ଡିସେମ୍ୱର ୨୧ରୁ ଖୋଲିପାରେ ଶ୍ରୀମନ୍ଦିର: ଦିନକୁ ୪ ହଜାର ଶ୍ରଦ୍ଧାଳୁଙ୍କୁ ମିଳିପାରେ ଦର୍ଶନ ଅନୁମତି; ଆଜି ଛତିଶାନିଯୋଗ ବୈଠକରେ ହୋଇପାରେ ଚୂଡାନ୍ତ ନିଷ୍ପତି

664

କନକ ବ୍ୟୁରୋ: ୨୧ ଡିସେମ୍ୱରରୁ ଖୋଲିପାରେ ପୁରୀ ଶ୍ରୀମନ୍ଦିର । ସୀମିତ ସଂଖ୍ୟକ ଶ୍ରଦ୍ଧାଳୁଙ୍କୁ ମିଳିପାରେ ପ୍ରତ୍ୟକ ଦିନ ଦର୍ଶନ ଅନୁମତି । ଦୈନିକ ପ୍ରାୟ ୪ ହଜାର ଭକ୍ତଙ୍କୁ ଦର୍ଶନ ଅନୁମତି ଦିଆଯିବା ନେଇ ବିଚାର କରାଯାଉଥିବା କନକନ୍ୟୁଜକୁ ବିଶେଷ ସୂତ୍ରରୁ ସୂଚନା ମିଳିଛି । ଆଜି ବସିବାକୁ ଥିବା ଛତିଶାନିଯୋଗ ବୈଠକରେ ଏନେଇ ସବିଶେଷ ଆଲୋଚନା ହେବ । ଏହି ବୈଠକ ପରେ ଶ୍ରୀମନ୍ଦିର ଖୋଲିବା ନେଇ ଚୂଡାନ୍ତ ନିଷ୍ପତି ବାହାରିବ । କରୋନା କଟକଣା ଯୋଗୁଁ ଦୀର୍ଘ ୯ ମାସ ହେବ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରହିଛି । ଭକ୍ତମାନେ କେବଳ ବଡଦାଣ୍ଡରୁ ନୀଳଚକ୍ରକୁ ଦର୍ଶନ କରି ଫେରୁଛନ୍ତି ।

ଅନ୍ୟପଟେ,ଡିସେମ୍ବର ମାସ ତୃତୀୟ ସପ୍ତାହରୁ ଖୋଲିପାରେ ଶ୍ରୀମନ୍ଦିର। ନାଗାର୍ଜୁନ ବେଶ ପୂର୍ବରୁ ଅନୁଷ୍ଠିତ ଶେଷ ପରିଚାଳନା କମିଟି ବୈଠକରେ ଏହି ସୂଚନା ଦେଇଥିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ୍‌ କୁମାର। ସେହି ଅନୁଯାୟୀ ଜିଲ୍ଲା ପ୍ରଶାସନ ଓ ମନ୍ଦିର ପ୍ରଶାସନ ପ୍ରସ୍ତୁତି ପର୍ବ ଆରମ୍ଭ କରି ଦେଇଛନ୍ତି। ଶ୍ରୀମନ୍ଦିର ସେବାୟତ ଓ ଅନ୍ୟାନ୍ୟ ଲୋକଙ୍କୁ ଡାକି ବିଚାରବିମର୍ଶ ଆରମ୍ଭ ହୋଇଛି। ଶ୍ରୀମନ୍ଦିର ଖୋଲିଲେ କ’ଣ ଅସୁବିଧା ହେବ ଓ ଏହାର କ’ଣ ପ୍ରତିକାର କରାଯାଇ ପାରିବ, ତାର ତର୍ଜମା କରାଯାଉଛି। ସମସ୍ତଙ୍କ ମତାମତ ବି ନିଆଯାଉଛି। କିଭଳି ଓ କେଉଁ କେଉଁ କଟକଣା ଭିତରେ ଶ୍ରୀମନ୍ଦିର ଖୋଲିବ, ତାର ନକ୍ସା ପ୍ରସ୍ତୁତି ଚାଲିଛି।