ଅଟୋ ଡ୍ରାଇଭର ବଞ୍ଚାଉଛନ୍ତି ଲୋକଙ୍କ ଜୀବନ । ମୃତ୍ୟୁ ମୁହଁରୁ ନେଇ, ମାଗଣା ପହଞ୍ଚାଉଛନ୍ତି ହସ୍ପିଟାଲ

129

କନକ ବ୍ୟୁରୋ : ଗୋପାଳକ୍ରିଷ୍ଣନ । ବୃତ୍ତିରେ ଜଣେ ସାମାନ୍ୟ ଅଟୋ ଡ୍ରାଇଭର । ହେଲେ ଗୋପାଳଙ୍କର କାମ କଥା ଯେ ଶୁଣିବ, ତାଙ୍କୁ ପ୍ରଂଶସା ନକରି ରହିପାରିବନି । ଅସହାୟ ସାହା ସାଜି, ସେ ଦେଉଛନ୍ତି ଦ୍ୱିତୀୟ ଜୀବନ । ମୃତ୍ୟୁ ମୁହଁରୁ ଟାଣି ନେଇ, ମାଗଣାରେ ଲୋକଙ୍କୁ ପହଞ୍ଚାଉଛନ୍ତି ହସ୍ପିଟାଲ ।

ରାସ୍ତାରେ ଆପଣ ଅନେକ ଦୁର୍ଘଟଣା ଦେଖିଥିବେ । ହେଲେ କେରଳର ପାଲକ୍କଡ ଅଞ୍ଚଳରେ ରହୁଥିବା ଏହି ଅଟୋ ଡ୍ରାଇଭର କିନ୍ତୁ ଆମ ସମସ୍ତଙ୍କଠୁ ପୂରା ନିଆରା । ରାସ୍ତାରେ କିଛି ଦୁର୍ଘଟଣା ଦେଖିଲେ, ସେ ତୁରନ୍ତ ସେ ଲୋକର ଜୀବନ ବଞ୍ଚେଇବା କାମରେ ଲାଗିପଡନ୍ତି । ଆଉ ନିଜ ଅଟୋରେ ବସେଇ ନେଇଯାଆନ୍ତି ହସ୍ପିଟାଲ, ଯାହାକି ବିଲକୁଲ୍ ମାଗଣାରେ । ତେବେ ବର୍ଷେ କି ଦି ବର୍ଷ ନୁହଁ, ଗଲା ୧୦ ବର୍ଷ ହେଲା ସେ ଏମିତି କାମ କରୁଛନ୍ତି ଆଉ ଲୋକଙ୍କ ଜୀବନ ବଞ୍ଚେଇ ଚାଲିଛନ୍ତି ।

ଗୋପାଳକ୍ରିଷ୍ଣନ ଦୁର୍ଘଟଣା ହେଇଥିବା ଲୋକଙ୍କୁ ସାହାଯ୍ୟ କରିବା ପଛରେ, ଏକ କାରଣ ମଧ୍ୟ ଅଛି । ୨୦୦୯ ମସିହାରେ ପାଲକ୍କଡ ବସ ଷ୍ଟପରେ ତାଙ୍କୁ ଗୋଟିଏ କାର ଅଚାନକ ଧକ୍କା ଦେଇଥିଲା । ସେ ପାଖାପାଖି ୨୦ ମିନିଟ୍ ଧରି ସେମିତି, ରାସ୍ତାରେ ପଡି ରହିଥିଲେ । ଆଉ କେହି ବି ତାଙ୍କୁ ସାହାଯ୍ୟ କରିନଥିଲେ । ଶେଷରେ ସୁରେଶ ନାମକ ଜଣେ ଯୁବକ ତାଙ୍କୁ ରାସ୍ତାରୁ ନେଇ ହସ୍ପିଟାଲରେ ପହଂଚାଇଥିଲେ । ସେବେଠୁ ଗୋପାଳ ରାସ୍ତାରେ ଆକ୍ସିଡେଣ୍ଟ ଟିଏ ଦେଖିଲେ, ତାଙ୍କ ଜୀବନ ଦେଇ ଅନ୍ୟର ଜୀବନ ବଞ୍ଚେଇବା କାମରେ ଲାଗିପଡନ୍ତି ।

ଗୋପାଳ କହନ୍ତି… ଗତ ୧୦ ବର୍ଷ ହେଲା ମୁଁ ଏମିତି କାମ କରିଆସୁଛି । ରୋଗୀ ଗୁରୁତର ହେଲେ ସେମାନଙ୍କ ସହ ମୁଁ ଆମ୍ବୁଲାନ୍ସରେ ହସ୍ପିଟାଲ ଯାଏ । ତାଙ୍କର ଚିକିତ୍ସା ଶେଷ ହେଲେ ଘରକୁ ଆସେ । ରାତି ଅଧରେ ବି ମୋତେ ଲୋକ ଫୋନ୍ କରନ୍ତି । ଆଉ ମୁଁ ବି ମୋ ସାଧ୍ୟମତେ ସହାୟତା କରିବାକୁ ଚେଷ୍ଟା କରେ । ଆକ୍ସିଡେଣ୍ଟ ହୋଇଥିବା ଲୋକ ଆଉ ମାନସିକ ରୋଗୀଙ୍କୁ ମୁଁ ମାଗଣାରେ ହସ୍ପିଟାଲ ନେଇଥାଏ । କୋଭିଡ୍ ସମୟରେ ବି କିଛି ସାମାନ୍ୟ ପଇସା ନେଇ ଶହ ଶହ ରୋଗୀଙ୍କୁ ମୁଁ ହସ୍ପିଟାଲରେ ପହଞ୍ଚାଇଛି ।

ଆଜି କାଲି…ରାସ୍ତାରେ ଅନେକ ଦୁର୍ଘଟଣା ଘଟୁୁଛି । ଅନେକ ନୀରିହ ଜୀବନ ଅକାଳରେ ଚାଲିଯାଉଛି । ଗୋଟିଏ ଅମୂଲ୍ୟ ଜୀବନ ଏମିତି ଅଚାନକ ଚାଲିଯିବା, ଗୋଟିଏ ପରିବାରକୁ ଖାଲି ଦୁଃଖ ଆଉ ଯନ୍ତ୍ରଣା ଦିଏନି, ବେଳେବେଳେ ଗୋଟିଏ ପରିବାରକୁ ଦୁଃଖର ଅନ୍ଧାରରେ ବୁଡାଇଦିଏ । ଆଉ ଏମିତି ସମୟରେ ଗୋପାଳଙ୍କ ଭଳି ଲୋକଙ୍କ ହିଁ ଜୀବନ ଆଉ ଯମ ଭିତରେ ପାଚେରୀ ସାଜି, ଆମକୁ ରକ୍ଷା କରନ୍ତି । ଅନେକ ପରିବାର ମୁହଁରେ ହସ ଫୁଟାନ୍ତି ।