କରୋନା ବିରୋଧୀ ନିର୍ଣ୍ଣାୟକ ଲଢେଇ ପାଇଁ ପ୍ରସ୍ତୁତ ଭାରତ : ଆଜି ସାରାଦେଶର ୩ ହଜାର କେନ୍ଦ୍ରରେ ହେବ ମେଗା ଟିକାକରଣ; ଦିନ ସାଢେ ୧୦ଟାରେ ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

33

କନକ ବ୍ୟୁରୋ : ଆଜି ବିଶ୍ୱର ସବୁଠୁ ବଡ ଟିକାକରଣ ଆରମ୍ଭ ହେବାକୁ ଯାଉଛି । ମାନବ ସଭ୍ୟତା ପ୍ରତି ସଂକଟ ସୃଷ୍ଟି କରିଥିବା କରୋନା ମହାମାରୀ ବିରୋଧରେ ଭାରତର ଏହି ମହାଲଢେଇ ଉପରେ ସାରା ବିଶ୍ୱର ନଜର ଅଟକି ରହିଛି । କାରଣ ଉଭୟ ଭୌଗଳିକ ଓ ଜନସଂଖ୍ୟା ଦୃଷ୍ଟିରୁ ବିଶାଳ ଭାରତରେ ସମୂହ ଟିକାକରଣ ଏକ ବଡ ଆହ୍ୱାନ । ଏହି ଆହ୍ୱାନକୁ ସାମ୍ନା କରିବା ପାଇଁ ସାରା ଦେଶର ତିନି ହଜାର ଛଅଟି କେନ୍ଦ୍ରରେ ପ୍ରଥମ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହେଉଛି ।

ଦିନ ସାଢେ ୧୦ଟାରେ ଏହାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏପଟେ ଟିକାକରଣ ପାଇଁ ରାଜ୍ୟ ମଧ୍ୟ ପ୍ରସ୍ତୁତ ହୋଇ ରହିଛି । ମୋଟ୍ ୧୬୧ଟି କେନ୍ଦ୍ରରେ ଏକ ଲକ୍ଷ ୯୨ ହଜାର ୫୫୫ ଜଣଙ୍କୁ ଟିକାକରଣ ପାଇଁ ଚିହ୍ନଟ କରାଯାଇଛି । ପ୍ରଥମ ପର୍ଯ୍ୟାୟ ଟିକାକରଣରେ ସ୍ୱାସ୍ଥ୍ୟ କର୍ମୀଙ୍କ ଭାଗିଦାରୀ ହିଁ ନିର୍ଭର କରୁଛି କରୋନା ବିରୋଧୀ ଲଢେଇ କେତେ ସଫଳ ହେବ ।

– କରୋନା ଟିକାକରଣ ପାଇଁ ସାରାଦେଶରେ ୩ ହଜାର ୬ଟି କେନ୍ଦ୍ର ଚିହ୍ନଟ ହୋଇଛି
– ପ୍ରତ୍ୟେକ କେନ୍ଦ୍ରରେ ୧୦୦ ଜଣ ହିତାଧିକାରୀଙ୍କୁ ପ୍ରଥମ ଦିନରେ ଦିଆଯିବ ଟିକା
– କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପ୍ରସ୍ତୁତ କୋ-ୱିନ ଆପ୍ ଡାଉନଲୋଡ କରିଛନ୍ତି ହିତାଧିକାରୀ
– ଆପ୍ଲିକେସନ୍ ଜରିଆରେ ଟିକାଦାନ କେନ୍ଦ୍ର ଓ ସମୟ ବାବଦରେ ସୂଚନା ଦିଆଯାଇଛି