ମହିଳାଙ୍କ ପାଇଁ ନର୍କ ପାଲଟିଛି ଜୀବନ, କେବଳ ଭୋଗ୍ୟବସ୍ତୁ ହେବାକୁ ଯାଉଛନ୍ତି ଆଫଗାନ ମହିଳା

325

କନକ ବ୍ୟୁରୋ : ଭାରତରେ ମନୁବାଦ ହେଉ କି ମୁସଲିମ ଦେଶମାନଙ୍କରେ ସରିଆ ଆଇନ । ଏହା କେବଳ ମହିଳାମାନଙ୍କୁ ଘରର ଚାରିକାନ୍ଥ ଭିତରେ ବାନ୍ଧି ରଖିବାକୁ ଏକ ଉଦ୍ୟମ । ମହିଳାମାନେ ଶିକ୍ଷାଲାଭ କରନ୍ତୁ । ପୁରୁଷମାନଙ୍କ ସହ ପାଦ ମିଳାଇ ଆଗକୁ ବଢନ୍ତୁ ଏହାକୁ କେବେ ସରିଆ କାନୁନ କିମ୍ବା ମନୁ ସଂହିତା ପ୍ରସୟ ଦିଏ ନାହିଁ । ହେଲେ ଏହାକୁ ପ୍ରଚଳନ କରିବାରେ ଏବେ ବିଶ୍ୱରେ ସବୁଠାରୁ ଆଗରେ ରହିଛି ଆଫଗାନିସ୍ତାନରେ ତାଲିବାନ ସରକାର ।

ଆଫଗାନକୁ ତାଲିବାନୀମାନେ ଦଖଲ କରିବା ପରେ ଏବେ ସେଠାରେ ଲୋକମାନେ ଭୟଭୀତ ହୋଇ ଜୀବନ ଯାପନ କରୁଛନ୍ତି । ସେଠିକାର ଲୋକଙ୍କୁ ଶିକ୍ଷା ସ୍ୱାସ୍ଥ୍ୟ, ଖାଦ୍ୟ ଆଦି ଯୋଗାଇବାରେ ଅସମର୍ଥ ତାଲିବାନ ସରକାର । ହେଲେ ଲୋକଙ୍କ ଉପରେ ଦୈନିକ କିଛି ନା କିଛି ନୂଆ କଟକଣା ଲଗାଇ ସେମାନଙ୍କ ସାମାଜିକ ଅଧିକାରକୁ କ୍ଷୂର୍ଣ୍ଣ କରିବାରେ ଲାଗିଛି । ତାଲିବାନୀ ଶାସନରେ ସବୁଠାରୁ ଅଧିକ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି ଆଫଗାନର ମହିଳାମାନେ ।

ଏବେ ମହିଳା ବିରୋଧୀ ତାଲିବାନ ସରକାର ଏକ ନୂଆ ଆଇନ ଆଣିଛି । ଏହି ଆଇନ ମୁତାବକ ସ୍ୱାମୀ ସ୍ତ୍ରୀ ଏକାଠି ଗୋଟିଏ ରେଷ୍ଟୁରାଣ୍ଟରେ ଖାଦ୍ୟ ଖାଇପାରିବେ ନାହିଁ । କେବଳ ସେତିକି ନୁହେଁ ମହିଳା ଓ ପୁରୁଷମାନେ ଏକାଠି ପାର୍କକୁ ଯାଇପାରିବେ ନାହିଁ । ଏନେଇ ସଦାଚାର ପ୍ରଚାର ପ୍ରସାର ମନ୍ତ୍ରଣାଳୟ ତରଫରୁ ଏକ ନିର୍ଦ୍ଦେଶନାମା ଜାରି କରାଯାଇଛି । ନିର୍ଦ୍ଦେଶ ଦେଇ ମନ୍ତ୍ରଣାଳୟ ମୁଖ୍ୟ ରିଆଜୁଲାହ ସିରତ କହିଛନ୍ତି କି, ମହିଳା ଓ ପୁରୁଷମାନେ ଅଲଗା ଅଲଗା ଦିନରେ ପାର୍କ ଓ ରେଷ୍ଟୁରାଣ୍ଟ ଯିବେ । ଗୁରୁବାର, ଶୁକ୍ରବାର ଓ ଶନିବାର ମହିଳାମାନେ ରେଷ୍ଟୁରାଣ୍ଟ ଓ ପାର୍କ ଯିବେ । ସେହିଭଳି ସୋମ, ମଙ୍ଗଳ ଓ ବୁଧବାର ଦିନ ପୁରୁଷମାନେ ପାର୍କ ଓ ରେଷ୍ଟୁରାଣ୍ଟ ଯାଇ ପାରିବେ ।