ରାଜ୍ୟରେ ପୁଣିଥରେ ସକ୍ରିୟ ହେଉଛି ଜାଲ୍ ସାର୍ଟିଫିକେଟ ରାକେଟ୍ ! ଚାକିରି ପାଇଁ କିଣା ସାର୍ଟିଫିକେଟ୍ ଦେଉଛନ୍ତି ପ୍ରାର୍ଥୀ

51

କନକ ବ୍ୟୁରୋ : ସାରା ରାଜ୍ୟରେ ପୁଣିଥରେ ସକ୍ରିୟ ହୋଇଉଠିଛନ୍ତି ଜାଲ୍‌ ସାର୍ଟିଫିକେଟ ରାକେଟ୍‌ । କିରାଣି ଠାରୁ ଆରମ୍ଭ କରି ଶିକ୍ଷା ସହାୟକ ନିଯୁକ୍ତି ପର୍ଯ୍ୟନ୍ତ, ସବୁଠି ଜାଲ୍‌ ସାର୍ଟିଫିକେଟ୍‌ ଦେଉଛନ୍ତି ପ୍ରାର୍ଥୀ । ପୂର୍ବରୁ ଏଭଳି ଅନେକ ଅଭିଯୋଗ ଆସିଥିବାବେଳେ ଏବେ ଚାଲିଥିବା ଶିକ୍ଷା ସହାୟକ ନିଯୁକ୍ତିରେ ବି ନକଲି ସାର୍ଟିଫିକେଟ୍‌ ଦେଇ ଯୁବକ ଯୁବତୀ ଶିକ୍ଷା ସହାୟକ ଚାକିରି ହାତେଇବାକୁ ଉଦ୍ୟମ କରୁଛନ୍ତି । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିକଟରେ ଏନେଇ ମାଳ ମାଳ ଅଭିଯୋଗ ପହଞ୍ଚିବା ପରେ ବିଭାଗୀୟ ଅଧିକାରୀଙ୍କ ଅକଲ୍‌ ଗୁଡୁମ୍‌ । କାୟା ମେଲାଇ ଚାଲିଥିବା ଜାଲ୍‌ ସାର୍ଟିଫିକେଟକୁ କିଭଳି ରୋକିବେ ତାହାକୁ ନେଇ ଘନ ଘନ ବୈଠକ କରାଯାଇ ଯାଞ୍ଚ ବ୍ୟବସ୍ଥା କଡ଼ାକଡ଼ି କରିବାକୁ କୁହାଯାଇଛି ।

ସାରା ରାଜ୍ୟରେ ଚାଲିଥିବା ଶିକ୍ଷା ସହାୟକ ନିଯୁକ୍ତି ପ୍ରକ୍ରିୟାରେ ପ୍ରାର୍ଥୀମାନଙ୍କ ସାର୍ଟିଫିକେଟ ଯାଞ୍ଚ କରାଯାଉଛି । ଗତ କିଛି ମାସ ହେଲା ଯାଞ୍ଚ ଚାଲିଥିବା ବେଳେ ମାଲକାନଗିରି, ନବରଙ୍ଗପୁର, ନୂଆପଡ଼ା, ବୌଦ୍ଧ ପରି ଜିଲ୍ଲାରେ ନିଯୁକ୍ତ ହେଉଥିବା ଶିକ୍ଷା ସହାୟକ ନକଲି ସାର୍ଟିଫିକେଟ୍‌ ଦେଇ ଚାକିରି ଲାଗି ଆବେଦନ କରିଥିବା ଅଭିଯୋଗ ଆସିଛି । ୧୦ରୁ ଅଧିକ ବ୍ୟକ୍ତି ଏ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିକଟରେ ଅଭିଯୋଗ କରିବା ପରେ ତତ୍ପରତା ପ୍ରକାଶ ପାଇଛି । ବିଭାଗ ଅଧୀନରେ ଥିବା ଓଡ଼ିଶା ପ୍ରାଥମିକ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓପେପା) ପକ୍ଷରୁ କଡ଼ା ଆଭିମୁଖ୍ୟ ଗ୍ରହଣ କରାଯାଇଛି । ପ୍ରାର୍ଥୀମାନଙ୍କ ସାର୍ଟିଫିକେଟ୍‌ଗୁଡ଼ିକୁ ସଠିକ୍‌ ଭାବେ  ଯାଞ୍ଚ କରିବାକୁ ଜିଲ୍ଲା ପ୍ରକଳ୍ପ ସଂଯୋଜକ(ଡିପିଓ)ମାନଙ୍କୁ କଡ଼ା ନିର୍ଦେଶ ଦିଆଯାଇଛି । ଯଦି ଯାଞ୍ଚ ସମୟରେ କୌଣସି ପ୍ରାର୍ଥୀଙ୍କଠାରୁ ନକଲି ସାର୍ଟିଫିକେଟ୍‌ ବାହାରେ ତେବେ ସଙ୍ଗେ ସଙ୍ଗେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ କୁହାଯାଇଛି । ଜେଲ୍‌ ଦଣ୍ଡ ସହ ଜରିମାନା ହେବାର ବି ନିୟମ ରହିଛି ।

