ଅଙ୍ଗନବାଡି ପିଲାଙ୍କୁ ନିଜ ହାତରେ ଜୋତା ପିନ୍ଧାଇଲେ ସୁନ୍ଦରଗଡ ଜିଲ୍ଲାପାଳ : ପ୍ରତ୍ୟେକ ଦିନ ଜୋତା ପିନ୍ଧି ପାଠ ପଢିବାକୁ ଆସିବା ପାଇଁ ଦେଲେ ଉପଦେଶ

45

କନକ ବ୍ୟୁରୋ : ବର୍ତ୍ତମାନ ସମୟରେ ଓଡିଶାର ଜିଲ୍ଲାପାଳମାନେ ଅନେକ ସ୍କୁଲକୁ ଅଚାନକ ଗସ୍ତ କରୁଥିବା ଦେଖାଦେଇଛି । ତେବେ ଅଙ୍ଗନାବାଡି ପିଲାଙ୍କୁ ଚପଲ ପିନ୍ଧାଇଛନ୍ତି ଜିଲ୍ଲାପାଳ । କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ନିରାଟ ସତ । ତେବେ ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି ସୁନ୍ଦରଗଡ ଜିଲ୍ଲାରେ । ଜିଲ୍ଲାପାଳ କୁନି କୁନି ପିଲାଙ୍କୁ ନିଜ ହାତରେ ଚପଲ ପିନ୍ଧାଉଥିବାର ଦୃଶ୍ୟ ସାମନାକୁ ଆସିଛି । ସୁନ୍ଦରଗଡ ଜିଲ୍ଲାପାଳ ସୁରେନ୍ଦ୍ର କୁମାର ମୀନା ଡୁଡୁକା ଅଙ୍ଗନୱାଡି କେନ୍ଦ୍ରକୁ ଅଚାନକ ପରିଦର୍ଶନ କରିଥିଲେ । ସେଠାରେ ପିଲାଙ୍କ ବସିବା ପାଇଁ ବେଞ୍ଚ, ଡେସ୍କ ସହ ପାଠପଢା ସାମଗ୍ରୀ ବହି, ଖାତା, କଲମ ବଣ୍ଟନ କରିଥିଲେ । ଏହାସହ ମଧ୍ୟାହ୍ନ ଭୋଜନ ପାଇଁ ଥାଳି, ଗିନା ଇତ୍ୟାଦି ମଧ୍ୟ ପିଲାଙ୍କୁ ଦେଇଥିଲେ ଜିଲ୍ଲାପାଳ । ତେବେ ଏତିକି ବେଳେ କୁନି କୁନି ପିଲାମାନେ ଗୋଡରେ ଚପଲ ପିନ୍ଧି ନଥିବା ଜିଲ୍ଲାପାଳ ମୀନାଙ୍କ ନଜରକୁ ଆସିଥିଲା ।

 

ଆଉ ପାଖରେ ଥିବା ଅଧିକାରୀମାନଙ୍କୁ ତୁରନ୍ତ ନିର୍ଦ୍ଦେଶ ଦେଇଥିଲେ ପିଲାଙ୍କ ପାଇଁ ଚପଲ ଆଣିବାକୁ । ଚପଲ ମଧ୍ୟ ସାଙ୍ଗେ ସାଙ୍ଗେ ଆସିଲା । ହେଲେ ଅଭ୍ୟାସ ନଥିବା ଯୋଗୁଁ ଅନେକ ପିଲା ଚପଲ ପିନ୍ଧି ପାରିନଥିଲେ । ଏକଥା ଦେଖି ଜିଲ୍ଲାପାଳ ନିଜ ହାତରେ ଅଙ୍ଗନୱାଡିର ଛୋଟ ଛୋଟ ପିଲାଙ୍କୁ ଚପଲ ପିନ୍ଧାଇ ଦେଇଥିଲେ । ଆଉ ସବୁଦିନ ଚପଲ ପିନ୍ଧିବାକୁ ମଧ୍ୟ ପିଲାମାନଙ୍କୁ ପରାମର୍ଶ ଦେଇଥିଲେ । ଜିଲ୍ଲାପାଳଙ୍କ ଏପରି କାର୍ଯ୍ୟକୁ ସ୍ଥାନୀୟ ଅଂଚଳରେ ବେଶ୍ ପ୍ରଶଂସା କରାଯାଇଛି । କିଛି ଦିନ ତଳେ ସ୍କୁଲ ପିଲାଙ୍କ ସହ ତଳେ ବସି ମଧ୍ୟାହ୍ନ ଭୋଜନ କରି ଚର୍ଚ୍ଚାକୁ ଆସିଥିଲେ ସୁନ୍ଦରଗଡ ଜିଲ୍ଲାପାଳ ସୁରେନ୍ଦ୍ର କୁମାର ମୀନା । ତେବେ କେବଳ ସୁନ୍ଦରଗଡ ଜିଲ୍ଲାପାଳ ନୁହେଁ କେନ୍ଦୁଝର ଜିଲ୍ଲାପାଳ ଆଶିଷ ଠାକେର ମଧ୍ୟ ନରଣପୁର ଉତ୍ତ ବିଦ୍ୟାଳୟରେ ପିଲାମାନଙ୍କୁ ପାଠ ପଢାଇ ଚର୍ଚ୍ଚା ପରିସରକୁ ଆସିଥିଲେ । ଜିଲ୍ଲାପାଳମାନେ ଏପରି ଅଚାନକ ଗସ୍ତ କରୁଥିବାରୁ ସାରା ରାଜ୍ୟରେ ସମସ୍ତ ବିଦ୍ୟାଳୟ ଗୁଡିକରେ ଏବେ ସଠିକ ଭାବରେ ପାଠ ପଢାଯାଉଥିବା ସୂଚନା ମିଳିଛି ।