କୋଭିଡ୍ ରୋଗୀଙ୍କ ସଂସ୍ପର୍ଶରେ ଆସିଥିଲେ ବି, କରିବାକୁ ପଡିବନି କୋଭିଡ୍ ଟେଷ୍ଟ । ଜାଣନ୍ତୁ, ଆଇସିଏମଆରର ନୂଆ ଗାଇଡଲାଇନ୍?

330

କନକ ବ୍ୟୁରୋ: ଦେଶରେ ଓମିକ୍ରନ୍ କାରଣରୁ ଏବେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢିବାକୁ ଲାଗିଛି । ଯାହାକୁ ଦେଖିବା ପରେ ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ ରିସର୍ଚ୍ଚ ଅଥବା ଆଇସିଏମଆର୍ କୋଭିଡ୍ ପରୀକ୍ଷାକୁ ନେଇ ନୂଆ ଗାଇଡଲାଇନ୍ ଧାର୍ଯ୍ୟ କରିଛି । ଏହି ନୂଆ ଗାଇଡଲାଇନ୍ ଅନୁସାରେ, ଏବେ ଯେକୌଣସି ଲୋକଙ୍କୁ କୋଭିଡ୍ ଟେଷ୍ଟ କରିବାର ଆବଶ୍ୟକତା ନାହିଁ । ଏମିତିକି ଆପଣ ଯଦି କୋଭିଡ୍ ରୋଗଙ୍କ ସଂସ୍ପର୍ଶରେ ଆସିଛନ୍ତି, ଆଉ ଆପଣଙ୍କର କିଛି ବି ଲକ୍ଷଣ ପ୍ରକାଶ ପାଉନି ତେବେ ମଧ୍ୟ ଆପଣଙ୍କୁ କୋଭିଡ୍ ଟେଷ୍ଟ କରିବାର କୌଣସି ଆବଶ୍ୟକତା ନାହିଁ ।

ଆଇସିଏମଆରର ଏହି ନୂଆ ଗାଇଡଲାଇନରେ କୁହାଯାଇଛି, କୋଭିଡ୍ ରୋଗୀଙ୍କ ସଂସ୍ପର୍ଶରେ ଆସିଥିବା ସେହି ଲୋକମାନେ ନିଜର କୋଭିଡ୍ ଟେଷ୍ଟ କରିବା ଉଚିତ୍ ଯେଉଁମାନଙ୍କର ବୟସ ୬୦ ବର୍ଷରୁ ଅଧିକ । ତା ସହିତ ଯେଉଁ ଲୋକମାନେ ଗୁରୁତର ରୋଗରେ ପୀଡିତ ସେମାନେ ମଧ୍ୟ କୋଭିଡ୍ ରୋଗୀଙ୍କ ସଂସ୍ପର୍ଶରେ ଆସିବା ପରେ ନିଜର କୋଭିଡ୍ ଟେଷ୍ଟ କରାଇ ନିଅନ୍ତୁ ବୋଲି ଆଇସିଏମଆର ପକ୍ଷରୁ କୁହାଯାଇଛି । ତେବେ ଜଣେ ସାଧାରଣ ଲୋକ ଯଦି କୋଭିଡ ରୋଗୀଙ୍କ ସଂସ୍ପର୍ଶରେ ଆସିବା ପରେ ବି କୌଣସି ଲକ୍ଷଣ ପ୍ରକାଶ ପାଉନି ତେବେ ତାଙ୍କୁ ଟେଷ୍ଟ କରାଇବାର କୌଣସି ଆବଶ୍ୟକତା ନାହିଁ ବୋଲି କୁହାଯାଇଛି ।

ତା ସହିତ ଯଦି କୌଣସି ବ୍ୟକ୍ତିଙ୍କର କାଶ ହେଉଛି, ଗଳା ଖରାପ ହେଉଛି କିମ୍ବା ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ହେଉଛି, ତେବେ ସେମାନେ ତୁରନ୍ତ କୋଭିଡ୍ ଟେଷ୍ଟ କରାଇ ନେବା ଉଚିତ୍ । ତା ସହିତ ବିଦେଶ ଯାତ୍ରା ପୂର୍ବରୁ ଓ ପରେ ମଧ୍ୟ କୋଭିଡ୍ ଟେଷ୍ଟ କରାଇବାକୁ ଆଇସିଏମଆର ନିୟମ ଲାଗୁ କରିଛନ୍ତି । ସବୁୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଆପଣ ଜଣେ ରୋଗୀଙ୍କ ସଂସ୍ପର୍ଶରେ ଆସିଥିଲେ ବି ଯଦି କୌଣସି ଲକ୍ଷଣ ପ୍ରକାଶ ପାଉନି, କିମ୍ବା ଆପଣଙ୍କ ବୟସ ୬୦ରୁ ବର୍ଷରୁ କମ୍ ତେବେ ଆପଣ ବିନା କୌଣସି ଚିନ୍ତାରେ କୋଭିଡ୍ ଟେଷ୍ଟ ନକରାଇ ରହିପାରିବେ । ଏଥିପାଇଁ ଆସିଏମଆର ନିଜର ଗାଇଡଲାଇନରେ ଉଲ୍ଲେଖ କରିଛନ୍ତି ।

ଅନ୍ୟପଟେ କରୋନା ଟେଷ୍ଟିର ଏହି ନୂଆ ନିୟମକୁ ନେଇ ବିଶେଷଜ୍ଞମାନେ ପ୍ରଶ୍ନ କରିଛନ୍ତି । ଏହାଦ୍ୱାରା ମେଡିକାଲ ଉପରେ ଚାପ କମ୍ ପଡିବ ଏବଂ କୋଭିଡ୍ ରୋଗୀଙ୍କୁ ଅଧିକ ଧ୍ୟାନ ଦିଆଯାଇପାରିବ ବୋଲି କୁହାଯାଉଛି, ହେଲେ ସଂକ୍ରମଣକୁ ରୋକିବାକୁ ଏହା ସଠିକ୍ ଢଙ୍ଗ ନୁହେଁ ବୋଲି ଅନେକ ବିଶେଷଜ୍ଞ ମତ ପ୍ରକାଶ କରିଛନ୍ତି ।