ମଣିଷ ଶରୀରରେ ସଫଳତାର ସହ ପ୍ରତିରୋପଣ ହେଲା ଘୁଷୁରୀର ହାର୍ଟ । ଚିକିତ୍ସା ବିଜ୍ଞାନରେ ନୂଆ ସମ୍ଭାବନା ଯୋଡିଲେ ଆମେରିକାର ଡାକ୍ତରୀଦଳ

ଠିକ ୨୪ ବର୍ଷ ତଳେ ଭାରତରେ ହୋଇଥିଲା ସେହି ବିରଳ ଅସ୍ତ୍ରୋପଚାର

80

କନକ ବ୍ୟୁରୋ : ଆମେରିକାର ଡାକ୍ତରଦଳ ମଣିଷ ଶରୀରରେ ସଫଳତାର ସହ ଘୁଷୁରୀର ହାର୍ଟ ପ୍ରତିରୋପଣ କରିପାରିଛନ୍ତି । ଏହି ଖବର ଆସିବା ପରେ ଆମେରିକାର ଡାକ୍ତରୀ ଦଳକୁ ଚାରିଆଡୁ ପ୍ରଶଂସାର ଛୁଟୁଛି । କିନ୍ତୁ ଯାହା ଆମେରିକା ଆଜି କରି ଦେଖାଇଛି, ଠିକ ୨୪ ବର୍ଷ ତଳେ ତାହା ଭାରତରେ ହୋଇଥିଲା । ଆଉ ସେହି ବିରଳ ଅସ୍ତ୍ରୋପଚାର କରିଥିଲେ ଆସାମର ବିବାଦୀୟ ଡାକ୍ତର ଡକ୍ଟର ଧନିରାମ ବରୁଆ । କିନ୍ତୁ ସେହି ସମ୍ମାନର ଅଧିକାରୀ ହୋଇପାରନଥିଲେ, ଜାହାର ସେ ପ୍ରକୃତ ହକଦାର ଥିଲେ ।

ଓଲଟା ଭାରତରେ ତାଙ୍କୁ ଲାଂଛନା ସହିବା ସହ ଜେଲ ଯିବାକୁ ପଡିଥିଲା । ଆମେରିକା ଡାକ୍ତରଙ୍କ ସଫଳତାକୁ ନେଇ ପ୍ରତିକ୍ରିୟା ଦେଇ ୭୨ ବର୍ଷ ବୟସ୍କ ଡକ୍ଟର ଧନିରାମ ବରୁଆ କହିଛନ୍ତି ଏହା ବିଶ୍ୱ ପାଇଁ ଓ ଚିକିତ୍ସା ବିଜ୍ଞାନ ପାଇଁ ନୂଆ ଉପଲବ୍ଧି ନୁହେଁ । ପୁରୁଣା ମଦକୁ ନୂଆ ବୋତଲରେ ପରଷା ଯାଉଛି । ଏଥିସହ ସେ କହିଛନ୍ତି ତାଙ୍କ ଅସ୍ତ୍ରୋପଚାର ସଫଳତାକୁ ସେ ସମୟରେ ବିଶ୍ୱସ୍ତରୀୟ ଚିକିତ୍ସକ ଚାପି ଦେଇଥିଲେ । ଆଉ ଏବେ ସେହି ପଦ୍ଧତିରେ ଘୁଷୁରୀ ଅଙ୍ଗକୁ ମଣିଷ ଦେହରେ ପ୍ରତ୍ୟାରୋପଣ କରି ବାହାବା ନେଉଛନ୍ତି । ୧୯୯୭ ମସିହାରେ ଆସାମର ସୋନପୁରରେ ଡାକ୍ତର ଧନିରାମ ବରୁଆ ନିଜ କ୍ଲିନକରେ ଘୁଷୁରୀ ଅଙ୍ଗ ମଣିଷ ଦେହରେ ପ୍ରତିରୋପଣ କରିଥିଲେ ।

ଜଣେ ୩୨ ବର୍ଷ ବୟସ୍କ ଯୁବକଙ୍କ ଦେହରେ ସେ ଘୁଷୁରୀର ହୃତପିଣ୍ଡ ଓ ଫୁସଫୁସ ପ୍ରତିରୋପଣ କରିଥିଲେ । କିନ୍ତୁ ଦୁର୍ଭାଗ୍ୟକୁ ଅସ୍ତ୍ରୋପଚାର ପରେ ଯୁବକ ଜଣକ ଏକାଧିକ ସଂକ୍ରାମକ ରୋଗରେ ଆକ୍ରାନ୍ତ ହୋଇ ୭ ଦିନରେ ଆଖି ବୁଜିଥିଲେ । ଏହି ଘଟଣାକୁ ନେଇ ତାଙ୍କୁ ଓ ଅସ୍ତ୍ରୋପଚାରରେ ସହାୟତା କରିଥିବା ବିଦେଶୀ ଡାକ୍ତରଙ୍କୁ ୪୦ ଦିନ ଜେଲ ଯିବାକୁ ପଡିଥିଲା । ଜେଲରୁ ବାହାରିବା ପରେ ସେ ବାରମ୍ବାର କହିଥିଲେ ଘୁଷୁରୀର ଅଙ୍ଗପ୍ରତ୍ୟଙ୍ଗ ମଣିଷ ଦେହରେ ପ୍ରତିରୋପଣ କରାଯାଇ ପାରିବ । କିନ୍ତୁ ସେହି ସମୟରେ କେହି ଶୁଣିନଥିଲେ, ଏପରିକି ତାଙ୍କ କ୍ଲିନିକକୁ ମଧ୍ୟ ଉତ୍ୟକ୍ତ ଲୋକେ ଜାଳି ଦେଇଥିଲେ ।