ଖାଉଟି ସାବଧାନ ! କଟକରେ ନକଲି ଘିଅ କାରଖାନା ଠାବ । ମାଲିକକୁ ଉଠାଇନେଲା ପୋଲିସ । 

38

କନକ ବ୍ୟୁରୋ : ଖାଉଟି ସାବଧାନ ।  ଆପଣ ବ୍ୟବହାର କରୁଥିବା ଘିଅ ଭଲ ଭାବେ ଯାଂଚ କରନ୍ତୁ  । ନଚେତ ଠକାମିର ଶିକାର ହୋଇପାରନ୍ତି । କଟକରେ ଠାବ ହୋଇଛି  ନକଲି ଘିଅ କାରଖାନା । ବର୍ଷେ ହେବ କଟକ ସହରରେ ଚାଲିଥିବା ନକଲି ଘିଅ କାରଖାନାରେ ଚଢ଼ଉ କରି ମଙ୍ଗଳାବାଗ ଥାନା ପୁଲିସ କାରଖାନା ମାଲିକ ଶଗଡ଼ିଆସାହିର ସୁବାସ ଚନ୍ଦ୍ର ବେହେରାଙ୍କୁ ଗିରଫ କରିଛି । ଏହି ନକଲି ଘିଅ କାରଖାନାରୁ ଦୁର୍ଗା କମ୍ପାନି ନାମରେ ନକଲି ଘିଅ ୪ କେଜି, ଓମଫେଡ କମ୍ପାନି ନାମରେ ନକଲି ଘିଅ ୨୪ କେଜି, ଦେବୀ କମ୍ପାନି ନାମରେ ନକଲି ଘିଅ ୬ କେଜିକୁ ମିଶାଇ ୩୪ କେଜି ଘିଅ ଜବତ କରାଯାଇଛି । ଏହା ସହିତ ସିଲିଂ ଜରି ଏକ ହଜାର ପିସ, ଲୋଗୋ ୪ ହଜାର ପିସ, ଖାଲି ଘିଅ ଡବା ୨୫୦ଟି, ପାମୋଲିଭତେଲର ଖାଲି ଜରି ୫୦ଟି ପ୍ୟାକିଂ ମେସିନ, ୩ଟି ସିଲିଂ ମେସିନ୍, ୨ଟି ଡ୍ରାଇଅର ମେସିନ, ଗୋଟାଏ ଓଜନ ମାପ ମେସିନ, ଜବତ କରାଯାଇଥିବା ସୂଚନା ମିଳିଛି ।

ଉଲ୍ଲେଖଯୋଗ୍ୟ ଯେ ମଙ୍ଗଳାବାଗ ଥାନା ଶଗଡ଼ିଆସାହିର ସୁବାସ ବେହେରା ନିଜ ଦୁଇ ମହଲା କୋଠା ଉପରେ ଏକ ନକଲି ଘିଅ ତିଆରି କାରଖାନା ଖୋଲି ନକଲି ଘିଅ ପ୍ରସ୍ତୁତ କରୁଥିଲା । ଓମଫେଡ, ଦେବୀ, ଦୁର୍ଗା ଇତ୍ୟାଦି ନାମୀ କମ୍ପାନିର ନକଲି ଲୋଗ ଏବଂ ଡବା ବ୍ୟବହାର କରି ଘିଅ ପ୍ରସ୍ତୁତ ପରେ କଟକ ଜିଲ୍ଲା ସହିତ ପଡ଼ୋଶୀ ଜିଲ୍ଲାକୁ ଏହା ଚାଲାଣ କରାଯାଉଥିଲା। କାରଖାନାରେ ସିଲିଂ ମେସିନ ବସାଇ ଏଭଳି କେଳେଙ୍କାରୀ ସୁବାସ ଚଳାଇଥିଲା । ମଙ୍ଗଳାବାଗ ଥାନା ପୁଲିସ ଏ ସମ୍ପର୍କରେ ଖବର ପାଇ ଦିନ ପ୍ରାୟ ଗୋଟାଏ ବେଳେ ଚଢ଼ଉ କରିଥିଲା ।

ଚଢ଼ଉ ବେଳେ ସୁବାସ ଖସିଯିବାକୁ ଉଦ୍ୟମ କରୁଥିବା ବେଳେ ପୁଲିସ ତାକୁ ଗିରଫ କରିଥିଲା । ତାକୁ ଜେରା ପରେ ଚାଞ୍ଚଲ୍ୟକର ତଥ୍ୟ ପୁଲିସ ଜାଣିବାକୁ ପାଇଥିଲା। ସୁବାସ ପୋଡ଼ା ମୋବିଲ ଏବଂ ପାମୋଲିଭ ଅଏଲ ମିଶାଇ ନକଲି ଦେଶୀ ଘିଅ ପ୍ରସ୍ତୁତ କରୁଥିଲା । ଏଥିରେ ତା’ ପରିବାରର ସମସ୍ତ ସଦସ୍ୟ ସହଯୋଗ କରୁଥିଲେ । ମାଲଗୋଦାମରୁ ସେ ପାମୋଲିଭ ଅଏଲ୍ କିଣୁଥିବା ବେଳେ କଟକ ସହରର ନିର୍ଦ୍ଦିଷ୍ଟ କିଛି ଗ୍ୟାରେଜ୍ରୁ ପୋଡ଼ା ମୋବିଲ ସଂଗ୍ରହ କରୁଥିଲା । ନକଲି ଲୋଗୋ, ଷ୍ଟିକର ଏବଂ ସିଲିଂ ଜରି ନିର୍ଦ୍ଦିଷ୍ଟ କେତେକ ବ୍ୟକ୍ତି ତାକୁ ଯୋଗାଇ ଦେଉଥିଲେ ।

ଏସବୁ କିଣିବା ପରେ ନିଜ ଘରେ ସୁବାସ ନକଲି ଘିଅ ତିଆରି କରି ଭାଇମାନଙ୍କ ସହଯୋଗରେ ମାଲଗୋଦାମ ଏବଂ ଅନ୍ୟ ସ୍ଥାନରେ ଚାଲାଣ କରୁଥିଲା। ମାଲଗୋଦାମର ନିର୍ଦ୍ଦିଷ୍ଟ ୧୦ଟି ଦୋକାନରେ ଏହି ଘିଅ ବିକ୍ରି କରାଯାଉଥିବା ପୁଲିସ ଜେରାରୁ ସୂଚନା ପାଇଛି । ଏହି ଘଟଣାରେ ତା’ ପରିବାର ଲୋକେ ଫେରାର ହୋଇଯାଇଥିବା ବେଳେ ପୁଲିସ ସେମାନଙ୍କୁ ଧରିବାକୁ ଯୋଜନା କରୁଛି । ଅନ୍ୟପକ୍ଷରେ ଆବଶ୍ୟକ କଞ୍ଚାମାଲ ଏବଂ ମେସିନ ଯୋଗାଉଥିବା ଦୁର୍ବୃତ୍ତଙ୍କୁ ଠାବ କରିବାକୁ ମଧ୍ୟ ପୁଲିସ ମାଷ୍ଟରପ୍ଲାନ ତିଆରି କରିଛି। ଡିସିପି ଅଖିଳେଶ୍ୱର ସିଂହଙ୍କ ନିର୍ଦ୍ଦେଶ କ୍ରମେ ଥାନା ଅଧିକାରୀ ଅରୁଣ ସ୍ୱାଇଁ, ଡି.କେ. ଦାସ, ପି.କେ. ଜେନା ପ୍ରମୁଖ ଏହି ଚଢ଼ଉରେ ସାମିଲ ହୋଇଥିଲା ।