ପୁରୀଠୁ ୪୮୦ କିଲୋମିଟର ଦୂରରେ ବାତ୍ୟା ଜୱାଦ । ଦେଖନ୍ତୁ, କଣ ରହିଛି ତାଜା ଅପଡେଟ୍…

436

କନକ ବ୍ୟୁରୋ: ସମୁଦ୍ର ଭିତରେ ବଳ ଗୋଟାଇ ଏବେ ବାତ୍ୟା ଜୱାଦ୍ ଘଣ୍ଟାପ୍ରତି ୨୦ କିଲୋମିଟର ବେଗରେ ଗତି କରୁଛି । ପୁରୀଠାରୁ ଏବେ ଏହା ୪୮୦ କିଲୋମିଟର ଦୂରରେ ରହିଥିବାବେଳେ, ଗୋପାଳପୁରଠାରୁ ୪୨୦ କିଲୋମିଟର ଓ ପାରାଦୀପଠାରୁ ୫୬୦ କିଲୋମିଟର ଦୂରରେ ରହିଛି । ପାଣିପାଗ ବିଭାଗର ସୂଚନା ଅନୁସାରେ ୫ ତାରିଖ ମଧ୍ୟାହ୍ନ ବେଳକୁ ଏହା ପୁରୀ ନିକଟରେ ଲ୍ୟାଣ୍ଡଫଲ୍ କରିବାକୁ ଥିବାବେଳେ ଏହି ସମୟରେ ୮୦ରୁ ୯୦ କିଲୋମିଟର ବେଗରେ ପବନ ବୋହିପାରେ ।

ସୂଚନାଯୋଗ୍ୟ ଯେ, ଶେଷ ମୁହୂର୍ତ୍ତ ଯାଏଁ ବାତ୍ୟା ଜୱାଦକୁ ନେଇ ଲାଗିରହିଥିବା ଦ୍ୱନ୍ଦ୍ୱକୁ ଦୂର କରିଛି ପାଣିପାଗ ବିଭାଗ । ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ଜୱାଦ’ ଉତ୍ତର- ଉତ୍ତର ପଶ୍ଚିମ ଦିଗରେ ଗତି କରି ଶନିବାର ସୁଦ୍ଧା ଆନ୍ଧ୍ର ପ୍ରଦେଶ ଏବଂ ଦକ୍ଷିଣ ଓଡି଼ଶା ଉପକୂଳରେ ପହଞ୍ଚିବ । ପରେ ରି-କର୍ଭ କରି ଉତ୍ତର- ଉତ୍ତର ପୂର୍ବ ଦିଗରେ ଗତି କରିବ ଓ ରବିବାର ମଧ୍ୟାହ୍ନ ବେଳକୁ ପୁରୀ ନିକଟରେ ସ୍ଥଳଭାଗକୁ ଛୁଇଁବା ସମ୍ଭାବନା ରହିଛି ।

ତେବେ ଉପକୂଳ ଓଡିଶା ସଂଲଗ୍ନ ହୋଇ ଏହା ପଶ୍ଚିମବଙ୍ଗ ଆଡକୁ ଚାଲିଯିବ ବୋଲି କହିଛନ୍ତି ଆଇଏମଡି ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର । ବାତ୍ୟା ‘ଜୱାଦ’ ପୁରୀ ଉପକୂଳର ନିକଟବର୍ତୀ ହେଲାବେଳକୁ ଘଣ୍ଟା ପ୍ରତି ୮୦ରୁ ୯୦ କିଲୋମିଟର ବେଗରେ ପବନ ବହିପାରେ । ସମୟ ସମୟରେ ୧୦୦ କିଲୋମିଟର ବେଗରେ ଝଟକା ଅନୁଭୂତ ହେବ । କିନ୍ତୁ ପ୍ରବଳ ବର୍ଷା ହେବାନେଇ ପୂର୍ବନୁମାନ କରିଛି ପାଣିପାଗ ବିଭାଗ । ବାତ୍ୟା ପ୍ରଭାବରେ ବର୍ଷା ଆରମ୍ଭ ହୋଇସାରିଥିବା ବେଳେ ମଧ୍ୟରାତ୍ରିରେ ପବନର ବେଗ ବଢିବା ଅନୁମାନ କରାଯାଉଛି ।  ବିଶେଷ କରି ପୁରୀ ସମେତ ଗଞ୍ଜାମ, ଗଜପତି ଓ ଜଗତସିଂହପୁରରେ ବର୍ଷା ଓ ପବନର ବେଗ ଅଧିକ ରହିବ । ଶନିବାର ଏସବୁ ଜିଲ୍ଲାରେ ୪୫ରୁ ୫୫ କିମି ବେଗରେ ପବନ ବହିପାରେ । ରବିବାର ବାତ୍ୟା ଲ୍ୟାଣ୍ଡଫଲ କଲାବେଳକୁ ଘଂଟାପ୍ରତି ୮୦ରୁ ୯୦ କିମି ରହିବ ପବନର ବେଗ ।