ଆଦିବାସୀ ମହିଳାଙ୍କୁ ଛତୁ ଚାଷ ଦେଉଛି ରୋଜଗାର । ବର୍ଷକୁ ଲକ୍ଷାଧିକ ଟଙ୍କା ରୋଜଗାର କରି ସ୍ୱାବଲମ୍ବୀ ହୋଇଛନ୍ତି ମହିଳା

321

କନକ ବ୍ୟୁରୋ : ଆଦିବାସୀ ମହିଳାଙ୍କୁ ଛତୁ ଚାଷ ଦେଉଛି ରୋଜଗାର । ବର୍ଷକୁ ଲକ୍ଷାଧିକ ଟଙ୍କା ରୋଜଗାର କରି ସ୍ୱାବଲମ୍ବୀ ହୋଇଛନ୍ତି ମହିଳା । ସମ୍ବଲପୁର କୁଚିଣ୍ଡା ଉପଖଣ୍ଡ ବାମରା ବ୍ଲକର ଆଦିବାସୀ ମହିଳା ମାନେ ନିଜସ୍ୱ ଉଦ୍ୟମରେ ଛତୁ ଚାଷ କରି ବେଶ ୨ ପଇସା ରୋଜଗାର କରୁଛନ୍ତି ।

ଛତୁ, ସ୍ୱାସ୍ଥ୍ୟ ପାଇଁ ଯେତିକି ହିତକର ଖାଇବାକୁ ମଧ୍ୟ ସେତିକି ସ୍ୱାଦିଷ୍ଟ । ଏହାକୁ ଖାଇବାକୁ ପ୍ରାୟ ସମସ୍ତେ ପସନ୍ଦ କରିଥାଆନ୍ତି । ତେଣୁ ରାଜ୍ୟର ପ୍ରାୟ ଅଧିକାଂଶ ସ୍ଥାନରେ ଛତୁଚାଷ କରି ଲାଭବନ ହେଉଛନ୍ତି ଲୋକେ । ଏହା ଏକ ଅର୍ଥକାରୀ ଚାଷ ହୋଇଥିବା ବେଳେ ଏଥିପାଇଁ ଦରକାର ପଡ଼ୁଥିବା ଆବଶ୍ୟକୀୟ ଉପକରଣ ଅତି ସହଜରେ ମିଳିଯାଇଥାଏ । ତେଣୁ ଗାଁ ଗହଳିରେ ଏହି ଚାଷକୁ ଅତି ସହଜରେ କରାଯାଇପାରୁଛି । ପୁରୁଷ ହୁଅନ୍ତୁ ଅବା ମହଳା ଏହି ଚାଷକୁ ଆପଣାଇ ବେଶ ଲାଭବାନ ହେଉଛନ୍ତି । ତେବେ ଛତୁଚାଷ କରି ସ୍ୱାବଲମ୍ବୀ ହୋଇଛନ୍ତି ସମ୍ବଲପୁର ଉପଖଣ୍ଡ କହପାଣି ଗାଁର ଏସଏଚଜି ମହିଳା । ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠିର ୫୦ ଜଣ ଆଦିବାସୀ ମହିଳା ଏକାଠି ହୋଇ ଏହି ଛତୁ ଚାଷ କରୁଛନ୍ତି ।

ଘର କାମ ସାରି ଏହି ଚାଷ କରିବାକୁ ମହିଳା ମାନେ ଏକ ନିର୍ଦ୍ଧିଷ୍ଟ ସମୟରେ ଏକାଠି ହୋଇ ଛତୁଚାଷରେ ମନନିବେଶ କରନ୍ତି । ଛତୁଚାଷ ପାଇଁ ପ୍ରଥମେ ଛଣ ଓ ପାଳରେ ବେଡ଼ ପ୍ରସ୍ତୁତ କରାଯାଏ । ଏହାପରେ ଏହି ବେଡ଼କୁ ପାଣିରେ ଭିଜାଇ ରଖିବାକୁ ପଡ଼ିଥାଏ । ପାଣିରୁ ଛଣ ଗୁଡ଼ିକୁ ଛାଣି ବାଉଁଶରେ ତିଆରି ର୍ୟାକ୍ରେ ରଖିଥାଆନ୍ତି ମହିଳା ମାନେ । ଏହା ପରେ ଛଣରେ ଛତୁ ମଂଜି ଦେଇ ପଲିଥିନ୍ ପ୍ୟାକ କରିଥାଆନ୍ତି । ଦିନେ ୨ ଦିନ ଭିତରେ ମଂଜି ଛତୁ ବଡ଼ ହେବା ପରେ ଏହାକୁ ତୋଳିଥାଆନ୍ତି ମହିଳା । ଛତୁ ବେଡ଼ରେ ପାଣି ସ୍ପ୍ରେ କରିବା, ଛତୁ ତୋଳିବା, ଓଜନ ଓ ପଲିଥିନ୍ରେ ପ୍ୟାକିଂ କରିବା ଭଳି ସମସ୍ତ କାମ ମହିଳା ମାନେ ଏକାଠି ହୋଇ କରିଥାଆନ୍ତି । ବ୍ୟବସାୟୀ ମାନେ ମହିଳାଙ୍କ ଠାରୁ ଛତୁ ସଂଗ୍ରହ କରି ସ୍ଥାନୀୟ ବଜାରରେ ବିକ୍ରି କରନ୍ତି । ଯାହା ଦ୍ୱାରା ବିକ୍ରିବଟାରେ କିଛି ଅସୁବିଧା ହେଉନାହିଁ । ଖରାଦିନେ କିଲୋପ୍ରତି ୩୨୦ ଟଙ୍କାରେ ବିକ୍ରି କରୁଥିବା ବେଳେ ଏବେ ୨୫୦ ଟଙ୍କାରେ ବିକ୍ରି କରାଯାଉଛି ।

ଗ୍ରୁପର ସଦସ୍ୟା ମାନେ ଆଇଟିଡିଏ ତରଫରୁ ତାଲିମ ଓ ସହଯୋଗ ନେଇ ଏହି ଚାଷ ଉପରେ ବେଶ ସଫଳତା ପାଇଛନ୍ତି । ଦିନକୁ ପ୍ରାୟ ୧୫ ରୁ ୨୦ କେଜି ଛତୁ ବିକ୍ରି କରାଯାଉଛି । ଆଦିବାସୀ ମହିଳା ମାନେ କିପରି ସ୍ୱାବଲମ୍ବୀ ହୋଇ ଉନ୍ନତି କରିବେ ସେଥିପାଇଁ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ବିଭିନ୍ନ ସରକାରୀ ସ୍କିମ ଜରିଆରେ ସେମାନଙ୍କୁ ତାଲିମ ସହ ଆନୁସାଙ୍ଗିକ ଉପକରଣ ମାଗଣାରେ ଯୋଗାଇ ଦେଇଛନ୍ତି ।