମ୍ ଇଣ୍ଡିଆର ଦିନିକିଆ ଅଧିନାୟକ ପଦରୁ ବିରାଟଙ୍କୁ ହଟାଯିବା ପରେ ଏହାକୁ ନେଇ ଚର୍ଚ୍ଚା ଥମିବାର ନାଁ ନେଉନାହିଁ । ଏପରିକି ବିରାଟଙ୍କ ବଦଳରେ ରୋହିତଙ୍କୁ ନୂଆ ଅଧିନାୟକ ଦାୟିତ୍ୱ ମିଳିଥିବା ବେଳେ ଦକ୍ଷିଣ ଆଫ୍ରିକା ଗସ୍ତକୁ ନେଇ ଅନେକ ଚର୍ଚ୍ଚା ଆରମ୍ଭ ହୋଇଥିଲା । ଏପରିକି ଦକ୍ଷିଣ ଆଫ୍ରିକା ଗସ୍ତରେ ଉଭୟ ରୋହିତ-ବିରାଟଙ୍କୁ ଏକାସଙ୍ଗରେ ଖେଳୁଥିବାର ଦେଖିବାକୁ ମିଳିବ ନାହିଁ ବୋଲି କୁହାଗଲା । କିନ୍ତୁ ଏହି ଚର୍ଚ୍ଚା ଆଲୋଚନା ଭିତରେ ମୁହଁ ଖୋଲିଛନ୍ତି ବିରାଟ କୋହଲି । ଦକ୍ଷିଣ ଆଫ୍ରିକା ଗସ୍ତ ପୂର୍ବରୁ ସାମ୍ବାଦିକ ସମ୍ମିଳନୀ କରି ବିରାଟ ଦକ୍ଷିଣ ଆଫ୍ରିକାରେ ଦିନିକିଆ ସିରିଜ ଖେଳିବେ ବୋଲି ସ୍ପଷ୍ଟ କରିଛନ୍ତି । ଏହାବାଦ୍ ଦିନିକିଆ ଅଧିନାୟକ ପଦ ହରାଇବା ପଛର ପୂରା କାହାଣୀ କହିଛନ୍ତି କୋହଲି ।

କୋହଲି କହିଛନ୍ତି, ଟି-୨୦ ଅଧିନାୟକ ପଦ ଛାଡିବା ପରେ ଉଭୟ ଦିନିକିଆ ଓ ଟେଷ୍ଟ ଦଳର ଅଧିନାୟକ ଭାର ସମ୍ଭାଳିବାକୁ ଚାହୁଁଥିଲି । କିନ୍ତୁ ସେମିତି ସୁଯୋଗ ମିଳିଲାନି । ଟେଷ୍ଟ ଟିମ ଚୟନ ପାଇଁ ଚୟନକର୍ତ୍ତା ଗତ ୮ ତାରିଖରେ ମୋ ସହ କଥା ହୋଇଥିଲେ । ଟେଷ୍ଟ ଟିମ୍ ଚୟନ ପରେ ୫ ଜଣ ଚୟନକର୍ତ୍ତା ଦିନିକିଆ କ୍ୟାପଟେନ ପଦରୁ ହଟାଇବାକୁ ନିଷ୍ପତ୍ତି ନେଇଥିବା ନେଇ ଜଣାଇଥିଲେ । ତେବେ ଏହି ନିଷ୍ପତ୍ତି  ନେବା ପୂର୍ବରୁ ମୋ ସହ କୌଣସି ଆଲୋଚନା ହୋଇନଥିଲା ବୋଲି କହିଛନ୍ତି କୋହଲି ।

କୋହଲି କହିଛନ୍ତି, ଯେତେବେଳେ ମୁଁ ଟି-୨୦ ଅଧିନାୟକ ପଦ ଛାଡିଥିଲି ସେତେବେଳେ ବିସିସିଆଇ ଓ ଚୟନକର୍ତ୍ତାଙ୍କୁ ଏ ବାବଦରେ ଅବଗତ କରିଥିଲି । ତେଣୁ ଏହାକୁ ନେଇ ସେତେଟା ବିବାଦ ହୋଇନଥିଲା । ସେତେବେଳେ ଦିନିକିଆ ଓ ଟେଷ୍ଟ ଟିମର ଅଧିନାୟକ ରହିବାକୁ ଇଚ୍ଛୁକ ଥିବା କହିଥିଲି । କିନ୍ତୁ ଚୟନକର୍ତ୍ତା ଯାହା ବି ନିଷ୍ପତ୍ତି ନେଇଛନ୍ତି ତାହାକୁ ମୁଁ ସମ୍ମାନ ଜଣାଉଛି ଏବଂ ଦଳ ଯେଉଁ ଦାୟିତ୍ୱ ଦେବ ତାହାକୁ ଗ୍ରହଣ କରିବାକୁ ପ୍ରସ୍ତୁତ ଅଛି ବୋଲି କହିଛନ୍ତି କୋହଲି । ଦିନିକିଆ ସିରିଜରୁ ବ୍ରେକ୍ ନେବା ପାଇଁ ସେ ବିସିସିଆଇକୁ ସମୟ ମାଗିନଥିବା କହିଛନ୍ତି । ତାଙ୍କୁ ନେଇ ଯେଉଁ ଖବର ପ୍ରଚାର ହେଉଛି ତାହା ସଂପୂର୍ଣ୍ଣ ଭୁଲ । କୋହଲି କହିଛନ୍ତି, ସେ ଦିନିକିଆରେ ଅଧିନାୟକ ରହିବାକୁ ଚାହୁଁଥିଲେ । ହେଲେ ମନୋନୟନକାରୀ ତାଙ୍କ ନିଷ୍ପତି ନେଇଛନ୍ତି ।  ଆଉ ଏହି ନିଷ୍ପତ୍ତିକୁ ମୁଁ ସମ୍ମାନ ଜଣାଉଛି । ମୁଁ ଦିନିକିଆ ସିରିଜ ଖେଳିବି ଏବଂ କ୍ରିକେଟ ଖେଳୁଥିବା ପର୍ଯ୍ୟନ୍ତ ଭାରତୀୟ କ୍ରିକେଟର କ୍ଷତି ହେବାକୁ ଦେବି ନାହିଁ ।

ଏହାସହ କୋହଲି କହିଛନ୍ତି, ରୋହିତ ମଧ୍ୟ ଜଣେ ଭଲ ଅଧିନାୟକ । ଆଉ ଆମ ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡ ମଧ୍ୟ ଜଣେ ଅନୁଭବୀ କ୍ରିକେଟର । ଉଭୟଙ୍କୁ ମୋ ତରଫରୁ ସମସ୍ତ ପ୍ରକାର ସହଯୋଗ ମିଳିବ । ବିସିସିଆଇ ଯାହା ବି ନିଷ୍ପତ୍ତି  ନେଇଛି ଭାବିଚିନ୍ତି ନେଇଛି । ରୋହିତ ଓ ମୋ ମଧ୍ୟରେ କୌଣସି ବିବାଦ ନାହିଁ । ଆଉ ଏକଥାକୁ ବାରମ୍ବାର କହି ମୁଁ ମଧ୍ୟ ଥକି ଗଲିଣି ।