ଡାକ୍ତରଙ୍କୁ ଅଡୁଆ କଦର୍ଯ୍ୟ ଅକ୍ଷର ! ହାଇକୋର୍ଟ ଲଗାଇଲେ ଦଣ୍ଡ, ୫୦୦୦ ଟଙ୍କା ଜୋରିମାନା ଗଣିଲେ ଡାକ୍ତର ।

40

ଡାକ୍ତରଙ୍କୁ ମହଙ୍ଗା ପଡିଲା କଦର୍ଯ୍ୟ ଅକ୍ଷର । ନିଜର ଖରାପ ଅକ୍ଷର ପାଇଁ ଜଣେ ଡାକ୍ତର ଦଣ୍ଡିତ ହୋଇଛନ୍ତି । ଆଲ୍ଲାହାବାଦ ହାଇକୋର୍ଟର ଲକ୍ଷ୍ନୌ ବେଞ୍ଚ୍ କଦର୍ଯ୍ୟ ଅକ୍ଷର ଲେଖିଥିବା (ପଢ଼ି ହେଉ ନ ଥିବା) ୩ ଜଣ ଡାକ୍ତରଙ୍କ ଉପରେ ୫୦୦୦ ହଜାର ଟଙ୍କା ଲେଖାଏଁ ଜରିମାନା କରିଛି । ଗତ ସପ୍ତାହରେ ଶୁଣାଣି ପାଇଁ ଆସିଥିବା ତିନିଟି ଅପରାଧିକ ମାମଲାରେ ସୀତାପୁର, ଉନ୍ନାଓ ଏବଂ ଗୋଣ୍ଡା ଜିଲ୍ଲା ହସ୍ପିଟାଲ୍ ଦେଇଥିବା ପୀଡ଼ିତମାନଙ୍କର ଆଘାତ ରିପୋର୍ଟ ପଢ଼ି ହେଉ ନ ଥିଲା । ଏହାର କାରଣ ଯେଉଁ ଡାକ୍ତରମାନେ ତାହା ଲେଖିଥିଲେ ସେମାନଙ୍କର ଅକ୍ଷର ଅତି କଦର୍ଯ୍ୟ ଥିଲା ।

ଖଣ୍ଡପୀଠ ବିଚାର କଲେ ଯେ ଏହା ଅଦାଲତ କାର୍ଯ୍ୟକ୍ରମରେ ଏକ ବାଧକ । ତେଣୁ ଅଦାଲତ ଉନ୍ନାଓର ଡାକ୍ତର ଟିପି ଜୟସ୍ୱାଲ୍, ସୀତାପୁରର ଡାକ୍ତର ପିକେ ଗୋଏଲ୍ ଏବଂ ଗୋଣ୍ଡାର ଡାକ୍ତର ଆଶିଷ ସକସେନାଙ୍କୁ ସମନ୍ କରିଥିଲେ । ଜଷ୍ଟିସ୍ ଅଜୟୀ ଲାମ୍ବା ଏବଂ ଜଷ୍ଟିସ୍ ସଞ୍ଜୟ ହରକୌଲି ସେମାନଙ୍କୁ ଭର୍ତ୍ସନା କରିବା ସହ ଅଦାଲତ ଲାଇବ୍ରେରିରେ ୫୦୦୦ ଟଙ୍କା ଲେଖାଏଁ ଜରିମାନା ଦାଖଲ କରିବାକୁ କହିଥିଲେ ।

କାମର ବୋଝ ଯୋଗୁଁ ସେମାନେ ସ୍ପଷ୍ଟ ରୂପେ ପ୍ରେସକ୍ରିପସନ୍ ଲେଖି ପାରୁ ନାହାନ୍ତି ବୋଲି ନିବେଦନ କରିଥିଲେ। ଅଦାଲତ ଗୃହ ବିଭାଗର ପ୍ରମୁଖ ସଚିବ, ଡାକ୍ତରୀ ଓ ସ୍ୱାସ୍ଥ୍ୟ ବିଭାଗର ପ୍ରମୁଖ ସଚିବ ଏବଂ ଡାକ୍ତରୀ ଓ ସ୍ୱାସ୍ଥ୍ୟ ବିଭାଗର ଡାଇରେକ୍ଟର୍ ଜେନେରାଲଙ୍କୁ ନିର୍ଦେଶ ଦେଇ କହିଛନ୍ତି କି, ଭବିଷ୍ୟତରେ ମେଡିକୋ ରିପୋର୍ଟ ସବୁ ସହଜ ଭାଷା ଓ ସ୍ପଷ୍ଟ ଅକ୍ଷରରେ ଲେଖାଯିବା ଉଚିତ । ଏଭଳି ରିପୋର୍ଟ ସବୁ କମ୍ପ୍ୟୁଟର୍ରେ ଟାଇପ୍ କରାଗଲେ ଭଲ ହୁଅନ୍ତା ବୋଲି ମଧ୍ୟ ଅଦାଲତ ପ୍ରସ୍ତାବ ଦେଇଛନ୍ତି ।