ବଲାଙ୍ଗୀର ଆରଟିଓ ଛକ ହିଟ୍ ଆଣ୍ଡ ରନ୍ ଘଟଣା : ସାମ୍ନାକୁ ଆସିଲା ଆଉ ଏକ ଭିଡ଼ିଓ

ଦୁର୍ଘଟଣା ପରେ ମାଷ୍ଟରମାଇଣ୍ଡ ଚିତ୍ତକୁ ଟ୍ରକରୁ ଟାଣି ଆଣି ମାଡ଼ ମାରିଥିଲେ ଲୋକେ

164

କନକ ବ୍ୟୁରୋ : ବଲାଙ୍ଗୀର ଆରଟିଓ ଛକ ହିଟ୍ ଆଣ୍ଡ ରନ୍ ଘଟଣାରେ ସାମ୍ନାକୁ ଆସିଲା ଆଉ ଏକ ଭିଡିଓ । ଦୁର୍ଘଟଣା ପରେ ମାଷ୍ଟରମାଇଣ୍ଡ ଚିତ୍ତ ମହାନ୍ତଙ୍କୁ ଟ୍ରକରୁ ଟାଣି ଆଣି ମାଡ଼ ମାରିଥିଲେ ସ୍ଥାନୀୟ ଲୋକେ । ଚିତ୍ତ ନିଜେ ଟ୍ରକ୍ ଚଳାଉଥିଲା । ଚିତ ଟ୍ରକ୍ ଚଳାଉନଥିଲା ବୋଲି ପୂର୍ବରୁ କହୁଯାଉଥିଲା । କିଛି ଲୋକ ଚିତ୍ତ ଟ୍ରକ୍ ଚଳାଉଥିବା କହୁଥିବା ବେଳେ କିଛି ଲୋକ କହୁଥିଲେ ତାଙ୍କ ଭାଇ ମନ ମହାନ୍ତି ଟ୍ରକ୍ ଚଳାଉଥିଲେ । ଏବେ ଭିଡିଓ ସାମ୍ନାକୁ ଆସିବା ପରେ ଚିତ୍ତ ନିଜେ ଟ୍ରକ୍ ଚଳାଉଥିବା କଥା ସ୍ପଷ୍ଟ ହୋଇଛି ।

ସେପଟେ ହିଟ୍ ଆଣ୍ଡ ରନ୍ ଘଟଣାରେ ହତ୍ୟା ମାମଲା ରୁଜୁ କଲା ପୋଲିସ । ଏହା ଦୁର୍ଘଟଣା ନୁହେଁ ହତ୍ୟା ବୋଲି ପୋଲିସ କହିଛି । ସିସିଟିଭି ଫୁଟେଜକୁ ଆଧାର କରି ପୋଲିସ ମାଷ୍ଟରମାଇଣ୍ଡ ଚିତ୍ତ ମହାନ୍ତି ଓ ତାଙ୍କ ଦୁଇ ସହଯୋଗୀଙ୍କୁ ଅଟକ ରଖିଛି । ଚିତ୍ତ ହସ୍ପିଟାଲରୁ ଫେରାର ମାରିଥିବା ବେଳେ ଆନ୍ଧ୍ର ଓଡ଼ିଶା ସୀମା ଥିରୁବାଲିଠାରୁ ପୋଲିସ ତାଙ୍କୁ ଧରିଥିଲା । ଆଉ ଚିତ୍ତଙ୍କୁ ବଲାଙ୍ଗୀର ପୋଲିସ ଆଣି ନିଜ ହେପାଜତରେ ରଖିଛି ।

ଚିତ୍ତ ହିଁ ମିନି ଟ୍ରକ୍ ଚଳାଉଥିବା ପୋଲିସ କହିଛି । ପୂରା ହତ୍ୟା ଷଡଯନ୍ତ୍ରରେ ଚିତ ସହ ଆଉ କେଉଁମାନେ ସଂପୃକ୍ତ ଅଛନ୍ତି ସେନେଇ ଛାନଭିନ୍ କରୁଛି ପୋଲିସ । ଶନିବାର ଦିନ ଆରଟିଓ ଛକରେ ହଠାତ୍ ଏକ ମିନି ଟ୍ରକ୍ ବାଇକ୍କୁ ଧକ୍କା ଦେଇଥିଲା । ବାଇକରେ ଥିବା ଦୁଇ ଜଣଙ୍କ ମଧ୍ୟରୁ ଶ୍ରୀକାନ୍ତ ବାଗଙ୍କ ମୃତ୍ୟୁ ହୋଇଯାଇଥିଲା । ଅନ୍ୟ ଜଣେ ସାନୁ ନାୟକ ଗୁରୁତର ଆହତ ହୋଇଥିଲେ । ସିସିଟିଭି ଫୁଟେଜରୁ ଏହା ପଛର ପ୍ରକୃତ ସତ ସାମ୍ନାକୁ ଆସିଥିଲା ।