ମହାରାଷ୍ଟ୍ର ସଙ୍କଟ : ଆଜି ଆସ୍ଥା ଲୋଡ଼ିବେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ

125

କନକ ବ୍ୟୁରୋ : ଆଜି ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବେ ଏକନାଥ ସିନ୍ଦେ । ବାଚସ୍ପତି ନିର୍ବାଚନ ପରେ ଫ୍ଲୋର ଟେଷ୍ଟ ଉପରେ ସମସ୍ତଙ୍କ ନଜର । ମୋଟି ୨୮୮ ବିଧାୟକଙ୍କ ମଧ୍ୟରୁ ବିଜେପି ଏବଂ ସିନ୍ଦେଙ୍କ ସପକ୍ଷରେ ପଡିଥିଲା ୧୬୪ ଭୋଟ । ବିଧାୟକ ‌ଦଳ ନେତା ପଦରୁ ଶିବସେନା ବିଧାୟକ ଅଜୟ ଚୌଧାରୀଙ୍କୁ ବାଚସ୍ପତି ବିଦା କରିଛନ୍ତି । ବାଚସ୍ପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ଏ ନେଇ ଏକ ଚିଠି ଜାରି କରାଯାଇଛି । ଏଥିସହିତ ସିନ୍ଦେଙ୍କୁ ବିଧାୟକ ଦଳ ‌ନେତାଭାବେ ପୁନଃଅବସ୍ଥାପିତ କରାଯାଇଛି । ସେହିଭଳି ସ‌ିନ୍ଦେ ଗୋଷ୍ଠୀ ପକ୍ଷରୁ ଭରତ ଗୋଗୱାଲେଙ୍କୁ ମୁଖ୍ୟ ସଚେତକ ଭାବେ ସ୍ବୀକୃତି ଦିଆଯାଇଛି । ପୂର୍ବରୁ ଏହି ପଦରେ ରହିଥିବା ଉଦ୍ଧବ ଠାକ୍‌ରେଙ୍କ ଗୋଷ୍ଠୀର ବିଧାୟକ ସୁନୀଲ ପ୍ରଭୁଙ୍କୁ ହଟାଇ ଦିଆଯାଇଛି ।

ଆଜି ବିଧାନସଭାରେ ଆସ୍ଥା ଭୋଟ ହେବାକୁ ଥିବା ବେଳେ ବିଳମ୍ବିତ ରାତିର ଏହି ଘଟଣା ଶିବସେନା ପାଇଁ ଏକ ବଡ଼ ଝଟ୍‌କା ହୋଇଛି । ଏହାଫଳରେ ଉଦ୍ଧବଙ୍କ ପଟେ ଥିବା ୧୬ ବିଧାୟକ ସୋମବାର ଆସ୍ଥା ଭୋଟ ପୂର୍ବରୁ ଗୋଗୱାଲେଙ୍କ ପକ୍ଷରୁ ଜାରି ହେବାକୁ ଥିବା ହ୍ବିପ୍ ମାନିବାକୁ ବାଧ୍ୟହେବେ । ଯଦି ଏହି ୧୬ ବିଧାୟକ ହ୍ବିପକୁ ନମାନନ୍ତି ତା’ହେଲେ ସେମାନେ ଅଯୋଗ୍ୟ ହୋଇପାରନ୍ତି । ଆସ୍ଥା ଭୋଟ ପୂର୍ବରୁ ରବିବାର ଦିନ ମୁମ୍ବାଇର ଏକ ହୋଟେଲରେ ନବନିଯୁକ୍ତ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଓ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସ ବିଜେପି ଓ ତାଙ୍କ ଗୋଷ୍ଠୀର ବିଧାୟକମାନଙ୍କ ସହିତ ବୈଠକ ବି କରିଥିଲେ ।

