ବାନା ବାବାଙ୍କ ଗୁପ୍ତ ସୁଡଙ୍ଗ

33

କୋଣାର୍କ : କଳକୀ ଆଶ୍ରମରେ ସୁଡଙ୍ଗର ସନ୍ଧାନ । ବାନା ବାବାଙ୍କ ସାମ୍ରାଜ୍ୟର ପତନ ବେଳେ ନଜରକୁ ଆସିଛି ଏମିତି କିଛି ସୁଡଙ୍ଗ । ଆଶ୍ରମ ଭିତରେ ଏକାଧିକ ସୁଡଙ୍ଗ ରହିଛି । ସୁଡଙ୍ଗ ଭିତରକୁ ଯାଇଛି କଂକ୍ରିଟ୍ ସିଡି । ପୁରା ନିଛାଟିଆ । ଏହି ଭିତରେ କଣ ହୁଏ, ତାହା କେହି ଜାଣନ୍ତି ନାହିଁ । ବାବାଙ୍କ ଭକ୍ତମାନେ ମଧ୍ୟ ଏକାଧିକ ଏଭଳି ସୁଡଙ୍ଗ ଦେଖି ହତବାକ୍ ହୋଇଯାଇଛନ୍ତି । କୁହାଯାଉଛି ଲୁକ୍କାୟିତ ଭାବେ ଥିବା ଏହି ଗୁପ୍ତ ସୁଡଙ୍ଗକୁ ବାହାରି ଲୋକଙ୍କ ପ୍ରବେଶ ସଂପୂର୍ଣ୍ଣ ବାରଣ ଥିଲା । କେବଳ ବାନା ବାବା ଏହି ସୁଡଙ୍ଗ ରାସ୍ତା ଦେଇ ଯାଇଥିବା ଗୃହକୁ ପ୍ରବେଶ କରୁଥିଲେ । କେତେକଙ୍କ ମତରେ ଏହି ଗୁପ୍ତ ସୁଡଙ୍ଗ ମଧ୍ୟରେ ଥିବା ଗୃହରେ ବାବା ଧ୍ୟାନ କରୁଥିଲେ । କିନ୍ତୁ ଏନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ । ଆଶ୍ରମର ମୁଖ୍ୟ ଅଟ୍ଟାଳିକାର ଏକ କୋଣରୁ ଏହି ସୁଡଙ୍ଗକୁ ରାସ୍ତା ରହିଛି । ସେପଟେ ଆଶ୍ରମ ଭଙ୍ଗା ଆରମ୍ଭହେବା ପରେ ବାନା ବାବାଙ୍କର ଆଉ ଖୋଜ ଖବର ମିଳୁନି । କୋଣାର୍କ ବାଲୁଖଣ୍ଡ ଅଭୟାରଣ୍ୟର ଏହି ସ୍ଥାନରେ ପ୍ରାୟ ୨୨ ଏକର ଜାଗା ଜବରଦଖଲ କରିଥିଲେ ବାନା ବାବା । ଆଉ ପ୍ରାୟ ୨୨ ବର୍ଷ ଧରି ଏଠାରେ ସାମ୍ରାଜ୍ୟ ବିସ୍ତାର କରିଥିଲେ । ବାନା ବାବାଙ୍କ ଆଶ୍ରମ ଭଙ୍ଗା ବେଳେ ଏହି ସୁଡଙ୍ଗର ସନ୍ଧାନ ଅନେକ କୌତୁହଳ ସୃଷ୍ଟି କରିଛି । ତେବେ ସୁଡଙ୍ଗ ଭିତରୁ ବାନା ବାବାଙ୍କ କିଛି ସାମଗ୍ରୀ ମିଳିଥିବା ନେଇ ଜଣାପଡ଼ିଥିଲେ ମଧ୍ୟ ପ୍ରଶାସନ ଏନେଇ କୌଣସି ସୂଚନା ଦେଇନାହିଁ ।