ଜେଲର ରୁଟି-ଡାଲି ଖାଇବାକୁ ମନା କଲେ ନବଜୋତ୍ ସିଂହ ସିଦ୍ଧୁ । ଚେକଅପ୍ ପାଇଁ ହସ୍ପିଟାଲ ନେଲେ ଜେଲ୍ କର୍ତ୍ତୃପକ୍ଷ । 

200

କନକ ବ୍ୟୁରୋ: କଂଗ୍ରେସ ନେତା ନବଜୋତ୍ ସିଂହ ସିଦ୍ଧୁ ଏବେ ପଟିୟାଲା ଜେଲରେ ବନ୍ଦ ଅଛନ୍ତି । ୩୩ ବର୍ଷ ତଳର ରୋଡ୍ ରେଜ୍ ଘଟଣାରେ ସୁପ୍ରିମକୋର୍ଟ ତାଙ୍କୁ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି । ତେବେ ବର୍ତ୍ତମାନ ମିଳିଥିବା ସୂଚନା ମୁତାବକ, ଜେଲର ରୁଟି-ଡାଲି ଖାଇବାକୁ ମନା କରିଦେଇଛନ୍ତି ସିଦ୍ଧୁ । ଯାହା ପରେ ତାଙ୍କୁ ପଟିୟାଲାର ରାଜେନ୍ଦ୍ର ହସ୍ପିଟାଲକୁ ନିଆଯିବା ସହିତ ସେଠାରେ ତାଙ୍କର ମେଡିକାଲ ଚେକଅପ୍ ହେବ ବୋଲି ଖବର ମିଳିଛି ।

ଚନା ମୁତାବକ, ସିଦ୍ଧୁ ଜେଲରେ ମିଳୁଥିବା ରୁଟି ଏବଂ ଡାଲି ଖାଇବାକୁ ସିଧା ସିଧା  ମନା କରିଦେଇଛନ୍ତି । ସେ କହିଛନ୍ତି, ଗହମ ପ୍ରତି ତାଙ୍କର ଆଲର୍ଜି ଅଛି । ଏପରି ସ୍ଥିତିରେ ସେ ଗହମରେ ପ୍ରସ୍ତୁତ ରୁଟି ଖାଇବେ ନାହିଁ । ବର୍ତ୍ତମାନ ସେ ଜେଲରେ କେବଳ ସାଲାଡ୍ ଖାଇ ରହୁଛନ୍ତି । ଆଉ ତାଙ୍କର ଡାଏଟ୍ ପ୍ଲାନ୍ ପ୍ରସ୍ତୁତ କରିବା ପାଇଁ ଏକ ମେଡିକାଲ ବୋର୍ଡ ଗଠନ କରାଯାଇଛି ।

ସିଦ୍ଧୁଙ୍କର ଗହମ ପ୍ରତି ଆଲର୍ଜି ଅଛି, ତା ସହିତ ତାଙ୍କର ଲିଭର ପ୍ରୋବ୍ଲେମ୍ ମଧ୍ୟ ରହିଛି । ଏହି କାରଣରୁ ସିଦ୍ଧୁ ଜେଲ ପ୍ରଶାସନକୁ ସ୍ପେଶାଲ ଡାଏଟ୍ ପ୍ଲାନ୍ ଦାବି କହିଥିଲେ । ଏହାପରେ ତାଙ୍କୁ ହସ୍ପିଟାଲ ନେଇ ଚେକଅପ୍ କରାଯିବା ପରେ ତାଙ୍କୁ ଜେଲରେ ସ୍ପେଶାଲ ଖାଦ୍ୟ ଦିଆଯାଇପାରେ ବୋଲି କୁହାଯାଉଛି ।

ସୂଚନାଯୋଗ୍ୟ ଯେ, କଂଗ୍ରେସ ନେତା ନବଜୋତ୍ ସିଂହ ସିଦ୍ଧୁ ୧୯୮୮ ମସିହା ରୋଡ୍ ରେଡ୍ ଘଟଣାରେ ସୁପ୍ରିମକୋର୍ଟ ଏକ ବର୍ଷ ପାଇଁ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି । ୩୩ ବର୍ଷ ତଳେ ଏହି ଘଟଣାରେ ସିଦ୍ଧୁ ତାଙ୍କର ଜଣେ ବନ୍ଧୁଙ୍କ ସହ ମିଶି ଜଣେ ବ୍ୟକ୍ତିଙ୍କୁ ପ୍ରବଳ ମାଡ ମାରିଥିଲେ । ଏହାପରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଯାଇଥିଲା । ସୁପ୍ରିମକୋର୍ଟ ଏହି ମାମଲାରେ ଶୁଣାଣି କରି ସିଦ୍ଧୁଙ୍କୁ ଗୋଟିଏ ବର୍ଷ ପାଇଁ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି ।