ବେଆଇନ ଅର୍ଥ କାରବାର ମାମଲା । ମହାରାଷ୍ଟ୍ର ପୂର୍ବତନ ଗୃହମନ୍ତ୍ରୀଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ନୋଟିସ । ୨ ସହଯୋଗୀ ଗିରଫ୍

152

କନକ ବ୍ୟୁରୋ : ୧୦୦ କୋଟି ଟଙ୍କା ଲାଞ୍ଚ ମାମଲାରେ ଅଭିଯୁକ୍ତ ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ନୋଟିସ କରିବା ସହ ଶନିବାର ଦିନ ଯାଂଚ ଏଜେନ୍ସି ନିକଟରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ । ହେଲେ ଆଜି ଦେଶମୁଖଙ୍କ ଓକିଲ ଇଡିରେ ହାଜର ହୋଇ ତାରିଖ ମାଗିଛନ୍ତି ।

ଅନ୍ୟପଟେ ଏହି ମାମଲାରେ ଇଡି ଶୁକ୍ରବାର ରାତିରେ ଦେଶମୁଖଙ୍କ ବ୍ୟକ୍ତିଗତ ସଚିବ ସଞ୍ଜୀବ ପଲାଣ୍ଡ ଓ ସହାୟକ କୁନ୍ଦନ ସିନ୍ଦେଙ୍କୁ ଗିରଫ୍ କରିଛି । ଏହା ପୂର୍ବରୁ ଇଡି ଦେଶମୁଖଙ୍କ ମୁମ୍ବାଇ ଓ ନାଗପୁର ସ୍ଥିତ ଦେଶମୁଖଙ୍କ ବାସଭବନରେ ଚଢାଉ କରିଥିଲା । ଏହାପରେ ଇଡି ପକ୍ଷରୁ ପଲାଣ୍ଡ ଓ ସିନ୍ଦେଙ୍କୁ ଇଡି କାର୍ଯ୍ୟାଳୟକୁ ନିଆଯାଇଥିଲା । ସେମାନଙ୍କୁ ଆଜି ମୁମ୍ବାଇର ସ୍ୱତନ୍ତ୍ର ପିଏମଏଲଏ କୋର୍ଟରେ ହାଜର କରାଯିବ । ସେଠାରେ ସେମାନଙ୍କୁ ରିମାଣ୍ଡରେ ନେବାକୁ ଇଡି କୋର୍ଟଙ୍କୁ ଅନୁମତି ମାଗିବ ।

କହିରଖୁ କି ମୁମ୍ବାଇର ପୂର୍ବତନ ପୋଲିସ ଆୟୁକ୍ତ ପରମବୀର ସିଂ ଦେଶମୁଖଙ୍କ ବିରୋଧରେ ଲାଂଚ ନେଇଥିବା ଅଭିଯୋଗ କରିଥିଲେ । ଏହାକୁ ନେଇ କୋର୍ଟ ଏବାବଦରେ ଯାଂଚ କରିବାକୁ ଯାଂଚ ଏଜେନ୍ସିକୁ ନିର୍ଦ୍ଦେଶ ଦେଇଥିଲେ । ଏଭଳି ଅଭିଯୋଗ ଆସିବା ପରେ ଏପ୍ରିଲ ମାସରେ ଅନୀଲ ଦେଶମୁଖ ମହାରାଷ୍ଟ୍ର ଗୃହମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ    ।

ଆଣ୍ଟିଲିଆରେ ଜିଲୋଟିନ ଷ୍ଟିକ ରଖିବା ମାମଲାରେ ସଚିନ ବାଜେଙ୍କ ନାମ ଆସିବା ପରେ ମୁମ୍ବାଇର ପୂର୍ବତନ ପୋଲିସ ଆୟୁକ୍ତ ପରମବୀର ସିଂଙ୍କୁ ସେବା ନିବୃତ୍ତ କରାଯାଇଥିଲା । ଏହାପରେ ଶ୍ରୀ ସିଂ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଚିଠି ଲେଖି ଦେଶମୁଖଙ୍କ ନାମରେ ଅଭିଯୋଗ କରିଥିଲେ । ସେ ଚିଠିରେ ଲେଖିଥିଲେ କି ଦେଶମୁଖ ବାଜେଙ୍କୁ ମୁମ୍ବାଇର ରେଷ୍ଟୁରାଣ୍ଟ ଓ ବାରରୁ ମାସିକ ୧୦୦ କୋଟି ଟଙ୍କା ଅସୁଲ କରି ତାଙ୍କୁ ଦେବାକୁ ଦେଶମୁଖ ଚାପ ପକାଉଥିଲେ ।