ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର । ଷ୍ଟୁଡେଣ୍ଟ ଟ୍ରାଫିକ ଭଲ୍ୟୁଣ୍ଟର ବ୍ୟବସ୍ଥାର ହେବ ନବକଳେବର, ଏଥର ପୋଷ୍ଟ ଜଗିବେ ୨୦୦ ଛାତ୍ରଛାତ୍ରୀ ।

183

କନକ ବ୍ୟୁରୋ : ଗଲା ଏପ୍ରିଲରୁ ଖାଲି ପଡ଼ିଥିବା ଟ୍ରାଫିକ୍ ଏସିପି ପଦବି ପୂରଣ ହୋଇପାରିଲା ନାହିଁ। ଟ୍ରାଫିକ ପୋଷ୍ଟରେ ଡ୍ୟୁଟି ପାଇଁ ଆହୁରି ୩୦ ପାଖାପାଖି କନଷ୍ଟେବଳ ପଦବି ଖାଲି ପଡ଼ିଛି। କରୋନାର ଦ୍ବିତୀୟ ଲହର ପରେ ସହରରେ ଟ୍ରାଫିକ ବ୍ୟବସ୍ଥା ବିଗିଡ଼ିବାକୁ ବସିଥିବା ବେଳେ ଦୁଇ ବର୍ଷ ହେବ ବନ୍ଦ ପଡ଼ିଥିବା ଷ୍ଟୁଡେଣ୍ଟ ଟ୍ରାଫିକ ଭଲ୍ୟୁଣ୍ଟରଙ୍କୁ ପୁନଃ ନିଯୁକ୍ତି ପାଇଁ ନିଷ୍ପତ୍ତି ହୋଇଛି। ଏଥର ଏହି କାର୍ଯ୍ୟକ୍ରମର ନବକଳେବର କରି ଦୁଇ ଗୁଣ ଭଲ୍ୟୁଣ୍ଟରଙ୍କୁ ନିଯୁକ୍ତି ମିଳିବ। ଏକକାଳୀନ ୨୦୦ କଲେଜ ଛାତ୍ରଛାତ୍ରୀଙ୍କୁ ଟ୍ରାଫିକ ପୋଷ୍ଟ ଦାୟିତ୍ୱ ଦିଆଯିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି।

ସୂଚନା ଅନୁଯାୟୀ, କଟକରେ ଟ୍ରାଫିକ ପୋଷ୍ଟରେ ଟ୍ରାଫିକ କର୍ମଚାରୀଙ୍କୁ ସହଯୋଗ ଓ ଚାଳକଙ୍କୁ ସଚେତନ କରିବା ପାଇଁ ନିୟୋଜିତ ହୋଇଥିବା ଷ୍ଟୁଡେଣ୍ଟ ଟ୍ରାଫିକ ଭଲ୍ୟୁଣ୍ଟର କାର୍ଯ୍ୟକ୍ରମ ୨୦୨୦ ମାର୍ଚ୍ଚରୁ ବନ୍ଦ ହୋଇଯାଇଥିଲା। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏହି କାର୍ଯ୍ୟକ୍ରମ ବନ୍ଦ ହୋଇଥିଲା। ଏଥର ନୂଆ ରୂପରେ ଏହି କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ଡିସିପି ଅଫିସ ତରଫରୁ ମଧୁପାଟଣା ଟ୍ରାଫିକ ଆଇଆଇସିଙ୍କୁ ଚିଠି ଆସିଛି। ପୂର୍ବରୁ ୧୦୦ ଷ୍ଟୁଡେଣ୍ଟ ଟ୍ରାଫିକ ଭଲ୍ୟୁଣ୍ଟର କଟକ ସହରରେ ନିୟୋଜିତ ହୋଇଥିବା ବେଳେ ଏଥର ୨୦୦ ଛାତ୍ରଛାତ୍ରୀ ନିୟୋଜିତ ହେବେ। ପ୍ରଥମ ୧୦୦ ଜଣ ମାସର ୧ ତାରିଖରୁ ୧୬ ତାରିଖ ପର୍ୟ୍ୟନ୍ତ କାର୍ଯ୍ୟ କରିବେ। ଅବଶିଷ୍ଟ ୧୦୦ ଜଣ ୧୭ ତାରିଖରୁ ମାସ ଶେଷ ଯାଏ ଏହି କ୍ରମରେ ପ୍ରତି ମାସରେ କାମ କରିବେ। ପୂର୍ବରୁ ନିୟୋଜିତ ହୋଇଥିବା ୧୦୦ ଛାତ୍ରଛାତ୍ରୀ ମାସ ସାରା କାମ କରିବାକୁ ପଡ଼ୁଥିଲା।

