ଭୁବନେଶ୍ୱର ! ସ୍ୱପ୍ନ- ସଙ୍ଘର୍ଷ- ସମ୍ଭାବନାର ସହର… ଦିନରୁ ରାତି, ସକାଳରୁ ସଞ୍ଜ ମେସିନ ଭଳି ଖଟେ ମଣିଷ । ପଢନ୍ତୁ ଭୋକ-ଭବିଷ୍ୟତକୁ ନେଇ ଭୁବନେଶ୍ୱରର କାହାଣୀ…

338

କନକ ବ୍ୟୁରୋ: ଭୁବନେଶ୍ୱର ! ଓରଫ ସ୍ମାର୍ଟସିଟି । ଜୀବନ-ଜୀବିକାର ଠିକଣା । ପେଟପାଟଣାର ପେଣ୍ଠସ୍ଥଳ । ସ୍ୱପ୍ନ- ସଙ୍ଘର୍ଷ- ସମ୍ଭାବନାର ସହର… ଏଠି ଅନେକ ଆସନ୍ତି ନିଜ ସ୍ୱପ୍ନ ସଜାଡିବାକୁ, ଭିଡର ସହରେ ନିଜ ଭବିଷ୍ୟତ ଗଢିବାକୁ । କିଏ ଶୀତତାପ ନିୟନ୍ତ୍ରିତ କୋଠରୀରେ ରହି ରୋଜଗାର କରେ ପୁଣି କିଏ ଝାଞ୍ଜି ପବନର ତତଲା ରାସ୍ତାର ପେଟ ପାଇଁ ପରିଶ୍ରମ କରେ । କିଏ ଖଟେ, କିଏ ଖଟାଏ, କିଏ ଜିତେ କିଏ ହାରେ… କିଏ ବଞ୍ଚିବା ପାଇଁ ସଙ୍ଘର୍ଷ କରେ ପୁଣି କିଏ ଭଲରେ ଚଳିବାକୁ ଖୁସିରେ ରହିବାକୁ ବିଭିନ୍ନ ପନ୍ଥା ଆପଣାଏ । ପ୍ରତିଦିନ, ପ୍ରତି ମୁହୂର୍ତ୍ତରେ, ପ୍ରତିଟି ମଣିଷକୁ ପୁଳାପୁଳା ପ୍ରେରଣା ଦିଏ, ଆଶା- ଆକାଂକ୍ଷା- ଉତ୍ସାହର ଅ… ଆ ଶିଖାଏ ସ୍ମାର୍ଟସିଟି ।
ହେଲେ ଏହି ସମୃଦ୍ଧିର ସହରରେ ଅନେକ ଶୋଇବାକୁ ଜାଗା ପାଆନ୍ତିନି, ଖାଇବାକୁ ଦାନା ଗଣ୍ଡେ ପାଆନ୍ତିନି । ମୁଠେ ଚାଉଳ ପାଇଁ ଏଠି ମୂଲ ଲାଗିବାକୁ ପଡେ, ପିଲାଙ୍କ ମୁହଁରେ ଗଣ୍ଡେ ଭାତ ଦେବା ପାଇଁ ଏଠି ବାପାମାଆଙ୍କୁ ହାଡଭଙ୍ଗା ପରିଶ୍ରମ କରିବାକୁ ପଡେ । ସମସ୍ତେ ତ ହଜାରେ ଆଶା ନେଇ ଗାଁରୁ ସହରକୁ ଆସନ୍ତି ହେଲେ ଏ ସହରରେ ସେତେ ସହଜ ହୁଏନି ନିଜ ସ୍ୱପ୍ନକୁ ସତ କରିବାକୁ । ସେଥିପାଇଁ ତ ରାତି ପାହିବାଠୁ ରାତି ହେବା ଯାଏଁ ରାଜଧାନୀରେ ଚାଲେ ପେଟ ପାଇଁ ନାଟ । ଆଉ ସହର ଛାତିରେ ଜୀବନ- ଜୀବିକାର ଏ ଜୀବନ୍ତ ଚିତ୍ର ସବୁ କୁଏ ଅନେକ କଥା, ଅନେକ ବ୍ୟଥା…

ସ୍ଥାନ- ସଙ୍ଘର୍ଷର ସହର
ସମୟ- ଉତ୍ତପ୍ତ ଅପରାହ୍ନ
ଅସହ୍ୟ ତାତି ପାଇଁ ଯେତେବେଳେ ଲୋକେ ତତଲା ରାସ୍ତାରେ ତ୍ରାହି ତ୍ରାହି ଡାକି ଘରମୁହାଁ ହେଉଛନ୍ତି ସେତେବେଳେ ପେଟ ପାଇଁ ପରିଶ୍ରମ କରି ଝାଳୁଆ ଦେହରେ ବସ୍ତିର ଝୁପୁଡି ଘରକୁ ଫେରୁଛନ୍ତି ଏ ଶ୍ରମିକ ଦମ୍ପତ୍ତି । ମୁଣ୍ଡ ଉପରେ ମୁକୁଳା ଆକାଶ, ଆଉ ଆକାଶରୁ ବର୍ଷୁଛି ଅଗ୍ନି । ହେଲେ ସେସବୁକୁ ଖାତି ନକରି ଆଗେଇ ଚାଲିଛନ୍ତି ଏମାନେ । କାରଣ ସେମାନେ ଜାଣନ୍ତି ଦିନର ଟାଣଖରାକୁ ଡରିଗଲେ କି ଟଲି ନଟାଣିଲେ ରାତିରେ ଚୁଲି ଜଳିବନି । ତେଣୁ ତ ପେଟ ପାଇଁ ପ୍ଲାଷ୍ଟିକ ବସ୍ତା ଧରି ପେଡାଲମାରୁଛନ୍ତି ଏ କବାଡିବାଲା । ଜିଇଁବାର ଏହି ସଙ୍ଘର୍ଷ ଭିତରେ ଜୀବନସାଥୀକୁ ସାଥିରେ ଧରି ରାଜଧାନୀ ରାସ୍ତାରେ ଆଗେଇ ଚାଲୁଛି ଚକ । ଖରା ବଢୁଛି ହେଲେ ଖାତିର ନାହିଁ, ବୋଝ ବୁହା ହେଉଛି, ହେଲେ ସେ ବୋଝ ବାଧୁନି । କାରଣ ପାଖରେ ପରା ତୁ ଅଛୁ… ତୁ ଥିଲେ ଦୁନିଆର ସବୁ ବୋଝ ମୋ ପାଇଁ ହାଲକା ଫୁଲ, ତତଲା ଝାଞ୍ଜି ବି ମୃଦୁ ପବନ… ସତରେ ଏ ଚିତ୍ର ଭୋକ ଭିତରେ ଭଲପାଇବାର ବାର୍ତ୍ତା ଦେଉଛି…

