କଥାରେ ଅଛି ଅନ୍ତର୍ନିହିତ ଜ୍ଞାନ ଭଗବାନଙ୍କ ବରଦାନ: ଏଭଳି ଜଣେ ବିଚକ୍ଷଣ ପ୍ରତିଭାର ଅଧିକାରୀ ହେଲେ କଟକର ଶୁଭ୍ରାଂଶୁ ଦାସ; ୧୭ ବର୍ଷ ବୟସରେ ଅନ୍ତର୍ଜାତୀୟ ସ୍ତରରେ ବହି ଲେଖି ଚର୍ଚ୍ଚାରେ

135

କନକ ବ୍ୟୁରୋ: କୁହାଯାଏ ଅନ୍ତର୍ନିହିତ ଜ୍ଞାନ ଭଗବାନଙ୍କ ବରଦାନ । ଜନ୍ମରୁ ଶିଶୁର ଏହି ଶକ୍ତି ଜଣାପଡିଯାଏ । ତୁଳସୀ ଦୁଇ ପତ୍ରରୁ ବାସିଲା ଭଳି ପିଲାଦିନୁ ହିଁ ଶିଶୁର ପ୍ରତିଭାର ପ୍ରମାଣ ମିଳିଥାଏ । ଏଭଳି ଜଣେ ବିଚକ୍ଷଣ ପ୍ରତିଭାର ଅଧିକାରୀ ହେଉଛନ୍ତି କଟକ ରାଜାବଗିଚା ଅଂଚଳର ଶୁଭ୍ରାଂଶୁ ଦାସ । ଯିଏ ମାତ୍ର ୧୭ ବର୍ଷ ବୟସରୁ ଅନ୍ତର୍ଜାତୀୟ ସ୍ତରର ଏକ ବହି ଲେଖି ଏବେ ଚର୍ଚ୍ଚାକୁ ଆସିଛନ୍ତି ।

ଶୁଭ୍ରାଂଶୁ ଦାସ । ବୟସ ମାତ୍ର ୧୭ । ହେଲେ ସେ ଅନ୍ତର୍ଜାତୀୟ ସ୍ତରର ଫିକସନ ରାଇଟର । ଆମେରିକୀୟ ଲେଖକଙ୍କ ସହ ମିଶି ବହି ଲେଖୁଛନ୍ତି କଟକର ଏହି ଓଡିଆ ପୁଅ । ପିଲାଟି ଦିନରୁ ଲେଖାଲେଖି କରୁଥିବା ଶୁଭ୍ରାଂଶୁଙ୍କ ଲେଖାକୁ ଏକ ହ୍ୱାଟ୍ସଆପ୍ ଗ୍ରୁପରେ ଦେଖି ଆମେରିକାର ବିଶିଷ୍ଟ ଲେଖିକା ପାମ୍ ରସ୍ ତାଙ୍କୁ ଏହି ସୁଯୋଗ ଦେଇଛନ୍ତି । ଡ୍ରାମା, ମିଷ୍ଟ୍ରି ଏବଂ ଫିକସନ ଉପରେ ଆଧାରିତ ବହି ‘ଦି ବ୍ଲୁ ବଟରଫ୍ଲାଏ ଡାଇମଣ୍ଡ ବ୍ୟାକ ଟୁ ୱେଷ୍ଟ ଆଫ୍ରିକାକୁ ପାମ ରସଙ୍କ ସହ ମିଶି ଲେଖୁଛନ୍ତି ଶୁଭ୍ରାଂଶୁ । ଆଉ ତାଙ୍କର ଏହି ବହିର ପ୍ରଥମ ଭାଗକୁ ପ୍ରସିଦ୍ଧ ପ୍ରକାଶନି ସଂସ୍ଥା ଆମାଜନ ପବ୍ଲିସ କରୁଥିବାବେଳେ ଦ୍ୱିତୀୟ ଭାଗ ଲେଖା ଜାରି ରହିଛି ।

ମାତ୍ର ୫ ବର୍ଷ ବୟସରୁ ଶୁଭ୍ରାଂଶୁଙ୍କର ବହି ପଢ଼ିବାକୁ ଆଗ୍ରହ ଥିବା ଦେଖିବାକୁ ମିଳିଥିଲା । ୬ବର୍ଷ ବେଳକୁ ଏହା ତାଙ୍କର ନିଶାରେ ପରିଣତ ହୋଇଥିଲା । ଅତି କମ ବୟସରେ ଚମକ୍ରାର ମେଧାଶକ୍ତି ଓ ସାହିତ୍ୟରେ ଥିବା ରୁଚି ତାଙ୍କୁ ଆଜି ଏହି ସ୍ଥାନରେ ପହଁଚାଇଛି । ଭବିଷ୍ୟତରେ ସେ ଇଂଲିଶ ସାହିତ୍ୟରେ ଅଧ୍ୟାପକ ହେବା ପାଇଁ ଲକ୍ଷ୍ୟ ରଖିଛନ୍ତି । ଛୋଟ ବୟସରୁ ପିଲାମାନେ ମୋବାଇଲ ଗେମରେ ସମୟ ବିତାଉଥିବାବେଳେ ଶୁଭ୍ରାଂଶୁଙ୍କ ଏହି ସଫଳ ଯାତ୍ରା ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ହେବ ।