ମାଡି ଆସୁଛି ବାତ୍ୟା… ପୁରୀଠୁ ୪୩୦ କିମି ଦୂରରେ ‘ଜୱାଦ୍’

479

କନକ ବ୍ୟୁରୋ : ମାଡିଆସୁଛି ବାତ୍ୟା । ପୁରୀଠୁ ୪୩୦ କିଲୋମିଟର ଦୂରରେ ରହିଛି ସାମୁଦ୍ରିକ ଝଡ ଜୱାଦ୍ । ସେହିପରି ଗୋପାଳପୁରଠାରୁ ୩୬୦, ପାରାଦୀପରୁ ୫୧୦ କିମି ଦୂରରେ ରହିଛି ବାତ୍ୟା । ଗତ ୬ଘଣ୍ଟା ହେଲା ଘଣ୍ଟାପ୍ରତି ୬କିମି ବେଗରେ ଗତିକରୁଛି ବାତ୍ୟା । ଏହାର ପ୍ରଭାବରେ ୪ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ବାବନା ରହିଛି । ଖାସକରି ଗଞ୍ଜାମ୍, ଗଜପତି, ପୁରୀ, ଜଗତସିଂହପୁରରେ ପ୍ରବଳ ବର୍ଷିବ ।
ସେପଟେ, ବାତ୍ୟା ‘ଜୱାଦ’କୁ ନେଇ ସତର୍କତା ଓ ପ୍ରସ୍ତୁତି ଚାଲିଥିବା ବେଳେ ଏହାର ଗତିବିଧିକୁ ନେଇ ଚିତ୍ର ସ୍ପଷ୍ଟ ହୋଇପାରି ନାହିଁ । ଭାରତୀୟ ପାଣିପାଗ ବିଭାଗ ଗତକାଲି ଅପରାହ୍ନ ପର୍ଯ୍ୟନ୍ତ, ବାତ୍ୟା ପୁରୀ ଛୁଇଁ ବାଂଲାଦେଶ ଆଡକୁ ଯିବ ବୋଲି ପୂର୍ବାନୁମାନ କରିଥିଲା ।
ତେବେ ସନ୍ଧ୍ୟାରେ ବିଭାଗ ଯେଉଁ ପୂର୍ବାନୁମାନ ଜାରି କଲା, ତାହା ଅନୁସାରେ ପୁରୀ ନିକଟରେ ଏହି ବାତ୍ୟା ସ୍ଥଳଭାଗ ଅତିକ୍ରମ କରିପାରେ । ଆସନ୍ତାକାଲି ମଧ୍ୟାହ୍ନରେ ଏହା ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି । ବାତ୍ୟା ୯ କିଲୋମିଟର ପ୍ରତି ଘଂଟା ବେଗରେ ସ୍ଥଳଭାଗ ଆଡକୁ ଆସୁଛି । ପବନର ବେଗ ଘଂଟାକୁୁ ୮୦ରୁ ୯୦ କିଲୋମିଟର ରହିବ ଏବଂ ଏହା ଶହେ କିଲୋମିଟର ଯାଏଁ ଯାଇପାରେ ବୋଲି ପୂର୍ବାନୁମାନ କରାଯାଇଛି ।