ଏଠି ଦେଖନ୍ତୁ ସ୍ୱପ୍ନକୁ ସଜାଡିବାକୁ କେମିତି ସାଇକେଲର ପେଡାଲ ମରା ହେଉଛି । ଭୋକ ଓ ଭବିଷ୍ୟତ ରାସ୍ତାରେ ଚକ ଗଡିଚାଲିଛି । ଏ ଚିତ୍ର କହୁଛି ହୁଏତ ଏ ଯୁବକ ଗାଁରୁ ସହରମୁହାଁ ହୋଇଛନ୍ତି । ନୂଆ ନୂଆ ଅଜଣା ସହରରେ ଆଶା ନେଇ ଆଗେଇ ଚାଲିଛନ୍ତି । ପ୍ରାରମ୍ଭିକ ପାହାଚରେ ସାଇକେଲ ଖଣ୍ଡେ ଧରି ଗଳି ଗଳି ବୁଲି ଡେଲିଭରି ବୟ ସାଜିଛନ୍ତି । ପାଖରେ ଟଙ୍କା ଥିଲେ କି ବାଇକ ଥିଲେ କିଏ ବା କାହିଁକି ଏ ଖରାରେ ସାଇକେଲ ଧରି ବୁଲନ୍ତା । ପରିବାରର ଅସହାୟତା ତାଙ୍କୁ ଏ ଅସହ୍ୟ ତାତି ବିରୋଧରେ ଯୁଦ୍ଧ ଘୋଷଣା କରିବାକୁ ସାହସ ଦେଇଛି । କାରଣ ସେ ସହରକୁ ରୋଜଗାର ଆଶାରେ ଆସିଛନ୍ତି । ନିଜ ମେହନତି ଟଙ୍କାରେ ପାଠ ପଡିବାକୁ ଆସିଛନ୍ତି । ଯଦି ପ୍ରଚଣ୍ଡ ରୌଦ୍ରତାପକୁ ଭୟ କରିବେ ତେବେ କେମିତି ହେବ ଭଉଣୀ ବାହାଘର ପାଇଁ ଟଙ୍କା ଯୋଗାଡ ? କେମିତି କିଣାହେବ ରୋଗୀଣା ବାପା ପାଇଁ ଔଷଧ? ଚାଳ ଛପର ଉଡିଗଲାଣି, ରୋଜଗାର ହେଲେ ତ ଗାଁରେ ଗଢାହେବ ଖଣ୍ଡେ ଘର… ଏମିତି ଅନେକ ଆଶା ନେଇ ରାଜଧାନୀରେ ଚାଲେ ହଜାର ହଜାର ଗରିବ, ମଧ୍ୟବିତ ଲୋକଙ୍କ ସଙ୍ଘର୍ଷର ସାଇକେଲ ।

ସେ ଯୁବକ ହୁଅନ୍ତୁ କି ବୃଦ୍ଧ, ନହାରି ଜିତିବା ପାଇଁ ଏଠି ସମସ୍ତେ କରନ୍ତି ହାଡଭଙ୍ଗା ପରିଶ୍ରମ । ଭଲରେ ରହିବାକୁ ଭିଡର ସହରେ ଚାଲେ ସଙ୍ଘର୍ଷ । ଗ୍ରୀଷ୍ମର ରାଜଧାନୀ କାହା ପାଇଁ ଉତ୍ତପ୍ତ ତ କାହା ପାଇଁ ପାଲଟେ ଅଭିଶପ୍ତ । ଖରା ପାଇଁ ଖାଲି ପଡେ ରାସ୍ତା, ଖାଲି ପଡେ ପକେଟ । ଗ୍ରୀଷ୍ମ ଦୋକାନୀର ଗ୍ରାହକ ଆଶାକୁ ଅପେକ୍ଷାରେ ବଦଳାଇଦିଏ, ଶୂନଶାନ ସହରରେ ଗ୍ରୀଷ୍ମ କେବେ କେବେ ଉପାସ ରହିବାକୁ ବାଧ୍ୟ କରେ… ତଥାପି ରାଜଧାନୀ ନିଜର ନିଜର ଲାଗେ । ପର ହୋଇ ବି ଏ ସହର ପେଟପାଟଣାର ଖୋରାକ ଯୋଗାଏ, ଭବିଷ୍ୟତ ପାଇଁ ଭରସା ଦିଏ…ଭୁବନେଶ୍ୱର ଆମକୁ ଭାରି ଭଲପାଏ, ଭୁବନେଶ୍ୱର ଭାରି ଭାରିଲାଗେ…