ନକଲି କୀଟନାଶକ ବ୍ୟବହାର ଘଟଣା ! ପରୀକ୍ଷଣ ପରେ ୧୧ଟି କମ୍ପାନୀ ବ୍ଲାକ ଲିଷ୍ଟେଡ ଘୋଷଣା

21

କନକ ବ୍ୟୁରୋ : ଫସଲ କ୍ଷୟକ୍ଷତି ନେଇ କୃଷି ବିଭାଗ ସମୀକ୍ଷା କରିଛି । କୀଟନାଶକ ପରୀକ୍ଷଣ ପରେ ୧୧ଟି ନମୁନା ଖରାପ ବାହାରିବା ପରେ ସମ୍ପୃକ୍ତ କମ୍ପାନୀ ଗୁଡିକୁ ରିପୋର୍ଟ ତଲବ କରିଛି ବିଭାଗ । ସେହି କମ୍ପାନୀ ଗୁଡିକୁ ବିକ୍ରି ଉପରେ କଟକଣା ଲଗାଇବା ସହ ରିପୋର୍ଟ ତଲବ କରାଯାଇଛି । ଅକ୍ଟୋବର ମାସରେ ୫୮ଟି କୀଟନାଶକ ନମୁନା ଯାଂଚ କରାଯାଇଥିବା ବେଳେ ନଭେମ୍ବରରେ ୧୦୦ଟି ନମୁନା ଯାଂଚ କରାଯାଇଥିଲା । ବୈଠକ ପରେ ଏନେଇ ସୂଚନା ଦିଆଯାଇଛି । ଏହାସହ ଲଘୁଚାପ ବର୍ଷା ଯୋଗୁଁ ଚାଷ ଜମିରେ ପାଣି ଜମିଥିଲେ ମଧ୍ୟ ଫସଲରେ ପୋକର କୌଣସି ପ୍ରଭାବ ପଡିବନାହିଁ ବୋଲି କହିଛନ୍ତି କୃଷି ସଚିବ । ସେଥିପାଇଁ ଅନୁଧ୍ୟାନ କରି ରିପୋର୍ଟ ଦେବାକୁ ପ୍ରତି ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି ସୌରଭ ଗର୍ଗ ।

ଅନ୍ୟପଟେ ଚାଷୀଙ୍କୁ ମିଳିବ କ୍ଷୟକ୍ଷତି ଜନିତ ସହାୟତା । ଚକଡା ପୋକ ପ୍ରଭାବିତ ଚାଷୀଙ୍କୁ ଆଜିଠୁ ସବସିଡି ମିଳିବ । ଅନଲାଇନ୍ ମାଧ୍ୟମରେ ମିଳିବ ସହାୟତା । ଗାଇଡଲାଇନ୍ ଅନୁସାରେ ୭ ଦିନ ଭିତରେ ସବସିଡି ଦେବାକୁ ନିର୍ଦ୍ଦେଶ । ସନ୍ଧ୍ୟା ସୁଧା କେତେ ଚାଷୀ ସବସିଡି ପାଇଲେ ତାହାର ରିପୋର୍ଟ ଦେବାକୁ ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏହି ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର ବିଷ୍ଣ ପଦ ସେଠୀ । ତେବେ ଚକଡା ପୋକ ଜନିତ କ୍ଷୟକ୍ଷତି ପାଇଁ କେନ୍ଦ୍ରକୁ କୌଣସି ସହାୟତା ମଗାଯିବନି । ରାଜ୍ୟ ବିପର୍ଯ୍ୟୟ ପରଚାଳନା ପାଣ୍ଠିରୁ ସବସିଡି ପ୍ରଦାନ କରାଯିବ । ଏବଂ ଏସଡିଆରଏଫ୍ ର ଗାଇଡ୍ଲାଇନ ପରିବର୍ତନ ପାଇଁ କୁହାଯିବ ବୋଲି କହିଛନ୍ତି ଏସଆରସି ।

ସେପଟେ ଆରମ୍ଭ ହୋଇଛି ଧାନ କିଣା ପ୍ରକ୍ରିୟା । ସମ୍ବଲପୁରର ବରେଇପାଲି ଧାନ ମଣ୍ଡିରେ ସରକାରଙ୍କୁ ଧାନ ବିକ୍ରି କରୁଛନ୍ତି ଚାଷୀ । ଧାନ କିଣା ପୂର୍ବରୁ ଚାଷୀଙ୍କ ସହ ଏକ ବୈଠକ ହୋଇଛି । ଏହି ବୈଠକରେ ଧାନ ବିକ୍ରି ପୂର୍ବରୁ ଚାଷୀମାନେ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନହୁଅନ୍ତି ସେବାବଦରେ ଆଲୋଚନା କରାଯାଇଛି । ଯୋଗାଣ ଅଧିକାରୀ, ଉପଜିଲ୍ଲାପାଳ ଓ ଅତିରିକ୍ତ ଜିଲ୍ଲାପାଳ ଚାଷୀଙ୍କ ସହ ଆଲୋଚନା କରିଛନ୍ତି ।

ଏହାସହ ସମ୍ବଲପୁରରେ ଯେଉଁ ୭ଟି ମିଲ୍ରୁ ଯୋଗାଣ ବିଭାଗ ଧାନ ବସ୍ତା ଜବତ କରିଛି ସେହି ମିଲ ଗୁଡିକୁ ଧାନ କିଣାରୁ ବାଦ ଦିଆଯାଇଛି । ସମ୍ପୃକ୍ତ ମିଲ୍ ଗୁଡିକ ତଦନ୍ତ ନସରିବା ଯାଏଁ ଧାନ କିଣି ପାରିବେ ନାହିଁ ବୋଲି ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ରହିଛି । ତେବେ ଏହି ୭ଟି ମିଲ ମଧ୍ୟରୁ ୨ଟି ମିଲ୍ ସରକାରୀ ପ୍ରକ୍ରିୟାରେ ଚାଷୀଙ୍କ ଠାରୁ ଧାନ କିଣିଥାନ୍ତେ । ମିଲରୁ ଧାନ କିଣାରୁ ବାଦ ଦେବା ପରେ ସୃଷ୍ଟି ହେବାକୁ ଥିବା ସମସ୍ୟା ବାବଦରେ ମଧ୍ୟ ଚାଷୀଙ୍କ ସହ ଆଲୋଚନା କରାଯାଇଛି ।