ପ୍ରିୟଙ୍କା ଗାନ୍ଧିଙ୍କୁ ନେଇ ବିଜେପି ମନ୍ତ୍ରୀଙ୍କ ଅଶାଳୀନ ମନ୍ତବ୍ୟ ! କହିଲେ, ସୁନ୍ଦରୀ ଚେହେରା ଜିତାଇପାରେନି ନିର୍ବାଚନ । 

223

କନକ ବ୍ୟୁରୋ : ସକ୍ରିୟ ରାଜନୀତିରେ ପ୍ରିୟଙ୍କାଙ୍କ ପ୍ରବେଶ ବିରୋଧୀ ଶିବିରରେ ହଇଚଇ ଖେଳାଇ ଦେଇଛି ।  ସୁନ୍ଦର ଚେହେରା କେବେ ବି ନିର୍ବାଚନ ଜିତାଇ ପାରେ ନାହିଁ ବୋଲି ସମାଲୋଚନା କରିଛି ବିଜେପି । ସେପଟେ ଇନ୍ଦିରା ଗାନ୍ଧିଙ୍କ ଚେହେରା ସହ ବେଶ୍ ମେଳ ଖାଉଥିବାରୁ ତାଙ୍କର ହୁଏତ ଲୋକପ୍ରିୟତା ବଢିପାରେ, କିନ୍ତୁ ତାଙ୍କ ଭିତରେ ଇନ୍ଦିରାଙ୍କ ପରି ବୃଦ୍ଧିମତା ଥିବା ନେଇ ସନ୍ଦେହ ପ୍ରକାଶ କରିଛନ୍ତି ବିରୋଧୀ ।

୪୭ ବର୍ଷୀୟ ପ୍ରିୟଙ୍କା ଗାନ୍ଧି । ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ସହ ତାଙ୍କ ଚେହେରାର ରହିଛି ଅନେକ ସାମଞ୍ଜସ୍ୟ । ଆଉ ପ୍ରିୟଙ୍କାଙ୍କ ସୌନ୍ଦର୍ଯ୍ୟକୁ ନେଇ ଏଭଳି ଅମର୍ଯ୍ୟାଦାପୂର୍ଣ୍ଣ ବୟାନ ଦେଇଛନ୍ତି ବିଜେପି ମନ୍ତ୍ରୀ । ବିହାର ସରକାରରେ ମନ୍ତ୍ରୀ ଅଛନ୍ତି ବିଜେପି ନେତା ବିନୋଦ ଝା । ପ୍ରତ୍ୟକ୍ଷ ରାଜନୀତିକୁ ପ୍ରିୟଙ୍କା ପ୍ରବେଶ କରିବା ପରେ ବିଜେପି ଶିବିରରୁ ଲଗାତର ପ୍ରତିକ୍ରିୟା ପ୍ରକାଶ ପାଇବାରେ ଲାଗିଛି । ଆଉ ବିନୋଦ ଝା କହିଛନ୍ତି ସୁନ୍ଦରୀ ହେଲେ ଅଧିକ ସିଟ୍ ମିଳିବନାହିଁ ।

୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ରାହୁଲ ଗାନ୍ଧି ତାଙ୍କ ଟ୍ରମ୍ପକାର୍ଡ ଖେଳିିଛନ୍ତି । ଭଉଣୀ ପ୍ରିୟଙ୍କା ଗାନ୍ଧିଙ୍କୁ ଦିଆଯାଇଛି ପୂର୍ବ ଉତର ପ୍ରଦେଶର ଦାୟିତ୍ୱ । ପ୍ରିୟଙ୍କାଙ୍କ ପ୍ରଚାର ଓ ରଣନୀତି ଦଳକୁ ଫାଇଦା ଆଣିଦେବ ବୋଲି କଂଗ୍ରେସ ଆକଳନ କରୁଛି । ହେଲେ ସ୍ୱାମୀ ରବର୍ଟ ଭଡ୍ରାଙ୍କ ନାଁରେ ଥିବା ଜମି ଦୁର୍ନୀତି ମାମଲା ଉଠାଇ ଘେରିବାକୁ ରଣନୀତି କରୁଛନ୍ତି ପ୍ରତିପକ୍ଷ ଶିବିର । ସେନେଇ ଇସାରା କରିଛନ୍ତି ବିହାର ଉପମୁଖ୍ୟମନ୍ତ୍ରୀ ସୁଶୀଲ କୁମାର ମୋଦି । ଏଥିସହ କେବଳ ଇନ୍ଦିରାଙ୍କ ପରି ଦେଖାଯାଉଥିବା ପ୍ରିୟଙ୍କାଙ୍କ ଭିତରେ ଜେଜେ ମାଆଙ୍କ ପରି ଦକ୍ଷତା ରହିଥିବା ନେଇ ସେ ସନ୍ଦେହ ପ୍ରକାଶ କରିଛନ୍ତି ।

ବିଜେପିର ଶୁଭେଚ୍ଛୁ ଭାବେ ଜଣାଶୁଣା ଯୋଗଗୁରୁ ବାବା ରାମଦେବ । ସେ ମଧ୍ୟ ପ୍ରିୟଙ୍କାଙ୍କ ପ୍ରତ୍ୟକ୍ଷ ରାଜନୀତିରେ ପ୍ରବେଶକୁ ନେଇ ରଖିଛନ୍ତି ପ୍ରତିକ୍ରିୟା । ଗେରୁଆ ଶିବିର ଉପରେ ଏହା କିଭଳି ପ୍ରଭାବ ପକାଇବ ସିଧାସିଧା କହିନଥିଲେ ବି, ଲଢେଇ ଜୋରଦାର ହେବାନେଇ ଇସାରା କରିଛନ୍ତି ବାବା ରାମଦେବ । କଂଗ୍ରେସ ସାଧାରଣ ସଂପାଦିକା ଭାବେ ପ୍ରିୟଙ୍କା ଗାନ୍ଧିଙ୍କୁ ପୂର୍ବ ୟୁପିର ଦାୟିତ୍ୱ ଦିଆଯାଇଛି । ଫେବ୍ରୁଆରୀ ୪ ତାରିଖ ବେଳକୁ ସେ ତାଙ୍କ କାମ ଆରମ୍ଭ କରିଦେବେ ବୋଲି ସୂଚନା ରହିଛି । ୮୦ ଲୋକସଭା ଆସନ ବିଶିଷ୍ଟ ୟୁପିରେ ଉଭୟ ବିଜେପି ଓ ଏସପି-ବିଏସପି ମେଂଟ ବିରୋଧରେ କଂଗ୍ରେସକୁ ବିଜୟୀ କରିବା ଲାଗି ରଣନୀତି କରିବେ ପ୍ରିୟଙ୍କା ଗାନ୍ଧି ।