କ୍ରାଇମବ୍ରାଞ୍ଚ କଣ ଅପାରଗ ଯେ, ସିବିଆଇ ତଦନ୍ତ କରିବ । ପ୍ରସଙ୍ଗ ନଥିବାରୁ ପ୍ରହସନ କରୁଛନ୍ତି ବିରୋଧୀ । ଗୃହ ଅଚଳକୁ ନେଇ ବିରୋଧୀଙ୍କୁ ଟାର୍ଗେଟ କଲା ବିଜେଡି ।

100

କନକ ବ୍ୟୁରୋ : ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ ପ୍ରସଙ୍ଗକୁ ନେଇ ବିରୋଧୀ ବାରମ୍ବାର ଗୃହରେ ହଟ୍ଟଗୋଳ କରୁଛନ୍ତି । ଯାହାଦ୍ୱାରା ଗୃହକାର୍ଯ୍ୟ ସ୍ୱାଭାବିକ ହୋଇପାରୁନି । ଆଉ ବିରୋଧୀଙ୍କ ଏଭଳି ଆଭିମୁଖ୍ୟକୁ ନେଇ ବର୍ଷିଛି ବିଜେଡି । ବିଜେଡି ବିଧାୟକ ଭାଗିରଥୀ ସେଠୀ କହିଛନ୍ତି, ନବ ଦାସ ହତ୍ୟାକାଣ୍ଡକୁ ନେଇ ଗୃହରେ ଆଲୋଚନା ହେଲା ପରେ କାହିଁକି ବିରୋଧୀ ହଟ୍ଟଗୋଳ କରୁଛନ୍ତି । ବିରୋଧୀ କହିଦେଲେ କଣ ମୁଖ୍ୟମନ୍ତ୍ରୀ ଇସ୍ତଫା ଦେଇଦେବେ ? ଏହା ସମ୍ଭବ ନୁହେଁ । ଗୃହରେ ତାଙ୍କର କିଛି ପ୍ରସଙ୍ଗ ନ ଥିବାରୁ ପ୍ରହସନ କରି ଗୃହକୁ ବନ୍ଦ ରଖୁଛନ୍ତି । ଆଗକୁ ନିର୍ବାଚନ ଥିବାରୁ ଏହାକୁ ଇସ୍ୟୁ କରାଯାଉଛି । କ୍ରାଇମବ୍ରାଞ୍ଚ ନବ ବାବୁଙ୍କ ହତ୍ୟାର ତଦନ୍ତ କରୁଛି, ସମୟ ଲାଗିବ । କ୍ରାଇମବ୍ରାଞ୍ଚ ଅପରାଗ ନୁହେଁ, ବହୁତ ତଥ୍ୟ ବାହାର କରୁଛି । ସିବିଆଇ କଣ ଅଧିକ କରିବ, ଆମ ପୋଲିସ କଣ ଅପାରଗ । ବିରୋଧୀଙ୍କ କହିବା ହାସ୍ୟାସ୍ପଦ । ଓଡିଶାରେ ସିବିଆଇ ତଦନ୍ତର ଫଳାଫଳ ଶୂନ ।

ଏହାସହ ନବ ଦାସଙ୍କ ଚରିତ୍ରକୁ ନେଇ ବିରୋଧୀ ଯେଉଁ ପ୍ରଚାର କରୁଛନ୍ତି ତାହାକୁ ନେଇ ଭାଗିରଥୀ କହିଛନ୍ତି, ଯାହାର ଚରିତ୍ର ଖରାପ, ସେ ଅନ୍ୟର ଚରିତ୍ରକୁ ଆକ୍ଷେପ କରେ । ସେ ସ୍ୱର୍ଗରେ ରହିଲେଣି, ତାଙ୍କ ଚରିତ୍ର ସଂହାର କରିବାକୁ ନିନ୍ଦା କରୁଛି ବୋଲି କହିଛନ୍ତି ଭାଗିରଥୀ ।

ସେହିଭଳି ବିଜେଡି ବିଧାୟକ ସୁଧୀର ସାମଲ କହିଛନ୍ତି, ବିଜେପି ଓ କଂଗ୍ରେସ ବିଧାୟକ ବିଧାନ ସଭାକୁ ଯେପରି ବନ୍ଦ କରିଛନ୍ତି ସାଢେ଼ ଚାରି କୋଟି ଓଡିଆ ତାହା ଦେଖୁଛନ୍ତି । ସେମାନେ ଲୋକଙ୍କ ବିଭିନ୍ନ ସମସ୍ୟା ୧୦ଟା ୩୦ରୁ ୧୧ଟା ୩୦ ଉଠାଇବା କଥା । ହେଲେ ସେମାନେ ତାହା କରୁନାହାନ୍ତି । ୨୦୨୪ରେ ରାଜ୍ୟବାସୀ ଉଭୟ ଦଳକୁ ଏହାର ଜବାବ ଦେବେ । ଗୃହରେ ମୁଖ୍ୟମନ୍ତ୍ରୀ ମଧ୍ୟ ଜବାବ ଦେଇ ସାରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଲୋକପ୍ରିୟତାରେ ବର୍ତ୍ତମାନ ବିରୋଧୀ ଭୟଭୀତ ବୋଲି କହିଛନ୍ତି ସୁଧୀର ।