ସାରା ରାଜ୍ୟରେ ବର୍ଷାର ତାଣ୍ଡବ ! ଧୋଇନେଲା ଚାଷୀର ସବୁ ପରିଶ୍ରମ, ପାଣିରେ ବୁଡ଼ିଲା ପାଚିଲା ଧାନ

28

କନକ ବ୍ୟୁରୋ : ପ୍ରଥମେ ମରୁଡ଼ି ସ୍ଥିତି, ପରେ ଚକଡ଼ା ପୋକ ଆଉ ଏବେ ଲଘୁଚାପ ବର୍ଷା । ଗୋଟିଏ ପରେ ଗୋଟିଏ ସଂକଟ ଚାଷୀଙ୍କ ସମସ୍ୟାକୁ ବଢ଼ାଇ ଦେଉଛି । ଲଘୁଚାପ ବର୍ଷାରେ ବିଲରେ ଭିଜୁଛି ଚାଷୀର ସ୍ୱପ୍ନ । ମରୁଡି ଏବଂ ଚକଡ଼ା ପୋକ ପରେ ଚାଷୀଙ୍କ ଅଂଟାକୁ ଭାଙ୍ଗି ଦେଇଛି ଲଘୁଚାପ ଜନିତ ବର୍ଷା ।

ଲଘୁଚାପର ଦ୍ୱିତୀୟ ଦିନରେ ପ୍ରାୟ ୧୦ଟି ଜିଲ୍ଲାରୁ ଆସିଛି ଦୁଃଖଦ ଚିତ୍ର । ହେକ୍ଟର ହେକ୍ଟର ଜମିରେ ଉଜୁଡି ଯାଇଛି ଫସଲ । କେଉଁଠି ପାଚିଲା ଧାନ କ୍ଷେତରେ ଆଣ୍ଠୁଏ ପାଣି ତ କେଉଁଠି ପାଣିରେ ଭାସୁଛି କଟା ଧାନ । ଚାଷୀ ଧାନ କାଟି ସୁରକ୍ଷିତ ସ୍ଥାନକୁ ବୋହି ଆଣିବା ପୂର୍ବରୁ ମାଡ଼ି ଆସିଛି ବର୍ଷା ।

ବ୍ରହ୍ମପୁର
ବ୍ରହ୍ମପୁରର ଅବସ୍ଥା ଅତି ଦୟନୀୟ । ଧାନ କ୍ଷେତରେ ଲହଡା ମାରୁଛି ପାଣି । ହଜାର ହଜାର ହେକ୍ଟର ଜମିରେ ପାଣି ଜମି ରହିଛି । ରଙ୍ଗେଇଲୁଣ୍ଡା ବ୍ଲକ ସମେତ ପ୍ରାୟ ଗଂଜାମ ଜିଲ୍ଲାର ଅଧିକାଂଶ ସ୍ଥାନରେ ଏହିପରି ସ୍ଥିତି । କଟା ହୋଇଥିବା ଧାନକୁ ଚାଷୀ ଘରକୁ ନେଇପାରିନି । ଜମିରେ କିମ୍ବା ରାସ୍ତାରେ ପଡିରହିଛି ଫସଲ ।

ଅସ୍ତରଙ୍ଗ
ପୁରୀ ଜିଲ୍ଲା ଅସ୍ତରଙ୍ଗର ଅବସ୍ଥା କେବଳ ଆଖିରେ ଦେଖିଲେ ବିଶ୍ୱାସ କରିହେବ । ଦୁଇ ଦିନ ଧରି ପ୍ରବଳ ବର୍ଷା ପରେ ବିଲରେ ଲହଡି ମାରୁଛି ବର୍ଷା ପାଣି । ପାଚିଲା ଧାନ ବୁଡି ରହିଛି ପାଣିରେ ।

ପିପିଲି
ପିପିଲିରେ ମଧ୍ୟ କିଆରି ସାରା ବର୍ଷା ପାଣି । ଧାନ ବୁଡିରହିଛି ପାଣିରେ । ଅମଳ ବେଳେ ଏହି ଅବସ୍ଥା ଦେଖି ହତାଶ ହୋଇପଡିଛି ଚାଷୀ ।

ପାଟକୁରା
କେନ୍ଦ୍ରାପଡ଼ା ଜିଲ୍ଲାରେଚାଷୀ କୂଳକୁ ମାଡିଆସିଛି ବିପତ୍ତିି । ଲଗାଣ ବର୍ଷା ଧୋଇନେଇଛି ଚାଷୀର ସ୍ୱପ୍ନ । ଆଉ ସପ୍ତାହ ମଧ୍ୟରେ ଧାନ ଘରକୁ ଆଣିଥାନ୍ତା ଚାଷୀ । ହେଲେ ଭରା ଧାନକ୍ଷେତରେ ଏବେ ଖାଲି ଆଉ ପାଣି । ଯାଜପୁର ଅବସ୍ଥା ବି ଅତି ଶୋଚନୀୟ । ଧାନଠାରୁ ଶୀତଦିନିଆ ପନିପରିବା ବର୍ଷା ଯୋଗୁଁ ଉଜୁଡି ଯାଇଛି । ଧାନ ପାଣିରେ ବୁଡି ରହିଥିବାରୁ ଅମଳ ଆଶା ଛାଡିଦେଇଛି ଚାଷୀ ।

ବାଲେଶ୍ୱର
ବାଲେଶ୍ୱର ଜିଲ୍ଲାରେ ବି ଚାଷ ଉଜୁଡି ଯାଇଛି । ଦୁଇ ଦିନର ବର୍ଷା ମାଡ଼ରେ ଧାନ ଫସଲର ବ୍ୟାପକ କ୍ଷତି ହୋଇଛି । ଏହି ପ୍ରାକୃତିକ ବିପତି ଚାଷୀକୂଳକୁ ହତାଶ କରିଦେଇଛି । ସେପଟେ ବର୍ଷା ଜନିତ ଫସଲ କ୍ଷତି ନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ୱତନ୍ତ୍ର ରିଲିଫ କମିସନର ବିଷ୍ଣୁ ପଦ ସେଠୀ । ବର୍ଷା ସରିବା ପରେ କ୍ଷୟକ୍ଷତି ଆକଳନ କରାଯିବ ବୋଲି କହିଛନ୍ତି ଏସଆରସି ।
ଚାଷୀଙ୍କ ଉପରେ ବର୍ଷା ମାଡ଼ । ମରୁଡି, ଚକଡ଼ା ପୋକରେ ଚାଷୀର ଅଂଟା ଭାଙ୍ଗିଯାଇଥିବା ବେଳେ ଏବେ ଲଘୁଚାପ ବର୍ଷା ମେରୁଦଣ୍ଡ ଭାଙ୍ଗି ଦେଇଛି ଚାଷୀର ।