କେନ୍ଦ୍ର କର୍ମଚାରୀଙ୍କୁ ପୂଜା ଭେଟି : ପୁଣି ବଢିବ ମହଙ୍ଗା ଭତ୍ତା !

397

କନକ ବ୍ୟୁରୋ : ପାର୍ବଣ ଋତୁରେ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର । ଏବେ କେନ୍ଦ୍ର ସରକାର ଖୁବଶୀଘ୍ର କର୍ମଚାରୀଙ୍କ ମହଙ୍ଗା ଭତ୍ତା ଘୋଷଣା କରିପାରନ୍ତି । ସୂଚନାନୁଯାୟୀ, ନବରାତ୍ର ସୁଦ୍ଧା କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ସରକାର ମହଙ୍ଗା ଭତ୍ତା ଘୋଷଣା ହୋଇପାରେ ।

ସୂଚନାନୁସାରେ, ସରକାର କେନ୍ଦ୍ର କର୍ମଚାରୀଙ୍କ ଡିଏରେ ମୋଟ ୪ପ୍ରତିଶତ ବୃଦ୍ଧି ଘଟାଇପାରନ୍ତି । ଫଳରେ ଏହାକୁ ୩୪ ପ୍ରତିଶତରୁ ୩୮ପ୍ରତିଶତକୁ ବୃଦ୍ଧି ପାଇପାରେ । ତେବେ ଏହା ଦ୍ୱିତୀୟ ଥର ପାଇଁ ହେବ ଯେବେ କେନ୍ଦ୍ର ସରକାର କର୍ମଚାରୀଙ୍କ ପାଇଁ ଡିଏ ଘୋଷଣା କରିବେ । ଚଳିତବର୍ଷ ଜାନୁଆରୀରେ କେନ୍ଦ୍ର ସରକାର ୩ପ୍ରତିଶତ ମହଙ୍ଗା ଭତ୍ତା ବୃଦ୍ଧି କରିଥିଲେ ।

ଚଳିତ ମାସ ୨୮ରେ ବସିବାକୁ ଥିବା କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଡିଏ ସମ୍ପର୍କିତ ପ୍ରସ୍ତାବକୁ ଅନୁମୋଦନ ମିଳିପାରେ । ତେବେ ଏହି ବର୍ଦ୍ଧିତ ମହଙ୍ଗା ଭତ୍ତା ଚଳିତବର୍ଷ ଜୁଲାଇରୁ ଲାଗୁ ହେବ । ବର୍ତ୍ତମାନ କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୩୪ ପ୍ରତିଶତ ରହିଛି । ଯଦି ଆଗାମୀ ଦିନରେ ଡିଏ ୪ ପ୍ରତିଶତ ବୃଦ୍ଧି ପାଏ ତେବେ ଏହା ୩୮ପ୍ରତିଶତକୁ ବୃଦ୍ଧି ପାଇବ ।

ଗତକାଲି ରାଜ୍ୟ ସରକାରୀ କର୍ମଚାରୀଙ୍କୁ ପୂଜା ଭେଟି ଦେଇଛନ୍ତି ସରକାର । କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ ରାଜ୍ୟ ସରକାର ତିନି ପ୍ରତିଶତ ବୃଦ୍ଧି କରିଛନ୍ତି । ମହଙ୍ଗା ଭତ୍ତା ବୃଦ୍ଧି ଫଳରେ ରାଜ୍ୟର ୪ଲକ୍ଷ ସରକାରୀ କର୍ମଚାରୀ ଓ ୩.୫ ଲକ୍ଷ ପେନସନଭୋଗୀ ଉପକୃତ ହେବେ ।