ଚାକିରି ବଦଳରେ ଜମି ମାମଲା : ଲାଲୁ ଓ ରାବଡୀଙ୍କ ପରେ ଏବେ ତେଜସ୍ୱୀଙ୍କ ବାସଭବନରେ ଇଡିର ଚଢାଉ

120

କନକ ବ୍ୟୁରୋ : ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ପରିବାର ପାଇଁ ଅଡୁଆ ବଢିବାରେ ଲାଗିଛି । ଚାକିରି ବଦଳରେ ଜମି ଦୁର୍ନୀତି ମାମଲାରେ ପ୍ରବର୍ତନ ନିର୍ଦ୍ଦେଶାଳୟ ବା ଇଡି ୧୫ଟି ସ୍ଥାନରେ ଚଢାଉ କରିଛି । ଆରଜେଡି ନେତା ଅବୁ ଦୋଜାନାଙ୍କ ଫୁଲବାରୀ ସରିଫ ସ୍ଥିତ ବାସଭବନରେ ଚଢାଉ କରାଯାଉଛି । ଦିଲ୍ଲୀରେ ଥିବା ବିହାର ଉପ ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କ ବାସଭବନରେ ମଧ୍ୟ ଚଢାଉ କରାଯାଉଛି । ଏହି ଘରଟି ଦିଲ୍ଲୀର ଫ୍ରେଣ୍ଡସ କଲୋନୀରେ ଅବସ୍ଥିତ । ସମାନ ମାମଲାରେ କିଛିଦିନ ତଳେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ଯାଦବ ଓ ରାବଡୀ ଯାଦବଙ୍କୁ ସିବିଆଇ ଜେରା କରିଥିଲା ।

ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ ଓ ତାଙ୍କ ପରିବାର ଏବେ ଚାକିରି ବଦଳରେ ଜମି ଦୁର୍ନୀତି ମାମଲାରେ ପୁରା ଛନ୍ଦି ହୋଇଯାଇଛନ୍ତି । ଜେଡିୟୁ ରାଷ୍ଟ୍ରୀୟ ଅଧ୍ୟକ୍ଷ ଲଲନସିଂଙ୍କ ଅଭିଯୋଗ ଆଧାରରେ ଏହି ମାମଲାର ଯାଂଚ ଚାଲିଛି ।

ସେପଟେ ଏହି ମାମଲାରେ ଲାଲୁ ଯାଦବଙ୍କ ପରିବାର ଲୋକେ ଅଭିଯୋଗ ଆଣିଛନ୍ତି କି, ରାଜନୈତିକ ଷଡଯନ୍ତ୍ର ଆଧାରରେ ପୁଣିଥରେ ଚାକିରି ବଦଳରେ ଜମି ଦୁର୍ନୀତି ମାମଲା ଉଠା ଯାଇଛି । ପ୍ରଥମରୁ ସିବିଆଇ ଏହି ମାମଲାରେ ୨ଥର ଯାଂଚ କରିସାରିଛି । ହେଲେ ସିବିଆଇକୁ କୌଣସି ପ୍ରମାଣ ମିଳିନଥିବା କଥା ଲାଲୁଙ୍କ ପରିବାର ଲୋକେ କହିଛନ୍ତି ।