ସାରା ରାଜ୍ୟରେ ଅନ୍ନଦାତାଙ୍କ ଉପେକ୍ଷାର ସାଘାଂତିକ ଅଭିଯୋଗ । ୧୨ ଦିନିଆ ଟୋକନ ଅବଧି ପାଇଁ ବ୍ରିକି ହୋଇ ପାରିଲାନି ରବି ଧାନ । ମଣ୍ଡିରେ ଓ ଘରେ ପଡ଼ି ହୋଇଗଲାଣି ଗଜା 

93

କନକ ବ୍ୟୁରୋ: ମଣ୍ଡିରେ ପଡି ରହିଛି ବସ୍ତା ବସ୍ତା ଧାନ । ହେଲେ ଧାନ କିଣିବାକୁ କେହି ଆସୁ ନାହାନ୍ତି । କଳାହାଣ୍ଡି ଜିଲ୍ଲା ଜୁନାଗଡ ବ୍ଲକ ଦାସୀ ଗାଁ ମଣ୍ଡିରେ ୧୦୭ ଚାଷୀଙ୍କ ପ୍ରାୟ ୮ ହଜାର ୩ଶହ ୮୮ କ୍ୱିଂଟାଲ ଧାନ ବିକ୍ରି ହୋଇନପାରି ମଣ୍ଡିରେ ପଡି ରହିଛି । ଅଧାରୁ ଅଧିକ ଚାଷୀଙ୍କ ଟୋକନ ଲ୍ୟାପ୍ସ ହୋଇଥିବା ବେଳେ ବହୁ ଚାଷୀଙ୍କ ପଞ୍ଜିକରଣ ହିସାବରେ ଟୋକନ ଆସିନାହିଁ । ଫଳରେ ଧାନ ବିକ୍ରି କରିପାରୁ ନାହାନ୍ତି ଦାସୀ ଗାଁ ଅଂଚଳର ଚାଷୀ । ଏନେଇ ଜିଲ୍ଲା ପ୍ରଶାସନକୁ ଜଣାଇଥିଲେ ମଧ୍ୟ କେହି ଶୁଣୁନଥିବା ଅଭିଯୋଗ କରିଛନ୍ତି ଚାଷୀ

ସେହିପରି କୋରାପୁଟ ଜିଲ୍ଲାରେ ମଧ୍ୟ ଏଭଳି ଅବ୍ୟସ୍ଥା ଦେଖିବାକୁ ମିଳିଛି । ଗଦା ହୋଇ ପଡିଛି ଶହ ଶହ କ୍ୱିଟାଂଲ ଧାନ । କେତେକ ଖୋଲା ମେଲାରେ ବର୍ଷାରେ ଭିଜୁଛି, ତ ଆଉ କେତେକ ପଲିଥିନ ଛାତ ତଳେ ଗଦା ହୋଇ ରହିଛି । ଚାଷୀ ଘରେ ଧାନ ଗଦା କରି ରଖିଛି । ରବି ଧାନ ବିକ୍ରି ପାଇଁ ଟୋକନ ଜାରି କଲେ ସରକାର । ଜିଲ୍ଲା ଯୋଗାଣ ବିଭାଗ ଧାନ କିଣିବା କଥା । ହେଲେ ଉଭୟଙ୍କ ଭିତରେ ତାଳମେଳର ଅଭାବରୁ କେବଳ ହୀନସ୍ତା ହେଉଛନ୍ତି ଅନ୍ନଦାତା ।

ସେହିପରି ଗତ ୨୩ ତାରିଖରୁ ସମ୍ବଲପୁର ଜିଲ୍ଲାରେ ବନ୍ଦ ହୋଇଯାଇଛି ମଣ୍ଡି । ଏପଟେ କିନ୍ତୁ ମଣ୍ଡିରେ କିମ୍ବା ଘରେ ଗଦା ହୋଇ ରହିଛି ଚାଷୀର ଧାନ । ଏ ହେଉଛି ଜିଲ୍ଲାର ପରମାଣପୁର, ତବଲା ଓ ଶେରସୁଆଁତଳ ଅଂଚଳରେ ଥିବା ବିଭିନ୍ନ ଗାଁର ଚିତ୍ର । ବିକ୍ରି ହୋଇନପାରି ଚଳିତ ରବୁ ରୁତୁର ଧାନ ଘରେ ପଡି ରହିଥିବାବେଳେ ମଣ୍ଡିରେ ମଧ୍ୟ ଗଦା ହୋଇଛି ।

ସେହିପରି ବରଗଡରେ ମଧ୍ୟ ବିଭିନ୍ନ ସମସ୍ୟା ଯୋଗୁଁ ମଣ୍ଡିରେ ଧାନ ପଡିରହିଛି । ମୋସୁମୀ ବର୍ଷାରେ ଧାନସବୁ ପଡି ପଡି ଗଜା ହୋଇଗଲାଣି । ଧାନ ଉଠାଇବା ଦାବିରେ ବିଭିନ୍ନ ସମୟରେ ଚାଷୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ସରକାର ଓ ପ୍ରାଶାସନିକ କଳ ପ୍ରତିଶ୍ରୁତି ପରେ ପ୍ରତିଶ୍ରୁତି ଦେଉଛନ୍ତି । ହେଲେ ତାହା କାମରେ ପ୍ରତିଫଳନ ହେଉନଥିବା ଅଭିଯୋଗ କରିଛନ୍ତି ଚାଷୀ । ନିଜ ଅମଳ ବିକି ପାରୁନଥିବା ଚାଷୀଙ୍କ ଭିତରେ ପ୍ରବଳ ଅସନ୍ତୋଷ ଦେଖିବାକୁ ମିଳିଛି ।