ମିଳିଥିବା ସୂଚନା ଅନୁଯାୟୀ ଶିକ୍ଷା ସହାୟକ ଚାକିରି ପାଇବା ଲାଗି ବିଭିନ୍ନ ଯୋଗ୍ୟତା ରଖାଯାଇଛି । ତାହାକୁ ଆଧାର କରି ପ୍ରାର୍ଥୀ ଚୟନ ହେଉଛନ୍ତି । ଯାଞ୍ଚ ସମୟରେ ପ୍ରାର୍ଥୀମାନେ ଯୁକ୍ତ୨, ଯୁକ୍ତ ୩, ସିଟି, ବି.ଏଡ୍‌ ପରି ସାର୍ଟିଫିକେଟ୍‌ ଦାଖଲ କରୁଛନ୍ତି । କେତେକ ସ୍ଥାନରେ ପ୍ରାର୍ଥୀଙ୍କ ସାର୍ଟିଫିକେଟ ବୈଧ ନ ଥିବା ଅଭିଯୋଗ ଆସିଛି। ଜାତୀୟ ଶିକ୍ଷକ ଶିକ୍ଷା ପରିଷଦ (ଏନ୍‌ସିଟିଇ) ଅନୁମତି ପାଇଥିବା ଶିକ୍ଷାନଷ୍ଠାନରୁ ସାର୍ଟିଫିକେଟ୍‌ ଆଣି ପ୍ରାର୍ଥୀମାନେ ଦାଖଲ କରୁଛନ୍ତି । ବାହାର ରାଜ୍ୟର କିଛି ଶିକ୍ଷାନୁଷ୍ଠାନରୁ ସିଟି, ବି.ଏଡ୍‌ ପାସ୍‌ କରିଥିବା ନେଇ ପ୍ରାର୍ଥୀମାନେ ସାର୍ଟିଫିକେଟ୍‌ ଦେଉଛନ୍ତି । କେତେଜଣ ପ୍ରାର୍ଥୀ କୌଣସି ସ୍ଥାନରେ ବି.ଏଡ୍‌, ସିଟି ନ କରି ମଧ୍ୟ ସାର୍ଟିଫିକେଟ୍‌ ଦାଖଲ କରୁଥିବା ଅଭିଯୋଗ ଆସିଛି । ଓଡ଼ିଶା ସମେତ ବାହାର ରାଜ୍ୟର କିଛି ଦଲାଲ ସାର୍ଟିଫିକେଟ୍‌ କରାଇ ଦେବା ନାଁରେ ୫୦ ହଜାରରୁ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ନେଉଛନ୍ତି। ବଡ଼ ଧରଣର ଡିଲ୍‌ କରାଯାଉଛି ।

ଓଷ୍ଟାର ସାଧାରଣ ସମ୍ପାଦକ ପ୍ରକାଶ ଚନ୍ଦ୍ର ମହାନ୍ତିଙ୍କ କହିବାନୁଯାୟୀ ଏଭଳି ଘଟଣା ବାରମ୍ବାର ନଜରକୁ ଆସୁଛି । ନକଲି ସାର୍ଟିଫିକେଟ୍‌ ଦେଇ ପ୍ର୍ରାର୍ଥୀମାନେ ଶିକ୍ଷକ ଭାବେ ଚାକିରି ପାଉଛନ୍ତି । ବିନା ବାଧାରେ ଚାକିରି କରିବା ସହ ରାଜ୍ୟ ରାଜକୋଷରୁ କୋଟି କୋଟି ଟଙ୍କା ଦରମା ଆକାରରେ ନେଉଛନ୍ତି । ଚାକିରିର ସମୟ ସରିଯାଉଥିଲେ ମଧ୍ୟ ସେମାନଙ୍କୁ ଧରାଯାଇପାରୁନି। କାର୍ଯ୍ୟାନୁଷ୍ଠାନ ବି ହେଉନି । ଏହାଦ୍ୱାରା ମେଧାବୀ ଛାତ୍ରଛାତ୍ରୀ ବେକାର ହୋଇ ବୁଲୁଛନ୍ତି । ଏହା ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଆବଶ୍ୟକ। ଚୟନ ସମୟରେ ଯାଞ୍ଚ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଉ । ଜାଲ୍‌ ସାର୍ଟିଫିକେଟ ଦେଇ ଚାକିରି କରିବା ପ୍ରଥମ ଘଟଣା ନୁହେଁ । ପୂର୍ବରୁ ମଧ୍ୟ ନକଲି ସାର୍ଟିଫିକେଟ୍‌ ଦେଇ ଦୀର୍ଘବର୍ଷ ଧରି ଚାକିରି କରିଥିବା ୩୦ରୁ ଅଧିକ ଶିକ୍ଷକଙ୍କ ବିରୋଧରେ ଗତବର୍ଷ କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା । ତଥାପି ଜାଲ୍‌ ସାର୍ଟିଫିକେଟ୍‌ ଉପରେ ରୋକ ଲଗାଯାଇପାରି ନାହିଁ ।