ଅସଲି ବଜାର ନକଲି ଶାଢୀ

88

ସମ୍ବଲପୁର ବ୍ୟୁରୋ ,କନକ ନ୍ୟୁଜ୍ : ନକଲି ବାନ୍ଧକଳା ଶାଢ଼ୀ ଏବେ ସମ୍ବଲପୁର ଶାଢୀ ବଜାରରେ ନିଜର କାୟା ବିସ୍ତାର କରିଚାଲିଛି । ଏହି ସମୟରେ ପ୍ରଧାନମନ୍ତ୍ରୀଙ୍କୁ ବୁଣାକାରମାନେ କରିଥିବା ଅନୁରୋଧ କ୍ରମରେ କେନ୍ଦ୍ରୀୟ ଟିମ୍ ବରଗଡରେ ତଦନ୍ତ କରିଛନ୍ତି । ନକଲି ସମ୍ବଲପୁରୀ ଶାଢୀ ଉପରେ ଅଙ୍କୁଶ ଲାଗିଲେ ପାରଂପରିକ ବୁଣାକାରମାନେ ଲାଭବାନ ହେବେ ବୋଲି ଆଶା ରଖିଛନ୍ତି ।

ପଶ୍ଚିମ ଓଡ଼ିଶାର ବାନ୍ଧକଳା ଶାଢ଼ୀ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ବେଳେ ଏବେ ବଜାରରେ ରାଜ କରୁଛି ନକଲି ସମ୍ବଲପୁରୀ ଶାଢୀ । ଫଳରେ ବୁଣାକାରଙ୍କ ହାତ ବନ୍ଦ ହୋଇଯାଇଥିବା ଅଭିଯୋଗ ହୋଇଛି । ସାଧାରଣତଃ ଗୋଟିଏ ବାନ୍ଧକଳା ଶାଢ଼ୀକୁ ପ୍ରସ୍ତୁତ କରିବା ପାଇଁ ବୁଣାକାରଙ୍କୁ ୨୦ ରୁ ୨୫ ଦିନ ସମୟ ଲାଗୁଥିବା ବେଳେ ଗୋଟିଏ ଶାଢ଼ୀର ସର୍ବନିମ୍ନ ମୂଲ୍ୟ ୧୬୦୦ ଟଙ୍କାରୁ ଆରମ୍ଭ ହୋଇଥାଏ । କିନ୍ତୁ କିଛି କଳା ବେପାରୀ ବୁଣାକାରମାନଙ୍କ ଶାଢ଼ୀକୁ କିଣିନେଇ ତାର ଫଟୋ କପି ପ୍ରସ୍ତୁତ କରି ନକଲି ଶାଢୀ ବଜାରକୁ ଛାଡୁଛନ୍ତି । ଏହି ଶାଢ଼ୀର ମୂଲ୍ୟ ମାତ୍ର ୩୦୦ ରୁ ୪୦୦ ଟଙ୍କା ହୋଇଥିବା ଯୋଗୁଁ ପ୍ରକୃତ ବାନ୍ଧକଳା ଶାଢ଼ୀ ନିଜର ପରିଚୟ ହରାଇବାକୁ ବସିଛି ।
ନକଲି ବାନ୍ଧକଳା ଶାଢ଼ୀ ରାଜ୍ୟ ବାହାରୁ ବିଶେଷ କରି ସୁରଟ ଓ ଉତରପ୍ରଦେଶ ଅଂଚଳରୁ ଆସୁଥିବା ବେଳେ ଓଡ଼ିଶାର କିଛି ଅସାଧୁ ବେପାରୀଙ୍କ ସହାୟତାରେ ବଜାରକୁ ଆସିଥାଏ । ବିଶେଷକରି ପଶ୍ଚିମ ଓଡ଼ିଶାକୁ ଆସୁଥିବା ପର୍ଯ୍ୟଟକମାନେ ପ୍ରକୃତ ବାନ୍ଧଶାଢୀ ଓ ନକଲି ଜାଣି ନ ପାରି ଏହି ନକଲି ଶାଢ଼ୀକୁ କିଣୁ ଥିବା ଦେଖିବାକୁ ମିଳୁଛି । ଫଳରେ ପ୍ରକୃତ ହାତବୁଣା ଶାଢ଼ୀର ଚାହିଦା କମିବା ସହିତ ବଦନାମ ହେଉଛି ବାନ୍ଧକଳା । ବୁଣାକାରମାନଙ୍କ ସଂଘ ବିଭିନ୍ନ ସଂଗଠନ, ସୋସାଇଟି ବାନ୍ଧକଳା ଉପରେ କାମ କରୁଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଏହି ନକଲି କାରବାରକୁ ରୋକି ପାରି ନାହାନ୍ତି । କେନ୍ଦ୍ର ଓ ରାଜ୍ୟ ସରକାର ଦୃଢ଼ ପଦକ୍ଷେପ ନେଲେ ଆଗାମୀ ଦିନରେ ନକଲି ବାନ୍ଧକଳା ଶାଢୀ ଉପରେ କଟକଣା ଲାଗିପାରିବ ବୋଲି ବୁଣାକାର ଆଶା ରଖିଛନ୍ତି ।