ବିଜେପିକୁ ମାରିଲା ବିଜେଡି ! ପଂଚାୟତ ଭୋଟ୍ ପୂର୍ବରୁ ଗଡିଲା ମୁଣ୍ଡ

43

କନକ ବ୍ୟୁରୋ : ପଂଚାୟତ ନିର୍ବାଚନ ପୂର୍ବରୁ ଢେଙ୍କାନାଳରେ ବଡ ଧରଣର ରାଜନୈତିକ ହିଂସା । ଜଣେ ବିଜେପି କର୍ମୀଙ୍କୁ ଜଣେ ବିଜେଡି କର୍ମୀ ହତ୍ୟା କରିବା ନେଇ ଅଭିଯୋଗ ଆସିବା ପରେ ଅଶାନ୍ତ ହୋଇଉଠିଛି ଢେଙ୍କାନାଳ । ମୁହାମୁହିଁ ହୋଇଛନ୍ତି ଦୁଇ ବିରୋଧୀ । ଢେଙ୍କାନାଳର ତରଭାରେ ଉତେଜନା ପରିସ୍ଥିତି ଲାଗି ରହିଛି । ଉତ୍ୟକ୍ତ ଗ୍ରାମବାସୀ ଏକ ଟ୍ରାକ୍ଟରରେ ମଧ୍ୟ ନିଆଁ ଲଗାଇଦେଇଥିଲେ ।

ମୃତ ବିଜେପି କର୍ମୀ ସଲମାନ ରାଉତଙ୍କ ସମର୍ଥକ ମାନେ ମୃତଦେହକୁ ରାସ୍ତା ଉପରେ ରଖି ବିକ୍ଷୋଭ କରିଛନ୍ତି ।ଢେଙ୍କାନାଳ ସହର ଠାରୁ ମାତ୍ର ୧୦ କିଲୋମିଟର ଦୂର ତରଭାର ଏକ ରାଜନୈତିକ ହତ୍ୟାକାଣ୍ଡକୁ ନେଇ ସାରା ରାଜ୍ୟରେ ଚାଞ୍ଚଲ୍ୟ । ବିଜେପି କର୍ମୀ ସଲମନ ରାଉତଙ୍କୁ ମାରିଲା କିଏ ।

ରାତିଟିଏର ସସପେନସ ଓ ଛକାପଞ୍ଝା ପରେ ପୋଲିସ ଗିରଫ କରିଛି ମୁଖ୍ୟ ଅଭିଯୁକ୍ତକୁ । ସେ ଖଳନାୟକ ହେଲା ତରଭାର ବ୍ୟୋମକେଶ ବିଶ୍ୱାଳ । ଢେଙ୍କାନାଳ ଜିଲ୍ଲା ତରଭାରେ ଘର ଓ ପେଶାରେ କନେଷ୍ଟବଳ । ହେଲେ ନିଶା ରାଜନୀତି । କାରଣ ସେ ଆସିଛି ଏକ ରାଜନୈତିକ ପରିବାରରୁ । ଯାହାର ବାପା ଦାଦା ସମସ୍ତେ ଅଛନ୍ତି ରାଜନୀତିର ପଦପଦବୀରେ । କେବଳ ସେତିକି ନୁହଁ ସମସ୍ତେ ଶାସକ ଦଳର । କେଣୁ ତରଭାରେ ଚାଲେ ବିଶ୍ୱାଳ ପରିବାରର ରାଜ୍ ।

ଆଉ ମୃତ ସଲମନ ହେଉଛନ୍ତି ବିଜେପିର ପକ୍କା ସମର୍ଥକ । ବୃତ୍ତି-ଟ୍ରାଭେଲ ଏଜେନ୍ସି । ଭୁବନେଶ୍ୱର କ୍ୟାବ ଆସୋସିଏସନର ଉପସଭାପତି । ନିର୍ବାଚନ ପ୍ରଚାର ପାଇଁ ସେ ଆସିଥିଲେ ନିଜ ଗାଁ ତରଭାକୁ । ଆଉ ଗତକାଲି ପୋଷ୍ଟର ମରାକୁ ନେଇ ବ୍ୟୋମକେଶ ସଲମନ ମୁହାଁମୁହିଁ ହୋଇଥିଲେ । ବଚସା ଉଗ୍ରରୂପ ନେବା ପରେ ଗର୍ଜିଥିଲା ବନ୍ଧୁକ । ଆଉ ପଞ୍ଚାୟତ ରାଜନୀତିରେ ଯୋଡି ହୋଇଗଲା କଳଙ୍କ ।

ଏଇ ହତ୍ୟାକାଣ୍ଡ ନେଇ ରାଜନୀତି ଜୋର ଧରିଛି । ବିଜେପି ଭୁବନେଶ୍ୱରରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ବିଜେଡିକୁ କାଠଗଡାରେ ଛିଡା କରିଛି । ସେପଟେ ବ୍ୟବଚ୍ଛେଦ ପରେ ମୃଥଦେହକୁ ନେଇ ତରଭାରେ ପହଞ୍ଚିଥିଲେ ବିଜେପି ନେତା । ଯାହାକୁ ନେଇ ତରଭାରେ ଉତ୍ତେଜନା ସୃଷ୍ଟି ହୋଇଛି ।

ସେପଟେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ହତ୍ୟାକାଣ୍ଡ ପାଇଁ ପରୋକ୍ଷରେ ଶାସକ ଦଳକୁ ଦାୟୀ କରିଛନ୍ତି । ଟ୍ୱିଟ୍ କରି ଧର୍ମେନ୍ଦ୍ର କହିଛନ୍ତି, ବିରୋଧୀଙ୍କ ଉପରେ ଶାସକ ଦଳର ଏଭଳି ହିଂସା ଆଚରଣ ଗଣତନ୍ତ୍ର ପାଇଁ ବିପଦ । ନିଜ ଟ୍ୱିଟରେ ଧର୍ମେନ୍ଦ୍ର ଆହୁରି ମଧ୍ୟ ଲେଖିଛନ୍ତି, ପୂର୍ବରୁ ଏଭଳି ରାଜନୈତିକ ହିଂସାକାଣ୍ଡ ଘଟୁନଥିଲା । ଚଳିତ ପଂଚାୟତ ନିର୍ବାଚନରେ ରାଜନୈତିକ ହତ୍ୟାକାଣ୍ଡ ଅଧିକ ଘଟୁଛି । ବିଜେପି ଏହାର ରାଜନୈତିକ ଜବାବ ଦେବ ।