ଆମ୍ ଆଦମୀ ପାର୍ଟିରେ ବଡୁଛି ଯୁବ ନେତାଙ୍କ ଭିଡ । ରାଘବ ଚଢାଙ୍କ ଉପସ୍ଥିତିରେ ଦଳରେ ଯୋଗ ଦେଲେ ଦିଲ୍ଲୀ ସୁନ୍ଦରୀ ମାନସୀ ସେହଗଲ

340

କନକ ବ୍ୟୁରୋ : ଦିନକୁ ଦିନ ଦେଶରେ ସର୍ବପୁରାତନ ରାଜନୈତିକ ଦଳ କଂଗ୍ରେସର ଗଡ ଭାଙ୍ଗୁଥିବା ବେଳେ ଆମ୍ ଆଦମୀ ପାର୍ଟି ପ୍ରତି ଲୋକଙ୍କର ଆଗ୍ରହ ବଢିବାରେ ଲାଗିଛି । ଦଳର କାର୍ଯ୍ୟକ୍ରମ ଓ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଦଳରେ ଯୋଗ ଦେଇଛନ୍ତି ମିସ୍ ଇଣ୍ଡିଆ (ଦିଲ୍ଲୀ)୨୦୧୯ ମାନସୀ ସେହଗଲ । ସେ ସୋମବାର ଦିନ ଦଳର ଯୁବନେତା ତଥା ବିଧାୟକ ରାଘବ ଚଢାଙ୍କ ଉପସ୍ଥିତିରେ ଦଳରେ ଯୋଗ ଦେଇଛନ୍ତି । ଏହି ଅବସରରେ ରାଘବ ଚଢା କହିଛନ୍ତି କି ମାନସୀ ଜଣେ ଶୃଙ୍ଖଳିତ କର୍ମୀ ଭାବେ ଦଳରେ କାର୍ଯ୍ୟ କରିବେ ବୋଲି ଆଶା କରାଯାଉଛି । ଏହାସହ ଆଗାମୀ ଦୁଇବର୍ଷ ମଧ୍ୟରେ ଦେଶର ୬ ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ତେଣୁ ମାନସୀଙ୍କ ଦଳରେ ଯୋଗ ଦେବା ଦଳ ପାଇଁ ଲାଭବାନ ହେବ ।

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସୂଚନା ମୁତାବକ ଆସନ୍ତା ଦୁଇବର୍ଷ ମଧ୍ୟରେ ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ଗୋଆ, ପଞ୍ଜାବ, ହିମାଚଳ ପ୍ରଦେଶ ଓ ଗୁଜୁରାଟରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ଦଳ ପ୍ରର୍ଥୀ ଦେବ । ଏହାକୁ ନଜରରେ ରଖି ଦଳରେ ଯୁବ ନେତା ମାନଙ୍କର ସଂଖ୍ୟା ବୃଦ୍ଧି କରାଯିବା ଦରକାର । ଯେଉଁମାନେ କି ଅନ୍ୟମାନଙ୍କ ପାଇଁ ଉଦାହରଣ ହୋଇପାରିବେ । ଏହାସହ ଅନ୍ୟଦଳରୁ ନେତା ଆଣି ଆମ୍ ଆଦମୀ ପାର୍ଟିରେ ମିଶାଇବା ପରିବର୍ତ୍ତେ ଦଳ ପାଇଁ ନୂଆ ଓ ଯୁବ ଚେହେରା କୁ ଅଗ୍ରାଧିକାର ଦେବା କଥା କହିଛନ୍ତି ବିଧାୟକ ରାଘବ ଚଢା ।