ଏହାଦ୍ବାରା ସେମାନଙ୍କ ପାଠପଢ଼ା ପ୍ରଭାବିତ ହେଉଥିଲା। ସେଥିପାଇଁ ସେମାନଙ୍କୁ ଦୁଇଟି ପର୍ୟ୍ୟାୟରେ ପ୍ରତି ମାସରେ କାମ କରାଯିବ। ପୂର୍ବରୁ ସର୍ବନିମ୍ନ ୩ ଘଣ୍ଟା କାମ କରୁଥିବା ବେଳେ ଏବେ ସମୟ ହ୍ରାସ ପାଇ ଦୁଇ ଘଣ୍ଟା ହେବ। ଦିନର ଯେକୌଣସି ସମୟରେ ନିଜ ଇଚ୍ଛା ମୁତାବକ ନିକଟସ୍ଥ ଟ୍ରାଫିକ ପୋଷ୍ଟରେ ଏହି ଛାତ୍ରଛାତ୍ରୀମାନେ କାର୍ଯ୍ୟ କରିବେ। ଦୈନିକ ୧୦୦ ଟଙ୍କା ଲେଖାଏ ଭତ୍ତା ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପଠାଯିବ। ରେଭେନ୍ସା ଜୁନିଅର୍ କଲେଜ, ରେଭେନ୍ସା ବିଶ୍ବବିଦ୍ୟାଳୟ, ଜେକେବିକେ, କଟକ କଲେଜ, ରଘୁନାଥଜୀଉ କଲେଜ, ସିଟି ମେମୋରିଆଲ୍ କଲେଜ, ଖ୍ରୀଷ୍ଟ କଲେଜ, ଷ୍ଟୁଆର୍ଟ କଲେଜର ଅଧ୍ୟକ୍ଷଙ୍କୁ ଏ ନେଇ ଖୁବ ଶୀଘ୍ର ଡିସିପିଙ୍କ କାର୍ଯ୍ୟାଳୟକୁ ପକ୍ଷରୁ ଚିଠି ପଠାଯାଇ ଏକ ବୈଠକ କରାଯିବାକୁ ନିଷ୍ପତ୍ତି ହୋଇଛି। ପ୍ରତି କଲେଜରୁ ସର୍ବନିମ୍ନ ୫ରୁ ସର୍ବାଧିକ ୧୫ ଜଣ ଇଚ୍ଛୁକ ଛାତ୍ରଛାତ୍ରୀଙ୍କ ତାଲିକା କଲେଜ ଅଧକ୍ଷ ଡିସିପିଙ୍କ କାର୍ଯ୍ୟାଳୟକୁ ପଠାଇବେ। ତାଲିକା ମିଳିଲେ ସମସ୍ତଙ୍କୁ ମଧୁପାଟଣା ଟ୍ରାଫିକ ଟାଓ୍ବାରରେ ୭ ଦିନିଆ ତାଲିମ୍ ପ୍ରଦାନ କରାଯିବ। କନଷ୍ଟେବଳ ପଦବି ପୂରଣ ପାଇଁ ଯଦିଓ ଡିସିପିଙ୍କ କାର୍ଯ୍ୟାଳୟକୁ ମଧୁପାଟଣା ଟ୍ରାଫିକ ଥାନା ପକ୍ଷରୁ ଲିଖିତ ଭାବେ ଗଲା ୬ ମାସରୁ ଉର୍ଦ୍ଧ୍ବ ହେବ ଅବଗତ କରାଯାଇଛି, କିନ୍ତୁ ଟ୍ରାଫିକ କନଷ୍ଟେବଳ ନିଯୁକ୍ତ ନହେବାରୁ ସହରରେ ଟ୍ରାଫିକ ପୋଷ୍ଟରେ ଡ୍ୟୁଟି କରିବାରେ ଏବେ ବଡ଼ ଧରଣର ସମସ୍ୟା ସୃଷ୍ଟି ହେଲାଣି।