ଏହାପୂର୍ବରୁ ମହାରାଷ୍ଟ୍ର ବିଧାନସଭାର ଦୁଇଦିନିଆ ସ୍ବତନ୍ତ୍ର ଅଧିବେଶନ ରବିବାରଠାରୁ ଆରମ୍ଭ ହୋଇଛି । ପ୍ରଥମ ଦିନରେ ବିଜେପିର ରାହୁଲ ନର୍ବେକର ବାଚସ୍ପତି ଭାବେ ନିର୍ବାଚିତ ହୋଇଛନ୍ତି । ଆସନ୍ତାକାଲି ଏକନାଥ ସିନ୍ଦେ ସରକାର ସଂଖ୍ୟାଗରିଷ୍ଠତାର ପ୍ରମାଣ କରିବା ପାଇଁ ସ୍ଥିର ହୋଇଛି । ବିଧାନସଭାରେ ହୋଇଥିବା ସେମିଫାଇନାଲରେ ବିଜେପି ଓ ସିନ୍ଦେ ଗୋଷ୍ଠୀ ବିଜୟୀ ହୋଇଥିବା ବେଳେ ଆସନ୍ତାକାଲି ହେବାକୁ ଥିବା ସଂଖ୍ୟାଗରିଷ୍ଠତା ପ୍ରମାଣକୁ ଫାଇନାଲ ଭାବେ ବିବେଚନା କରାଯାଉଛି। ତେଣୁ ଫ୍ଲୋର ଟେଷ୍ଟ୍‌ ଉପରେ ସମସ୍ତଙ୍କ ନଜର ରହିଛି । ମହାରାଷ୍ଟ୍ର ବିଧାନସଭାବେ ମୋଟ ବିଧାୟକଙ୍କ ସଂଖ୍ୟା ୨୮୮ । ବାଚସ୍ପତି ନିର୍ବାଚନରେ ବିଜେପି-ସିନ୍ଦେ ଗୋଷ୍ଠୀ ୧୬୪ଟି ଭୋଟ୍ ପାଇଛନ୍ତି ।

ମହାବିକାଶ ଅଘାଡ଼ି ମେଣ୍ଟର ବାଚସ୍ପତି ପ୍ରାର୍ଥୀ ଭାବେ ଶିବସେନାର ରାଜନ ସାଲଭି ଲଢ଼ୁଥିଲେ। ତାଙ୍କୁ ୧୦୭ଟି ଭୋଟ୍ ମିଳିଛି । ଯଦି ଏଭଳି ସ୍ଥିତି କାଲି ମଧ୍ୟ ଜାରି ରହେ ତାହେଲେ ସରକାର ଆସ୍ଥା ଭୋଟରେ ବିଜୟୀ ହେବା ଆଶା ଉଜ୍ଜ୍ବଳ । ତେବେ ମହାରାଷ୍ଟ୍ର ରାଜନୀତି ଆଇନ ଜାଲରେ ବି ଛନ୍ଦି ହୋଇଛି । ମାମଲା ସୁପ୍ରିମ କୋର୍ଟରେ ରହିଛି। ଶିବସେନାର ଏକନାଥ ସିନ୍ଦେଙ୍କ ସମେତ ବିଦ୍ରୋହୀ ଗୋଷ୍ଠୀର ୧୬ ଜଣ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା ପାଇଁ ଉଦ୍ଧବଙ୍କ ଗୋଷ୍ଠୀ ପକ୍ଷରୁ ସୁପ୍ରମ କୋର୍ଟରେ ମାମଲା ହୋଇଛି । ଯଦି ସୁପ୍ରିମ କୋର୍ଟ ଏହି ୧୬ ଜଣଙ୍କୁ ଅଯୋଗ୍ୟ ଘୋଷଣା କରନ୍ତି ତାହେଲେ ବିଧାନସଭାର ମୋଟ ସଭ୍ୟ ସଂଖ୍ୟା ୨୭୨କୁ କମିଯିବ । ଏ କ୍ଷେତ୍ରରେ ଆସ୍ଥା ଭୋଟରେ ଜିତିବା ପାଇଁ ସରକାରଙ୍କୁ ୧୩୭ ଜଣ ବିଧାୟକଙ୍କ ଭୋଟ ଆବଶ୍ୟକ ।