ବିହାରରେ ବ୍ୟାପୁଛି ଜାପାନୀ ଜ୍ୱର । ଆଖି ବୁଜିଲେଣି ୯୩ ଜଣ ଶିଶୁ, ସ୍ଥିତି ସମୀକ୍ଷା କଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ।

84

କନକ ବ୍ୟୁରୋ: ଜୀବନ ନେଉଛି ଜାପାନୀ ଜ୍ୱର । ବିହାରରେ ବୃଦ୍ଧି ପାଉଛି ଶିଶୁ ମୃତ୍ୟୁ ସଂଖ୍ୟା । ଆକ୍ୟୁଟ ଇନସେଫାଲାଇଟିଜ ସିଣ୍ଡ୍ରୋମ ନାମକ ଏହି ଭୂତାଣୁ ସଂକ୍ରମଣରେ ଏବେ ସୁଦ୍ଧା ଆଖି ବୁଜିଲେଣି ୯୩ ଜଣ ଶିଶୁ । ଆଜି ବିହାର ମୁଜଫରନଗରରେ ପହଁଚି ବିଭିନ୍ନ ହସପିଟାଲରେ ଚିକିତ୍ସିତ ଶିଶୁଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରିବୁଝିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ । ତେବେ ଡାକ୍ତରଖାନା ପରିଦର୍ଶନ ସମୟରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସମ୍ମୁଖରେ ହିଁ ୪ ଜଣ ଶିଶୁ ଆଖିବୁଜିଥିବା ଜଣାପଡିଛି ।

ଅନ୍ୟପଟେ ମୃତ ଶିଶୁଙ୍କ ପରିବାର ପାଇଁ ଅନୁକମ୍ପାମୂଳକ ସାହାଯ୍ୟ ରାଶି ଘୋଷଣା କରିଛନ୍ତି ନୀତିଶ ସରକାର । ପ୍ରତ୍ୟେକ ପରିବାରଙ୍କୁ ୪ଲକ୍ଷ ଟଙ୍କା ପ୍ରଦାନ କରାଯିବ । ଏଥିସହ ପୀଡିତ ଶିଶୁଙ୍କ ଚିକିତ୍ସା ପୁରା ମାଗଣା କରାଯିବ ବୋଲି ଘୋଷଣା କରିଛନ୍ତି ବିହାର ସରକାର । କିନ୍ତୁ ଆକ୍ୟୁଟ ଇନସେଫାଲାଇଟିଜ ସିଣ୍ଡ୍ରୋମ ନାମକ ଏହି ଭୂତାଣୁ ସଂକ୍ରମଣ ଏବେ ଅଣଆୟତ ହୋଇ ପଡ଼ିଛି ଆଉ ବୃଦ୍ଧି ପାଉଛି ନୀରିହ ଶିଶୁଙ୍କ ମୃତ୍ୟୁ ସଂଖ୍ୟା ।

କେବଳ ଏତିକି ନୁହେଁ ଗୋଟେ ପଟେ ନୀରିହ ଶିଶୁଙ୍କ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଉଥିବାବେଳେ ଅନ୍ୟପଟେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନଙ୍କ ବିରୋଧରେ ବିରୋଧ ପ୍ରଦର୍ଶନ ଆରମ୍ଭ ହୋଇଛି । ପାଟଣାରେ ଜନ ଅଧିକାର ପାର୍ଟି ରାସ୍ତା ଉପରକୁ ଓହ୍ଲାଇ ସ୍ୱାସ୍ୱ୍ୟମନ୍ତ୍ରୀଙ୍କ ବିରୋଧରେ ବିକ୍ଷୋଭ କରୁଥିବା ମଧ୍ୟ ଦେଖବାକୁ ମିଳୁଛି ।