ରାଜ୍ୟ ସରକାରଙ୍କୁ ଝଟକା । ବଳରାମପୁର ଅଚଂଳର ଗଛକଟା ୧୯୮୦ ଜଙ୍ଗଲ ଆଇନ ଉଲଂଘନ ହୋଇଥବା କହିଲେ ଟ୍ରିବ୍ୟୁନାଲ

ଗଛକଟା ଘଟଣାକୁ ନେଇ ଜାତୀୟ ଗ୍ରିନ୍ ଟ୍ରିବ୍ୟୁନାଲ୍ ଶୁଣାଣି

99

କନକ ବ୍ୟୁରୋ : ଢେଙ୍କାନାଳ ବଳରାମପୁର ଅଞ୍ଚଳରେ ମଦ କାରଖାନା ପ୍ରତିଷ୍ଠା ପାଇଁ ଗଛକଟା ଘଟଣାକୁ ନେଇ ଗତକାଲି ଜାତୀୟ ଗ୍ରିନ୍ ଟ୍ରିବ୍ୟୁନାଲ୍ (ଏନଜିଟି) ଦିଲ୍ଲୀସ୍ଥିତ ପ୍ରମୁଖ ଖଣ୍ଡପୀଠରେ ଶୁଣାଣି ହୋଇଛି। ବିଚାରପତି ଏସ୍ ପି ୱାଗ୍ଡ଼ି, ବିଚାରପତି କେ ରାମକୃଷ୍ଣ ଓ ବୈଷୟିକ ସଦସ୍ୟ ଡକ୍ଟର ନଗିନ ନନ୍ଦ କଲିକତାରେ ବିଚାରଧୀନ ଥିବା ମାମଲାକୁ ଭିଡିଓ କନଫରେନ୍ସିଂ ଜରିଆରେ ଶୁଣାଣି କରିଛନ୍ତି। ଗଛକଟା ମାମଲାରେ ଦୁଇ ପକ୍ଷ ତଥା ଆବେଦନକାରୀ ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଯୁକ୍ତି ଶୁଣିବାପରେ ଖଣ୍ଡପୀଠ କହିଥିଲେ ଯେ ପ୍ରାରମ୍ଭିକ ପର୍ଯ୍ୟାୟରୁ ଜଣାପଡ଼ୁଛି ସେଠାରେ ଜଙ୍ଗଲ ଆଇନ ୧୯୮୦ର ଉଲ୍ଲଂଘନ ହୋଇଛି।

 

ତେବେ ଖଣ୍ଡପୀଠ ଗତକାଲି ଏହି ଗଛକଟା ପ୍ରସଙ୍ଗରେ ରାଜ୍ୟ ସରକାର ଓ ଇଡକୋକୁ ବିସ୍ତୃତ ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଜାନୁଆରି ୨୧ରେ ମାମଲାର ପରବର୍ତୀ ଶୁଣାଣି ଥିବାରୁ ଏହା ପୂର୍ବରୁ ସତ୍ୟପାଠ ଦାଖଲ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ତେବେ ବଳରାମପୁରରେ ଗଛକଟାକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଜୋର ଧରିଥିଲା । ପରିସ୍ଥିତି ଏପରି ହୋଇଥିଲା ଯେ, ସ୍ଥାନୀୟ ଅଚଂଳର ଲୋକମାନଙ୍କ ସହ ପୋଲିସର ଧସ୍ତାଧସ୍ତି ମଧ୍ୟ ହୋଇଥିଲା । ଏହାପରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଗଛକଟା ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ପରେ ବିଭିନ୍ନ ଦଳର ନେତାଙ୍କ ସହ ବିରୋଧୀ ଦଳ ନେତା ମଧ୍ୟ ଘଟଣାସ୍ଥଳରେ ପହଚିଂ ସ୍ଥାନୀୟ ଡିଏଫଓଙ୍କ ସହ ଆଲୋଚନା କରିଥିଲେ ।