ଖୁବଶୀଘ୍ର ଶିଶୁଙ୍କ ଦେହରେ ହେବ କରୋନା ଟିକା ପରୀକ୍ଷା : ମହାରାଷ୍ଟ୍ର ନାଗପୁରର ଏକ ହସ୍ପିଟାଲରେ କ୍ଲିନିକାଲ ଟ୍ରାଏଲ ପାଇଁ ପ୍ରସ୍ତୁତ ଭାରତ ବାୟୋଟେକ

ମାର୍ଚ୍ଚ ସୁଦ୍ଧା ୨ରୁ ୧୮ ବର୍ଷ ବୟସ୍କଙ୍କ ଦେହରେ ହେବ ଦେଶୀ ଟିକା କୋଭାକ୍ସିନର ପରୀକ୍ଷଣ

59

କନକ ବ୍ୟୁରୋ : କରୋନା କାଳରେ ଶିଶୁଙ୍କୁ ସ୍କୁଲ ପଠାଇବା ନେଇ ଆଶଙ୍କାରେ ଥିବା ଅଭିଭାବକଙ୍କ ପାଇଁ ଆସିଛି ବଡ ଖବର । ଆମ ଦେଶରେ ଖୁବଶୀଘ୍ର ଶିଶୁଙ୍କଠାରେ କରୋନା ଟିକା ପରୀକ୍ଷା ଆରମ୍ଭ ହେବାକୁ ଯାଉଛି । ମିଳିଥିବା ସୂଚନା ଅନୁସାରେ ମହାରାଷ୍ଟ୍ରର ନାଗପୁରରେ ଏହି ପରୀକ୍ଷଣ ଆରମ୍ଭ ହେବ । ଜାତୀୟ ଗଣମାଧ୍ୟରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁସାରେ ଫେବ୍ରୁଆରୀ ଶେଷ କିମ୍ବା ମାର୍ଚ୍ଚ ଆରମ୍ଭରୁ ଏହି ପରୀକ୍ଷଣ ଆରମ୍ଭ ହୋଇଯିବ । ଭାରତ ବାୟୋଟେକ ଦ୍ୱାରା ପ୍ରସ୍ତୁତ ସ୍ୱଦେଶୀ ଟିକା କୋଭାକ୍ସିନର ପରୀକ୍ଷଣ ୧୮ ବର୍ଷରୁ କମ୍ ବୟସ୍କଙ୍କ ଉପରେ କରାଯିବ ।

ସରକାରଙ୍କଠାରୁ ଆବଶ୍ୟକ ଅନୁମତି ମିଳିଲେ ୨ରୁ ୧୮ ବର୍ଷ ବୟସ୍କଙ୍କୁ ଏହି କ୍ଲିନିକାଲ ଟ୍ରାଏଲରେ ସାମିଲ କରାଯିବ । ବିଶ୍ୱରେ ଏଭଳି ପରୀକ୍ଷଣ ପ୍ରଥମ ହେବ । ଏଥିପାଇଁ ନାଗପୁରର ଏକ ହସ୍ପିଟାଲକୁ ମଧ୍ୟ ଚୟନ କରାଯାଇଛି । ହସ୍ପିଟାଲ କର୍ତୃପକ୍ଷଙ୍କ କହିବା ହେଲା ୩ଟି ଶ୍ରେଣୀରେ ଶିଶୁମାନଙ୍କ ଟିକା ପରୀକ୍ଷା ହେବ । ୨ରୁ ୫ବର୍ଷ, ୫ରୁ ୧୨ ବର୍ଷ ଏବଂ ୧୨ରୁ ୧୮ବର୍ଷ ଏହିଭଳି ୩ଟି ବର୍ଗରେ ଶିଶୁ ଓ କିଶୋରମାନଙ୍କୁ ଭାଗକରି ଟିକା ପରୀକ୍ଷଣ କରାଯିବ । ଚଳିତବର୍ଷ ଆରମ୍ଭରୁ ଭାରତ ବାୟୋଟେକର ନିର୍ଦ୍ଦେଶକ କ୍ରିଷ୍ଣା ଇଲା କହିଥିଲେ ଯେ, ଶିଶୁଙ୍କ ପାଇଁ ଏକ ସୁରକ୍ଷିତ ଟିକା ବିକାଶ କରିବାକୁ ୩ରୁ ୪ ମାସ ସମୟ ଲାଗିବ ।