୬ରୁ ସମ୍ମୁଖ ଯୋଦ୍ଧାଙ୍କୁ ଦିଆଯିବ କୋରନା ଟିକା : ସ୍ୱାସ୍ଥ୍ୟ ଅନୁଷ୍ଠାନକୁ ଛାଡି, ବିକଳ୍ପ ଟିକାକରଣ କେନ୍ଦ୍ର ଚୟନ କରିବାକୁ ନିର୍ଦ୍ଦେଶ; ଆଜି ସୁଦ୍ଧା ପ୍ରସ୍ତୁତି ନେଇ ଦେବାକୁ ହେବ ରିପୋର୍ଟ

63

କନକ ବ୍ୟୁରୋ : ଆସନ୍ତା ୬ ତାରିଖରୁ ରାଜ୍ୟରେ ସମ୍ମୁଖ ଯୋଦ୍ଧାଙ୍କୁ ଦିଆଯିବ କରୋନା ଟିକା । ଏ ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସବୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ଏଥିପାଇଁ ସ୍ୱାସ୍ଥ୍ୟ ଅନୁଷ୍ଠାନକୁ ଛାଡି ବିକଳ୍ପ ଟିକାକରଣ କେନ୍ଦ୍ର ଚୟନ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ନିର୍ଦ୍ଦେଶନାମାରେ କୁହାଯାଇଛି ଯେ, ସ୍ୱାସ୍ଥ୍ୟକର୍ମୀଙ୍କୁ ବାଦଦେଇ ଅନ୍ୟ ଟିକାଦାତା ଟିମ ଚିହ୍ନଟ କରାଯାଉ । ସେମାନେ ଯେଭଳି ଉପଯୁକ୍ତ ତାଲିମ ପାଇବେ ସେ ନେଇ ଧ୍ୟାନ ରଖାଯିବ । ଟିକା ଦିଆଯିବାକୁ ଥିବା ଅନୁଷ୍ଠାନରେ ଜଣେ ନୋଡାଲ ଅଫିସର ରହିବେ । ଏଥିପାଇଁ ଆଜିଠାରୁ ଟିକା ପଠାଯିବା କାମ ଆରମ୍ଭ ହୋଇଛି ।

ସେହି ଅନୁସାରେ ଜିଲ୍ଲାଗୁଡିକ ଟିକାକରଣ ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛି ପରିବାର ଓ ସ୍ୱାସ୍ଥ୍ୟ କଲ୍ୟାଣ ବିଭାଗ । ଆଉ ଆଜି ସୁଦ୍ଧା ସମସ୍ତ ମାଇକ୍ରୋପ୍ଲାନ ଜିଲ୍ଲାସ୍ତରରୁ ଆସି ସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ନିକଟରେ ପହଂଚିବ । ପୁଲିସ, ଟ୍ରାଫିକ କର୍ମଚାରୀ, କଂଟେନମେଂଟ ଜୋନରେ ଦାୟିତ୍ୱରେ ଥିବା କର୍ମଚାରୀ ଭଳି ସମ୍ମୁଖ ଯୋଦ୍ଧାଙ୍କୁ ଏହି ଟିକା ଦିଆଯିବ । ଜାନୁଆରୀ ୧୬ରୁ ଓଡିଶା ସମେତ ରାଜ୍ୟରେ ଟିକାକରଣ ଆରମ୍ଭ ହୋଇଥିଲା । ବର୍ତ୍ତମାନ ଦେଶରେ କୋଭାକ୍ସିନ ଓ କୋଭିସିଲ୍ଡ ଟିକାକୁ ପରୀକ୍ଷାମୂଳକ ବ୍ୟବହାର ପାଇଁ ଅନୁମତି ମିଳିଛି ।