ସିସୋଦିଆଙ୍କ ବାସଭବନରେ ସିବିଆଇ ଚଢାଉ, ପ୍ରତିକ୍ରିୟା ରଖିଲେ କଂଗ୍ରେସ ପ୍ରବକ୍ତା ପୱନ ଖେଡା

165

କନକ ବ୍ୟୁରୋ : ଦିଲ୍ଲୀ ସରକାରଙ୍କ ଅବକାରୀ ନୀତି ମାମଲାରେ ଆଜି ଉପ ମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆଙ୍କର ବିଭିନ୍ନ ଠିକଣାରେ ଚଢାଉ କରିଛି ସିବିଆଇ । ଏହି କ୍ରମରେ ସିବିଆଇର ଏଭଳି ଚଢାଉକୁ ଆମ୍ ଆଦମୀ ପାର୍ଟି ବିରୋଧ କରିଥିବା ବେଳେ କଂଗ୍ରେସ ଏହକୁ ପରୋକ୍ଷରେ ସମର୍ଥନ କରିଛି । କଂଗ୍ରେସ ପ୍ରବକ୍ତ ପୱନ ଖେଡା ତାଙ୍କ ଟ୍ୱିଟରରେ କେଜ୍ରିୱାଲ କିମ୍ବା ଆମ୍ ଆଦମୀ ପାର୍ଟିର ନାଁ ନନେଇ ଲେଖିଛନ୍ତି ଯେ. ଜାତୀୟ ଯାଂଚ ଏଜେନ୍ସିର ନିରନ୍ତର ଦୂରୋପଯୋଗର ଏକ କ୍ଷତି ହେଉଛି କି ଯେତେବେଳେ ବି ଯାଂଚ ଏଜେନ୍ସି ଠିକ୍ କାମ କରୁଛି ତାହାକୁ ବି ସନ୍ଦେହ ଘେରରେ ଦେଖା ଯାଉଛି । ଏହି ପ୍ରକ୍ରିୟାରେ ଜାତୀୟ ଏଜେନ୍ସିର ଦୂରୋପଯୋଗ ପାଇଁ ଭ୍ରଷ୍ଟ ଓ ଦୁର୍ନୀତି ଖୋର ଲୋକ ଲୁଚି ଯାଉଛନ୍ତି । ଏହାର ଦାମ ଭଲ ଲୋକଙ୍କୁ ଦେବାକୁ ପଡୁଛି ।

ସୂଚନା ଥାଉକି ଦିଲ୍ଲୀ ଅବକାରୀ ନୀତି ମାମଲାରେ ଏକ ଅଭିଯୋଗ ପରେ ଆଜି ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆଙ୍କର ୨୧ ଟି ଠିକଣାରେ ଚଢାଉ କରିଛି ସିବିଆଇ । ଅଧିକାରୀ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ଗତବର୍ଷ ନଭେମ୍ବର ମାସରେ ଅଣାଯାଇଥିବା ଦିଲ୍ଲୀ ଅବକାରୀ ନୀତି ପ୍ରସ୍ତୁତ କରିବା ଓ ଏହାକୁ କାର୍ଯ୍ୟକାରୀ କରିବାରେ ଅନିୟମିତତା ହୋଇଥିବା ନେଇ ଅଭିଯୋଗ ହୋଇଥିଲା ।

ସେପଟେ ସିବିଆଇର ଏଭଳି କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏକ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି କି ଦିଲ୍ଲୀର ଶିକ୍ଷା ବ୍ୟବସ୍ଥାକୁ ସାରା ବିଶ୍ୱ ପ୍ରଶଂସା କରୁଛି  । ଏହାକୁ ରୋକିବା ପାଇଁ କେନ୍ଦ୍ର ସରକାର ଏଭଳି ଯୋଜନା କରିଛନ୍ତି । ଏହି କାରଣରୁ ଦିଲ୍ଲୀର ଶିକ୍ଷା ଓ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଘରେ ଚଢାଉ ହେଉଛି ।