ମାଲକାନଗିରିରେ ଲୌହମୁକ୍ତ ପାଣି ଯୋଗାଇବା ପାଇଁ ବନ ବିଭାଗର ପ୍ରୟାସ । ଲୋକଙ୍କ ପାଖରେ ପହଞ୍ଚାଉଛି ଇକୋ ଏଚ ଟୁ ଓ କିଟ୍ ।

72

କନକ ବ୍ୟୁରୋ: ଖରା ଦିନେ ଦୁର୍ଗମ ଇଲାକାରେ ପିଇବା ପାଣିର ଅଭାବ ଯୋଗୁ ଲୋକ ନଈନାଳରୁ ପାଣି ସଂଗ୍ରହ କରିବା ଚିତ୍ର ନଜରକୁ ଆସେ । ସାରା ରାଜ୍ୟରୁ ପାଣି ସମସ୍ୟା ସଂପର୍କୀତ ଖବର ଗଣମାଧ୍ୟମରେ ପ୍ରକାଶ ପାଏ । ତେବେ ଜଳ ସମସ୍ୟାର ସମାଧାନ କରିବା ପାଇଁ ପ୍ରଶାସନ ପକ୍ଷରୁ ନଳକୁପ ଯୋଗାଇ ଦିଆଯାଇଛି । ତେବେ ପାଣିରେ ଆଇରନ ପରିମାଣ ଅଧିକ ରହୁଥିବାରୁ ସେଗୁଡିକ ବ୍ୟବହାର ଉପଜୋଗୀ ହୋଇପାରୁନାହିଁ । ମାଲକାନଗିରି ଜିଲ୍ଲାର ଦୁର୍ଗମ ଅଂଚଳରେ ଇଲାକାରେ ଲୌହ ମୁକ୍ତ ପାଣି ଯୋଗାଇବା ଲାଗି ପଦକ୍ଷେପ ଗ୍ରହଣ କରିଛି ବନ ବିଭାଗ । ସ୍ୱଳ୍ପ ଖର୍ଚରେ ଯୋଗାଇ ଦିଆଯାଇ ଥିବା ଇକୋ ହେଚ୍ ଟୁ ଓ କିଟ୍ ଏବେ ଗ୍ରାମବାସୀଙ୍କ ପାଇଁ ବରଦାନ ପାଲଟିଛି ।

ଲୌହ ଯୁକ୍ତରୁ ଲୌହ ମୁକ୍ତ, ବିଶୁଦ୍ଧ ପାଣି ପିଇବେ ଆଦିବାସୀ ମଣିଷ । ଆଦିବାସୀଙ୍କୁ ବିଶୁଦ୍ଧ ପିଇବା ପାଣି ଯୋଗାଇବାକୁ ଆଗେଇ ଆସିଛି ବନ ବିଭାଗ । ସ୍ୱଳ୍ପ ଖର୍ଚରେ ଇକୋ ଏଚ୍ ଟୁ ଓ କିଟ୍ ଯୋଗାଇ ଦେଇଛନ୍ତି ମାଲକାନଗିରି ଡିଏଫଓ । ଗୋଟିଏ ଛୋଟ ବାଲ୍ଟିରେ ଏହି ଇକୋ ହେଚ.ଟୁ.ଓ କିଟ ଟୁ ଲଗାଯାଇ ସେଥିରେ ନଳକୁପ କିମ୍ବା ଚୁଆ ପାଣିକୁ ରଖାଯାଉଛି । ଆଉ ଏମିତି କରି ଘଂଟାଏ ଭିତରେ ୧୫ରୁ ୨୦ ଲିଟର ବିଶୁଦ୍ଧ ପାଣି ସଂଗ୍ରହ କରୁଛନ୍ତି ଗ୍ରାମବାସୀ ।

ମୁମ୍ବାଇ ଆଇ.ଆଇ.ଟିର କିଛି ଯୁବ ଇଂଜିନିୟର ଏହି ଇକୋ ଏଚ୍. ଟୁ. ଓ କିଟ୍ ପ୍ରସ୍ତୁତ କରିଛନ୍ତି । ଏହାର ମୂଲ୍ୟ ୧୨ଶହ ଟଙ୍କା । ପାଇପ ଓ ବାଲଟି ମିଶାଇ ପୁରା କିଟ୍ ୧୫ଶହ ଟଙ୍କାରେ ଗାଁ ଲୋକଙ୍କୁ ଯୋଗାଇ ଦେଇଛି ବନ ବିଭାଗ । ପ୍ରଥମ ପର୍ଯ୍ୟାୟରେ ଚିତ୍ରକୋଣ୍ଡା ବନଖଣ୍ଡର ପବ୍ଲିଗୁଡା, ଇଶ୍ୱରଗୁଡା ଏବଂ ବାଲିମେଳା ବନଖଣ୍ଡର ଗୋନ୍ଦିଗୁଡା ଏବଂ ହାତିଆମ୍ବ ଗାଁରେ ଡିଏମ୍ଏଫ୍ ପାଣ୍ଠିରୁ ୧୬୦ ଜଣଙ୍କୁ ଏହି କିଟ ଦିଆଯାଇଛି । ଆଉ ବିଶୁଦ୍ଧିକରଣ ପୂର୍ବରୁ ପାଣିରେ ଲୌହ ମାତ୍ରା ଲିଟର ପିଛା ୩ ମିଲିଗ୍ରାମରୁ ଅଧିକ ରହୁଥିବା ବେଳେ ବିଶୁଦ୍ଧିକରଣ ପରେ ଏହା ୦.୩ ମିଲିଗ୍ରାମ ପ୍ରିତ ଲିଟର ରହୁଥିବା କହିଛନ୍ତି ଡିଏଫଓ ପ୍ରତୀପ ମିରାସେ ।

ପୂରା ରାଜ୍ୟ ତୁଳନାରେ ମାଲକାନଗିରି ଜିଲ୍ଲାରେ କିଡନୀ ରୋଗୀ ଓ କିଡନୀ ଜନିତ ମୃତ୍ୟୁ ସଂଖ୍ୟା ଯଥେଷ୍ଟ ଅଧିକ । ଆଉ ଆଇରନ ଯୁକ୍ତ ପିଇବା ପାଣି ଯୋଗୁଁ ରୋଗୀଙ୍କ ସଂଖ୍ୟା ବଢୁଥିବା ଅଭିଯୋଗ ହୁଏ । ତେଣୁ ଲୋକଙ୍କୁ ଭଲ ପିଇବା ପାଣି ଯୋଗାଇ ଦେବା ଉଦ୍ଦେଶ୍ୟରେ ଏହି କିଟ୍ର ବହୁଳ ବ୍ୟବହାର ଉପରେ ଜୋର ଦେଇଛି ବନ ବିଭାଗ ।