ବ୍ୟାରିକେଟ୍ ଭାଙ୍ଗି ଭୁବନେଶ୍ୱର ଅଭିମୁଖେ ଚାଷୀଙ୍କ ପଦଯାତ୍ରା । ତମାଣ୍ଡୋରେ ମୁହାଁମୁହିଁ ହେଲେ ଚାଷୀ-ପୁଲିସ୍ ।
ହସଁପାଳଠାରେ ବ୍ୟାପକ ପୁଲିସ ମୂତୟନ
କନକ ବ୍ୟୁରୋ: ଚାଷୀ ଦେଲେ ଆଇନ ଉଲ୍ଲଂଘନର ଧମକ । ଅଧ୍ୟାଦେଶ ଜାରି ପାଇଁ ଦିଆଯାଇଥିବା ମଧାହ୍ନ ୧୨ଟାର ଡେଡ ଲାଇନ ଶେଷ ହେବା ପରେ ତାତିଛନ୍ତି ଚାଷୀ । ପ୍ରାଇସ, ପ୍ରେଷ୍ଟିଜ ଓ ପେନସନ ଦାବିରେ ନବ ନିର୍ମାଣ କୃଷକ ସଂଗଠନ ଡାକରାରେ ଆଜି ଭୁବନେଶ୍ୱରରେ ଅନୁଷ୍ଠିତ ହେବାକୁ ଥିବା ବିଶାଳ ଚାଷୀ ସମାବେଶରେ ଯୋଗଦେବା ପାଇଁ ହଜାର ହଜାର ଚାଷୀ ପଦଯାତ୍ରାରେ ଆସି ଭୁବନେଶ୍ୱର ଉପକଣ୍ଠ ହଁସପାଳ ଠାରେ ପହଞ୍ଚିଛନ୍ତି।
Kanak News is now on WhatsApp
Join and get latest news updates delivered to you via WhatsApp
ସରକାର ଚାଷୀମାନଙ୍କୁ ଭୁବନେଶ୍ୱର ସମାବେଶକୁ ବାରଣ କରିଥିବା ପରିପ୍ରେକ୍ଷୀରେ ୧୬ ନମ୍ବର ଜାତୀୟ ରାଜପଥଦେଇ ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ନୟାଗଡ଼ ପ୍ରଭୃତି ଜିଲ୍ଲାମାନଙ୍କରୁ ଆସୁଥିବା ଚାଷୀମାନଙ୍କୁ ତମାଣ୍ଡୋ ଠାରେ ଅଟକ ରଖାଯାଇଥିବା ବେଳେ ଭୁବନେଶ୍ୱର ଉପକଣ୍ଠ ହଁସପାଳ ନିକଟରେ ବ୍ୟାପକ ପୁଲିସ ମୂତୟନ କରାଯାଇ ଚାଷୀମାନଙ୍କ ଭୁବନେଶ୍ୱର ପ୍ରବେଶକୁ ବାରଣ କରାଯାଇଛି। ସେଠାରେ ଭୁବନେଶ୍ୱର ଡିସିପି ଅନୁପ କୁମାର ସାହୁଙ୍କ ନେତୃତ୍ୱରେ ୧୮ ପ୍ଲାଟୁନ୍ ଫୋର୍ସ ମୂତୟନ କରାଯାଇ ଶାନ୍ତିରକ୍ଷା ପାଇଁ ଉଦ୍ୟମ ହୋଇଛି। ଅପରପକ୍ଷେ ତମାଣ୍ଡୋ ଠାରେ ଚାଷୀ -ପୁଲିସ ମୁହାଁମୁହିଁ ହୋଇଛନ୍ତି। ଚାଷୀମାନେ ତମାଣ୍ଡୋଠାରେ ପୁଲିସ ପକ୍ଷରୁ ନିର୍ମାଣ କରାଯାଇଥିବା ବାରିକେଟ୍କୁ ଭାଙ୍ଗି ଭୁବନେଶ୍ୱର ଅଭିମୁଖେ ପଦଯାତ୍ରାରେ ଆସିଛନ୍ତି।
ଅନ୍ୟପଟେ ଆନ୍ଦୋଳନକୁ ରୋକିବା ନେଇ ସରକାର ଉଦ୍ୟମ ଆରମ୍ଭ କରିଛନ୍ତି । ଏନେଇ ରବିବାର ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ହଂସପାଳ ଯାଇ ଚାଷୀଙ୍କୁ ଭେଟିଛନ୍ତି । ସେମାନଙ୍କ ଦାବି ନେଇ ସରକାର ଅବଗତ ଅଛନ୍ତି ଏବଂ ଏଦିଗରେ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଶଶିଭୂଷଣ । ଆନ୍ଦୋଳନରୁ ଓହରି ଆଲୋଚନା କରିବାରୁ ଚାଷୀଙ୍କୁ ସେ ଆହ୍ୱାନ ଦେଇଛନ୍ତି । ଏହା ସହ ସରକାର ଆନ୍ତଃମନ୍ତ୍ରୀ ସ୍ତରୀୟ କମିଟି ଗଠନ କରି ସମସ୍ୟା ସମାଧାନ ପାଇଁ ପ୍ରସ୍ତୁତ ଥିବା ସେ ସୂଚନା ଦେଇଛନ୍ତି ।
ସେପଟେ ଆଇନଶୃଙ୍ଖଳା ପରିସ୍ଥିତିକୁ ନଜରରେ ରଖି ଆନ୍ଦୋଳନକାରୀଙ୍କୁ ରାଜଧାନୀ ପ୍ରବେଶ ମନା କରାଯାଇଛି । ଏନେଇ ତମାଣ୍ଡୋରେ ୧୪୪ ଧାରା ଜାରି କରିଛି ପୋଲିସ । ସେହିପରି ହଂସପାଳ ପରେ ଆଗକୁ ଆସିବାକୁ ବାରଣ କରିଛି ପୋଲିସ । ଫଳରେ ବିଭିନ୍ନ ସ୍ଥାନରେ ଅଟକିଛନ୍ତି କୃଷକ ।