ପ୍ରଦୀପ ପାଣିଗ୍ରାହୀଙ୍କୁ ଆଜି ଝାରପଡା ଜେଲକୁ ଆଣିବ ପୋଲିସ : ସ୍ୱାସ୍ଥ୍ୟବସ୍ଥା ଭଲ ନଥିବାରୁ ବ୍ରହ୍ମପୁର ଏମକେସିଜିରେ ହେଲା ସ୍ୱାସ୍ଥ୍ୟ ପରୀକ୍ଷା

ସେପଟେ ଭାଇ ଦିଲ୍ଲୀପ ପାଣିଗ୍ରାହୀଙ୍କ ଆଗୁଆ ଜାମିନ ଆବେଦନ ହାଇକୋର୍ଟରେ ଖାରଜ

65

କନକ ବ୍ୟୁରୋ : ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଆଜି ଝାରପଡା ଜେଲ ଅଣାଯିବ । ବ୍ରହ୍ମପୁର ଜେଲରୁ ସ୍ୱତନ୍ତ୍ର ଏସକର୍ଟରେ ତାଙ୍କୁ ଭୁବନେଶ୍ୱର ଝାରପଡା ଜେଲକୁ ଆଣିବ ପୋଲିସ । ପ୍ରଦୀପ ଗୋଟିଏ ଗାଡିରେ ଯିବେ ଏବଂ ତାଙ୍କ ସହ ପୋଲିସ ଅଧିକାରୀ ରହିବେ । ଏଥିସହ ସୁରକ୍ଷା ଦୃଷ୍ଟିରୁ ପୋଲିସ ଏସକର୍ଟ ପାର୍ଟି ଆଉଏକ ଗାଡିରେ ତାଙ୍କ ସହ ଯିବେ ବୋଲି ଜଣାପଡିଛି । ଟାଟା ମୋଟର୍ସରେ ଚାକିରି ନାଁରେ ଟଙ୍କା ଠକେଇ ନେଇ ଗୋଳନ୍ଥରା ଥାନାରେ ରୁଜୁ ହୋଇଥିବା ୩ଟି ମାମଲାରେ ତାଙ୍କୁ ଝାରପଡାରୁ ଆଣି ବ୍ରହ୍ମପୁର ଏସଡିଜେଏମ କୋର୍ଟରେ ରିମାଣ୍ଡ ଦିଆଯାଇଥିଲା । କୋର୍ଟଙ୍କ ନିର୍ଦ୍ଦେଶରେ ତାଙ୍କୁ ୩ଦିନ ବ୍ରହ୍ମପୁର ଜେଲରେ ରଖାଯିବା ପରେ ପୁଣି ଝାରପଡା ପଠାଇ ଦିଆଯିବ ।

ଟାଟା ମୋଟର୍ସ ନିଯୁକ୍ତି ଠକେଇ ମାମଲାରେ ଜେଲରେ ଥିବା ପ୍ରଦୀପ ପାଣିଗ୍ରାହୀଙ୍କୁ ଗତକାଲି ଏମକେସିଜି ମେଡିକାଲ କଲେଜ ଓ ହସ୍ପିଟାଲରେ ଚିକିତ୍ସା କରାଯାଇଥିଲା । ତାଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ନଥିବାବେଳେ ଶରୀର ପୀଡା ସହ ଅଂଟା ବ୍ୟଥା ହେଉଥିବା ଦର୍ଶାଇ ଚିକିତ୍ସା ଯୋଗାଇ ଦେବାକୁ ଆବେଦନ କରିଥିଲେ ତାଙ୍କ ଓକିଲ । ଏମକେସିଜି ମେଡିସିନ ଓ ଅସ୍ଥିଶଲ୍ୟ ବିଭାଗରେ ଚିକିତ୍ସା ପରେ ତାଙ୍କୁ ୭ ଦିନ ପାଇଁ ମେଡିସିନ ଦିଆଯାଇଛି ।

ଅନ୍ୟଏକ ଘଟଣାକ୍ରମରେ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଭାଇ ଦିଲ୍ଲୀପ ପାଣିଗ୍ରାହୀଙ୍କ ଆଗୁଆ ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି ହାଇକୋର୍ଟ । ଟାଟା କମ୍ପାନିରେ ଚାକିରି କରାଇଦେବା ନାଁରେ ଆକାଶ ପାଠକ ଓ ଅନ୍ୟକିଛି ବ୍ୟକ୍ତି ମିଳିମିଶି ଲକ୍ଷ ଲକ୍ଷ ଟଙ୍କା ଆଦାୟ କରୁଥିଲେ । ଯାହାକୁ ନେଇ ଟାଟା କମ୍ପାନି ପକ୍ଷରୁ କଟକ ସାଇବର ସେଲରେ ଏକ ମାମଲା କରାଯାଇଥିଲା । ଏହି ମାମଲାରେ ସମ୍ଭାବ୍ୟ ଗିରଫଦାରିକୁ ଏଡାଇବା ପାଇଁ ଦିଲ୍ଲୀପ ଆଗୁଆ ଜାମିନ ଆବେଦନ କରିଥିଲେ ।